ରତ୍ନଗିରି (ଯାଜପୁର) : ନାଳ ଏପଟେ ରହିଛି ବରୀ ବ୍ଲକର ରତ୍ନଗିରି ଗ୍ରାମ ଓ ନାଳ ସେପଟେ ରହିଛି ରତ୍ନଗିରି ପଞ୍ଚାୟତର ଡିମିରିଆପାଳ ଓ ବଡଚଣା ବ୍ଲକର ପର୍ବତ ପଣସୁଆ, ପାଳପଣସୁଆ ଓ ନାନକାର ଗ୍ରାମ। ଉକ୍ତ କେନୁଅ ନାଳ ଉପରେ ବାଦୁଡ଼ି ବରଗଛ ନିକଟରେ ଏକ କଲଭର୍ଟ ନିର୍ମାଣ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଦ୍ବାରା ସଂଯୋଗ କରାଇଛି। ଏହି କଲଭର୍ଟଟି ଆଜି ହଠାତ୍ ଭୁଶୁଡ଼ି ପଡ଼ିବାରୁ ନାଳ ସେପଟେ ରହିଥିବା ଡିମିରିଆପାଳ, ପର୍ବତପଣସୁଆ, ପାଳପଣସୁଆ ଓ ନାନକାର ଆଦି ଗ୍ରାମ ସହ ରତ୍ନଗିରିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ସୂଚନା ଅନୁସରାରେ କିଛିଦିନ ହେବ ଏହି କଲଭର୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ଏହି ସ୍ଥାନଟି ବରୀ ବଡ଼ଚଣାର ସଂଯୋଗ ସ୍ଥଳ ହୋଇଥିବାରୁ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ଦୁଇ ବ୍ଲକର ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗି ନଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଜି ସକାଳୁ ଏକ ବାଲି ବୋଝେଇ ଟ୍ରାକ୍ଟର ପୋଲ ଦେଇ ଯିବା ସମୟରେ ହଠାତ୍ ପୋଲଟି ଭାଙ୍ଗିଯାଇଥିଲା। ଟ୍ରାକ୍ଟର ଡାଲା ଅଂଶ ତଳୁକୁ ଖସିପଡି ଉପରକୁ ଉଠିଯାଇଥିଲା। ଫଳରେ ଅଳ୍ପକେ ଟ୍ରାକ୍ଟର ସହ ଚାଳକ ରକ୍ଷା ପାଇଯାଥିଲେ। ଏହି ରାସ୍ତା ଉପରେ ଡିମିରିଆପାଳ ଗ୍ରାମର ଲୋକେ ରତ୍ନଗିରି ପଞ୍ଚାୟତ ସହିତ ବ୍ଲକ କାର୍ଯ୍ୟଳୟକୁ ଯାଇଥାନ୍ତି। ବଡ଼ଚଣା ବ୍ଲକର ପର୍ବତ ପଣସୁଆ, ପଣସୁଆପାଳ ଓ ନାନକାର ଆଦି ଗ୍ରାମର କଲେଜ ଛାତ୍ରଛାତ୍ରୀ ଦୈନିକ କଲେଜ ଯିବାଆସିବା କରିଥାନ୍ତି। ଏହି ପୋଲ ଭୁଶୁଡ଼ି ପଡ଼ିବା ଦ୍ବାରା ଲୋକମାନେ କୋଲଣଗିର ବାଘପାହାଡ଼ ଦେଇ ଅତିରିକ୍ତ ୩ କିମି ବୁଲାଣି ରାସ୍ତାରେ ଯିବାକୁ ପଡ଼ିବ। ବର୍ଷାଦିନ ପୂର୍ବରୁ ବିଭାଗ ପକ୍ଷରୁ ତୁରନ୍ତ ନୂତନ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/12-21.jpg)