ବାଲେଶ୍ଵର ସହରରେ କର୍ଫ୍ୟୁ: ସମସ୍ତ ପ୍ରବେଶ ପଥ ସିଲ୍, ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ

ଘରେ ପଶି ନିଆଁ ଲଗେଇଲେ, ପୁଲିସର ଫାଙ୍କା ଗୁଳି ଚାଳନା, ବ୍ୟାପକ ଭଙ୍ଗାରୁଜା, ୭ ପ୍ଲାଟୁନ୍ ଫୋର୍ସ ମୁତୟନ

ବାଲେଶ୍ବର: ବାଲେଶ୍ବର ସହର ସୁନହଟ ଅଞ୍ଚଳରେ ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ସଘର୍ଷ ଉଗ୍ର ରୂପ ନେଇଛି। ଢେଲାପଥର, ବାଡ଼ି ଓ କାଚ ବୋତଲ ମାଡ଼ରେ ୫ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇଛନ୍ତି। ଘଟଣାସ୍ଥଳରେ ଅନେକ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ସହ ଲୋକଙ୍କ ଘର ଆସବାବପତ୍ର ନଷ୍ଟ ହୋଇଛି। ସୂଚନା ମୁତାବକ ବିଳମ୍ବିତ ରାତିରେ ସହରର ଗୋଳାପୋଖରୀ, ମୋତିଗଞ୍ଜ, ସିନେମା ଛକ ଅଞ୍ଚଳକୁ ସଂଘର୍ଷ ବ୍ୟାପିଛି। ଗଣ୍ଡ‌ଗୋଳକାରୀ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ଼ କରିବା ସହ ନିଆଁ ଲଗାଇ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଫାଙ୍କା ଗୁଳିଚାଳନା କରିଛି। ପୂର୍ବାଞ୍ଚଳ ପୁଲିସ ଆଇଜି ଡ.ଦୀପକ କୁମାର ଓ ଏସପି ସାଗରିକା ନାଥ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସହରରେ କର୍ଫ୍ୟୁ ଜାରି କରାଯାଇଛି। ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଥିବା ବେଳେ ସବୁ ଜାଗାରେ ସଶସ୍ତ୍ର ଫୋର୍ସ ମୁତୟନ ହୋଇଛନ୍ତି। ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ ଟାଉନ ଥାନାରେ ପହଞ୍ଚିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ମଙ୍ଗଳବାର ବାଲେଶ୍ବର ସହରର ସମସ୍ତ ଦୋକାନବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ମୁତାବକ, ସୋମବାର ଦ୍ବିପ୍ରହର ସମୟରେ ସୁନହଟ ମୁଖ୍ୟ ରାସ୍ତା ପାର୍ଶ୍ବ ଡ୍ରେନ୍‌ରେ ପୁଳାପୁଳା ରକ୍ତ ବୋହି ଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ। ମନରେ ସନ୍ଦେହ ହେବାରୁ ସେମାନେ ନାଳକୁ ଯାଇ ଯେଉଁଠାରୁ ରକ୍ତ ଛଡ଼ାଯାଉଥିଲା, ସେ ସ୍ଥାନକୁ ଖୋଜିବା ସହ ହୋହାଲ୍ଲା କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ସଂପର୍କରେ ଅଭିଯୋଗକାରୀଙ୍କଠାରୁ ଖବର ପାଇ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ଠିକ ଏହି ସମୟରେ ଅପରପକ୍ଷର ଶହଶହ ଲୋକ ଏକାଠି ହୋଇ ଅଭିଯୋଗକାରୀଙ୍କ ଉପ‌ରକୁ ଆକ୍ରମଣ କରିବା ସହ ପଥର ଓ କାଚ ବୋତଲ ଫିଙ୍ଗିଥିଲେ। ରାସ୍ତା ଉପରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ, ପ୍ରତିଆକ୍ରମଣ କରିବା ସହ ପ୍ରବଳ ମାଡ଼ପିଟ୍‌ ଯୋଗୁଁ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇଥିବା ଅତିରିକ୍ତ ଏସ୍‌ପି ଅନୀଲ ପ୍ରଧାନ, ଏସ୍‌ଡିପିଓ ଡାକ୍ତର ଶଶାଙ୍କ ଶେଖର ବେଉରା, ଡିଏସ୍‌ପି ବ୍ରଜମୋହନ ପ୍ରଧାନଙ୍କ ସହିତ ଟାଉନ ଥାନାର ଦୁଇ ଅଧିକାରୀ ଓ ତିନି ଜଣ କନେଷ୍ଟବଳ ଗୁରୁତର ଆହତ ହୋଇଥିଲେ। ପଥର ଓ କାଚବୋତଲ ମାଡ଼ରେ ସ୍ଥାନୀୟ ଅଞ୍ଚଳର ୧୦ରୁ ଅଧିକ ବ୍ୟକ୍ତି ଓ ରାସ୍ତାରେ ଯାଉଥିବା ସାଧାରଣ ଜନତା ମଧ୍ୟ କ୍ଷତାକ୍ତ ହୋଇଛନ୍ତି। ସେହି ସମୟରେ ରାସ୍ତାରେ ଯାଉଥିବା ବାଇକ୍‌, ସ୍କୁଟର ଓ ଚାରିଚକିଆ ଯାନକୁ ଅଟକାଇ ଲୋକଙ୍କୁ ଆକ୍ରମଣ କରାଯିବା ସହ ଗାଡ଼ିଗୁଡ଼ିକୁ ଭାଙ୍ଗି ଚୂର୍‌ମାର କରି ଦିଆଯାଇଥିଲା। ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆକମଣରୁ ବର୍ତ୍ତି ନଥିଲେ। ପଥରମାଡ଼ରେ ଅନେକ ଆହତ ହୋଇଥିବା ବେଳେ କ୍ୟାମେରା ଭାଙ୍ଗିରୁଜି ଯାଇଛି।
ପାଖାପାଖି ୨ ଘଣ୍ଟା ଧରି ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିବା ପରେ ଆରକ୍ଷୀ ଅଧୀକ୍ଷିକା ସାଗରିକା ନାଥଙ୍କ ନେତୃତ୍ବରେ ସଶସ୍ତ୍ର ପୁଲିସ ବଳ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ପୂରା ଅଞ୍ଚଳରେ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଲାଗୁ କରାଯାଇଥିଲା। ତା’ପରେ ପରିସ୍ଥିତି ନିୟନ୍ତ୍ରଣକୁ ନଆସିବ‌ାରୁ କର୍ଫ୍ୟୁ ଜାରି ହୋଇଥିଲା। ଶାନ୍ତି ଫେରିବା ଯାଏ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ସମସ୍ତ ଜନସାଧାରଣଙ୍କୁ ନିଜ ଘର ଭିତରେ ରହିବାକୁ ଅନୁରୋଧ କରାଯାଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟା‌ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପିଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର