ରାଜ୍ୟରେ ଭୂତାଣୁ କଲଚର ଆରମ୍ଭ : ସୁରତ ଫେରନ୍ତାଙ୍କ ଦେହରେ କେଉଁ ଭୂତାଣୁ?

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକଙ୍କ ଶରୀରରେ କୌଣସି ଲକ୍ଷଣ ଦେଖିବାକୁ ମିଳୁ ନ ଥିଲା। ତେବେ ସୁରତରୁ ରାଜ୍ୟକୁ ଫେରୁଥିବା ଅଧିକାଂଶ ସଂକ୍ରମିତଙ୍କ ମଧ୍ୟରେ କରୋନାର ଲକ୍ଷଣ ଦେଖାଦେବା ଘଟଣା ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି। ଏଲ୍‌-ଷ୍ଟ୍ରେନ୍ ଭୂତାଣୁ ପାଇଁ ଉହାନରେ ମାତ୍ରାଧିକ ସଂକ୍ରମଣ ଓ ମୃତ୍ୟୁ ହୋଇଥିଲା। ତେବେ ସୁରତ ଫେରନ୍ତାଙ୍କ ଶରୀରରେ କେଉଁ ଭୂତାଣୁ ରହିଛି ତାହା ଉପରେ ପରୀକ୍ଷା କରାଯିବ ବୋଲି ‌ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ୪ଟି ପର୍ଯ୍ୟାୟରେ ସଂକ୍ରମଣ ହୋଇଛି। ପ୍ରଥମଟି ବିଦେଶ ଫେରାନ୍ତଙ୍କ ଯୋଗୁଁ ହୋଇଥିବା ବେଳେ ଦ୍ବିତୀୟଟି ନିଜାମୁଦ୍ଦିନ୍ ଓ ତୃତୀୟରେ କୋଲକାତା ଫେରନ୍ତା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଥିଲେ। ମାତ୍ର ଚତୁର୍ଥ ପର୍ଯ୍ୟାୟରେ ସୁରତ ଫେରନ୍ତା ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି। ଗଞ୍ଜାମ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୫୩ଜଣ ଚିହ୍ନଟ ହୋଇଥିବା ବେ‌ଳେ ସମୁଦାୟ ୪୧୪ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୨ଶହ ସୁରତ ଫେରନ୍ତା। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଶରୀରରେ କରୋନା ଲକ୍ଷଣ ରହିଛି। ନିକଟରେ ଗୁଜୁରାଟ ବାୟୋଟେକନୋଲୋଜି ଗବେଷଣା କେନ୍ଦ୍ର (ଜିବିଆର୍‌ସି) ପକ୍ଷରୁ ହୋଇଥିବା ଗବେଷଣାରେ ସେଠାରେ ଉହାନ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିବା ଏଲ୍‌-ଷ୍ଟ୍ରେନ୍ ଭୂତାଣୁ ରହିଥିବା ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର(ବୈଷୟିକ) ମୁଖପାତ୍ର ଡା. ଜୟନ୍ତ ପଣ୍ଡା କହିଛନ୍ତି, ସୁରତ ଓ ଅହମଦାବାଦରୁ ଫେରୁଥିବା ଲୋକମାନଙ୍କ ଶରୀରରେ ଗୁଜୁରାଟର ଷ୍ଟ୍ରେନ୍‌ ରହିଛି। ତେବେ ରାଜ୍ୟରେ ସଂଖ୍ୟା ବୃଦ୍ଧି ପାଇବା ପରୋକ୍ଷ ଭାବେ ରାଜ୍ୟ ପାଇଁ ଭଲ। ଏହାକୁ ୩ଟି ଦୃଷ୍ଟିରେ ଦେଖାଯାଇ ପାରେ। ରାଜ୍ୟରେ ସଂକ୍ରମିତ ହେଉଥିବା ଅଧିକାଂଶ ଲୋକ ବଞ୍ଚୁଛନ୍ତି ଓ ମୃତ୍ୟୁ ସଂଖ୍ୟା କମ୍ ରହିଛି। ରାଜ୍ୟରେ ଏବେ କୋଭିଡ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇଛି। ଅଧିକ ପରୀକ୍ଷା ଯୋଗୁଁ ଲକ୍ଷଣ ନ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି, ଯାହାଫଳରେ ଜଣେ ବ୍ୟକ୍ତି ବିପଦ ମୁହଁରେ ପଡ଼ିବା ପୂର୍ବରୁ ସେମାନଙ୍କୁ ଚିହ୍ନଟ କରାଯାଇ ପାରୁଛି। ରାଜ୍ୟରେ ଏବେ ୩ଜଣ କରୋନାରେ ପ୍ରାଣ ହରାଇଛନ୍ତି। ୨ଜଣଙ୍କୁ ମୃତ୍ୟୁ ପରେ ଚିହ୍ନଟ କରାଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଏ ଯାଏ ସ୍ପଷ୍ଟ ହୋଇନାହିଁ। ରାଜ୍ୟରେ ଏବେ ଭୂତାଣୁ କଲଚର ଆରମ୍ଭ ହୋଇଛି। ସବୁ ସ୍ଥାନରେ ଭୂତାଣରୁ ଷ୍ଟ୍ରେନ୍ ଅଲଗା ରହିଛି। ଏପରିକି ମ୍ୟାଲେରିଆ ଭୂତାଣୁର ଶହ ଶହ ପ୍ରକାରର ଷ୍ଟ୍ରେନ୍ ରହିଛି। ତେବେ ଅଧିକ ଅଧ୍ୟୟନ ହେଲେ ସୁରତ ଫେରନ୍ତାଙ୍କ ଶରୀରରେ ଏଲ-ଷ୍ଟ୍ରେନ୍ ଭୂତାଣୁ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ଡା.ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର