କଟକ: ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ ସୋମବାର କଟକ ବନ୍ଦ ପାଇଁ ଡାକରା ଦିଆଯାଇଛି। ଆଜି ବନ୍ଦ ସପକ୍ଷରେ ବାହାରିଥିବା ଶୋଭାଯାତ୍ରାକୁ ନେଇ ପୁଣି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଶୋଭାଯାତ୍ରା ଯାଉଥିବା ରାସ୍ତାରେ ଏକାଧିକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଦରଘାବଜାର ନିକଟରେ ଥିବା ମାର୍କେଟ୍ କଂପ୍ଲେକ୍ସ ପରିସରରେ ଗାଡ଼ି ଭଙ୍ଗାରୁଜା, ଦୋକାନ ପୋଡ଼ାଜଳା, ଢେଲା ମାଡ଼ ହୋଇଥିବା ବେଳେ ଡିସିପି ଖିଲାରି ଋଷିକେଶ ଦ୍ୟାନଦେଓଙ୍କୁ ପୁଣି ଆକ୍ରମଣ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିମାଡ଼ କରିବା ସହିତ ଟିୟର ଗ୍ୟାସ୍ ପ୍ରୟୋଗ କରିଛି। ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଏହାକୁ ନେଇ ସହରରେ ଉତ୍ତେଜନା ବଢ଼ିବାରୁ ଆସନ୍ତା ୩୬ ଘଣ୍ଟା ପାଇଁ କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ବରେ ଦରଘାବଜାରରେ ପୁଲିସର ସ୍ବତନ୍ତ୍ର କ୍ୟାମ୍ପ ଅଫିସ ଖୋଲାଯାଇଛି। ଆଜିର ଗଣ୍ଡଗୋଳ ଘଟଣାରେ ଡିସିପିଙ୍କ ସମେତ ୨୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଡିସିପିଙ୍କ ସମେତ ୨୬ ଆହତ, ଲାଠିଚାର୍ଜ, ଟିୟର ଗ୍ୟାସ୍ ପ୍ରୟୋଗ
୬୦ ପ୍ଲାଟୁନ୍ ଫୋର୍ସ ମୁତୟନ, ପୁଲିସର ସ୍ବତନ୍ତ୍ର କ୍ୟାମ୍ପ ଅଫିସ୍
୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା, ସୋସିଆଲ୍ ମିଡିଆ ବନ୍ଦ
ସଂଯମ ରକ୍ଷା ପାଇଁ ନିବେଦନ କଲେ ନବୀନ, ଧର୍ମେନ୍ଦ୍ର
ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାମେଢ଼ ଭସାଣି ବେଳେ ହାତୀପୋଖରୀଠାରେ ଘଟିଥିବା ଗଣ୍ଡଗୋଳର ଆଜି ଏଭଳି ପ୍ରତିଫଳନ ଦେଖିବାକୁ ମିଳିଛି। ମେଢ଼ ଶୋଭାଯାତ୍ରା ଯାଉଥିବା ସମୟରେ ଦରଘାବଜାର ନିକଟରେ ଗଣ୍ଡଗୋଳ ଘଟି ଡିସିପିଙ୍କ ସମେତ ୬ରୁ ଅଧିକ ଆହତ ହୋଇଥିଲେ। ସେହି ଘଟଣାରେ ପୁଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରିଥିଲା। ଭସାଣିରେ ଗଣ୍ଡଗୋଳ ପ୍ରତିବାଦରେ ସୋମବାର କଟକ ବନ୍ଦ ପାଇଁ ଡାକରା ଦିଆଯାଇଥିଲା। ବନ୍ଦକୁ ସମର୍ଥନ କରି ଆଜି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ମୋଟର ସାଇକଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ଯାଉଥିବା ସମୟରେ ପୁଲିସ କିଛି ଶୋଭାଯାତ୍ରାକାରୀଙ୍କୁ ବଜ୍ରକବାଟୀ ନିକଟରେ ଅଟକାଇବାରୁ ଉତ୍ତେଜନା ବଢ଼ିଥିଲା। ସେଠାରେ ପୁଲିସ ଓ ଶୋଭାଯାତ୍ରାକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଶୋଭାଯାତ୍ରାକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିଲେ। ଶୋଭାଯାତ୍ରା ଦରଘାବଜାରରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଦରଘାବଜାରଠାରୁ ସିଟି ହସ୍ପିଟାଲ ଓ ଗୌରୀଶଙ୍କର ପାର୍କ ପର୍ଯ୍ୟନ୍ତ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଏହି ଘଟଣାରେ ଅନେକ ଦୋକାନ ଭଙ୍ଗାରୁଜା ହେବା ସହିତ ରାସ୍ତାକଡ଼ର ଠେଲାଗାଡ଼ି ଓ କ୍ୟାବିନ୍ ଜଳି ଯାଇଛି। ଏକାଧିକ କାର୍ ମଧ୍ୟ ଭାଙ୍ଗିଛି। ଅନ୍ୟପଟେ ଆଜି ସକାଳୁ କିଛି ବ୍ୟକ୍ତି ଶୋଭାଯାତ୍ରାରେ ଯାଇ ସହରର ସମସ୍ତ ମାଂସ ଦୋକାନକୁ ବନ୍ଦ କରି ଦେଇଥିଲେ। ଅନେକ ସ୍ଥାନରେ ଭଙ୍ଗାରୁଜା କରିଥିଲେ।
ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ କରାଯାଉଥିବାରୁ ରାଜ୍ୟ ସରକାର କଟକ ସହରରେ ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିଛନ୍ତି। ଏହି ସମୟରେ ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ହ୍ୱାଟ୍ସଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ସ୍ନାପ୍ଚାଟ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବନ୍ଦ ରହିବ। କଟକ ସିଏମ୍ସି ଓ ସିଡିଏ ଅଞ୍ଚଳରେ ଇଣ୍ଟରନେଟ୍ର ଏହି ଅସ୍ଥାୟୀ ବନ୍ଦ ଲାଗୁ କରାଯାଇଥିବା ସୂଚନା ମିଳିଛି। ସଂଯମତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ଶାନ୍ତି ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ଭୁବନେଶ୍ବର: କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ସହର ହେଉଛି ହଜାର ବର୍ଷର ସହର। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର। କିନ୍ତୁ ଗତ କିଛି ଦିନ ଧରି କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି ଏବଂ ସେମାନଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହରର ଐତିହ୍ୟକୁ ଆହୁରି ଉପରକୁ ନେବା ପାଇଁ ସମସ୍ତେ ମିଳିମିଶି ଶାନ୍ତିଶୃଙ୍ଖଳାର ସହିତ ଆଗକୁ ବଢ଼ନ୍ତୁ। ସହରର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।