ବାଲେଶ୍ବର: ବାଲେଶ୍ବର ସହରରେ ଆଜିକୁ ୫ ଦିନ ହେଲା କର୍ଫ୍ୟୁ ବଳବତ୍ତର ରହିଥିବାରୁ ଜନଜୀବନ ଏକପ୍ରକାର ଅଚଳ ହୋଇପଡ଼ିଛି। ସାନ୍ଧ୍ୟ ଆଇନ ସାଙ୍ଗକୁ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିବାରୁ ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଯଦିଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଗୁରୁବାର ୪ ଘଣ୍ଟା ଓ ଶୁକ୍ରବାର ୬ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଛି। ଆସନ୍ତାକାଲି ଶନିବାର ସକାଳ ୫ରୁ ଦିନ ୨ଟା ଯାଏ କର୍ଫ୍ୟୁ କଟକଣା କୋହଳ ହେବାସହିତ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍‌ ସେବା ଚାଲୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମୋବାଇଲ ଇଣ୍ଟରନେଟ୍‌ ଉପରେ ପୂର୍ବ ପରି କଟକଣା ଜାରି ରହିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

Advertisment

ହିଂସାକାଣ୍ଡର ୫ ଦିନ ପରେ ବି ସ୍ଥିତି ସ୍ବାଭାବିକ ପାଇଁ କୌଣସି ପ୍ରଯତ୍ନ ନ ହେବା ଓ କର୍ଫ୍ୟୁ ମିଆଦ ବୃଦ୍ଧି ପାଉଥିବା ନେଇ ଜିଲ୍ଲା ପ୍ରଶାସନ ବିରୋଧରେ ବିଭିନ୍ନ ସାମାଜିକ, ରାଜନୈତିକ ଓ ଗଣସଂଗଠନର କର୍ମକର୍ତ୍ତା ଅସ‌ନ୍ତୋଷ ଝାଡ଼ିଛନ୍ତି। ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେବା ଅବସରରେ ତୁରନ୍ତ ସହରରୁ କର୍ଫ୍ୟୁ ହଟାଇବାକୁ ଦାବି କରିଛନ୍ତି। ଏ କ୍ଷେତ୍ରରେ ଆଉ କାଳକ୍ଷେପଣ ନୀତି ଗ୍ରହଣ କରାଗଲେ ସେମାନେ ରାଜରାସ୍ତାକୁ ଓହ୍ଳାଇ ଜୋର୍‌ଦାର୍‌ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ସହରରେ ଶାନ୍ତି ଓ‌ ଭାଇଚାରା ଫେରାଇ ଆଣିବା ପାଇଁ ଜିଲ୍ଲାପାଳ କେବଳ ସାଂସଦ, ବିଧାୟକଙ୍କ ଉପରେ ନିର୍ଭର ନ କରି ସବୁ ରାଜନୈତିକ ଦଳ, ସଂପ୍ରଦାୟ ଓ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଡାକି ଆଲୋଚନା କରନ୍ତୁ। କର୍ଫ୍ୟୁ ସମୟରେ ରୋଜଗାର ହରାଇଥିବା ଦିନମଜୁରିଆ, ଶ୍ରମିକ, ରିକ୍ସାଚାଳକ, ଅଟୋଚାଳକ ଓ ଉଠାଦୋକାନୀମାନଙ୍କୁ କ୍ଷତିପୂରଣ ଦିଆଯାଉ। ସହରରେ ତୁରନ୍ତ ଇଣ୍ଟରନେଟ୍‌ ସେବା ପୁନର୍ବାହାଲ ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।

ସୋମବାର ଅପରାହ୍ନରେ ସୁନହଟଠାରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଅନ୍ୟ ଅଞ୍ଚଳକୁ ବ୍ୟାପିବାରୁ ମଙ୍ଗଳବାରଠାରୁ ପୌରାଞ୍ଚଳରେ ସାନ୍ଧ୍ୟ ଆଇନ୍ (କର୍ଫ୍ୟୁ) ଜାରି କରିଥିଲା ପ୍ରଶାସନ। ହିଂସାକାଣ୍ଡରେ ସଂପୃକ୍ତ ୬୫ ଜଣଙ୍କୁ ପୁଲିସ ବିଭିନ୍ନ ଅଞ୍ଚଳରୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ଲାଗି ତନାଘନା ଜାରି ରଖିଛି। ଗତକାଲି ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଓ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଆର୍‌ଏସ୍‌ ଗୋପାଳନ ସ୍ଥିତି ଉପରେ ସମୀକ୍ଷା କରିଥିଲେ। ଖୁବ୍‌ଶୀଘ୍ର ସହରରେ ସ୍ବାଭାବିକ ଅବସ୍ଥା ଫେରିବ ବୋଲି ଉଭୟ ପ୍ରତିଶ୍ରୁତି ଦେଇଥିଲେ। ତେବେ, ଏବେ ବି ସହରକୁ ୩୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ୬ କମ୍ପାନି ଅର୍ଦ୍ଧ ସାମରିକ ବଳ ଜଗିଛନ୍ତି।