କଟକ: କଟକରେ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ସାଧାରଣ ଜୀବନଯାତ୍ରା ଠପ୍‌ ହୋଇଯାଇଛି। ସାରା ସହର ବନ୍ଦ ରହିଛି। କେବଳ ଔଷଧ ଦୋକାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି। କିନ୍ତୁ ଏହି ସମୟ ମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ସ୍ଥିତିରେ ସୁଧାର ଆଣିବା ପାଇଁ ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମ ଉପରେ ଆହୁରି ୨୪ ଘଣ୍ଟା କଟକଣା ଲଗାଇ ଦିଆଯାଇଛି। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ରାତି ୭ଟା ଯାଏଁ କଟକଣା ବଳବତ୍ତର ରହିବ। ଆଜି ସହରରେ କାଁଭାଁ ବସ୍ ଚଳାଚଳ କରିଥିବା ବେଳେ ହୋଟେଲ୍‌ ବନ୍ଦ ରହିବାରୁ ସାଧାରଣ ଲୋକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିଶେଷକରି ଆହାର କେନ୍ଦ୍ର ବନ୍ଦ ରହିବାରୁ ଏସ୍‌ସିବି ମେଡିକାଲ, ଶିଶୁ ଭବନର ରୋଗୀ ସଂପର୍କୀୟମାନେ ଖାଇବାକୁ ନ ପାଇ ହନ୍ତସନ୍ତ ହୋଇଥିଲେ। 
ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ୫ ହଜାରରୁ ଅଧିକ ଆପତ୍ତିଜନକ ତଥା ଉତ୍ତେଜନାମୂଳକ ପୋଷ୍ଟକୁ କ୍ରାଇମ୍‌ବ୍ରାଞ୍ଚ ଚିହ୍ନଟ କରିଛି। ସେସବୁକୁ ସୋସିଆଲ୍ ମିଡିଆରୁ ହଟାଇବା ପାଇଁ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ସଂସ୍ଥାକୁ ଚିଠି ଲେଖିଛି।

Advertisment

୫ ହଜାରରୁ ଅଧିକ ବିବାଦୀୟ ପୋଷ୍ଟ ଚିହ୍ନଟ
ଆହାର କେନ୍ଦ୍ର ବନ୍ଦ; ଏସ୍‌ସିବି, ଶିଶୁଭବନରେ ରୋଗୀଙ୍କ ସଂପର୍କୀୟ ହନ୍ତସନ୍ତ

ସାମାଜିକ ଗଣମାଧ୍ୟମ ଉପରେ ନଜର ରଖିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅତିରିକ୍ତ ଏସ୍‌ପି ସମ୍ପଦ ଦାସଙ୍କ ନେତୃତ୍ବରେ ଏକ ୭ଜଣିଆ ଟିମ୍‌କୁ ନେଇ ସ୍ବତନ୍ତ୍ର ସେଲ୍ ଖୋଲାଯାଇଛି। ଆଜି କର୍ଫ୍ୟୁ ସମୟରେ ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର, ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଅତିରିକ୍ତ ଭାବେ କଟକ ଦାୟିତ୍ବ ଦିଆଯାଇଥିବା ଆଇଜି(କାର୍ମିକ) ପ୍ରବୀଣ କୁମାର, ଡିଆଇଜି ଯୁଗଳ କିଶୋର ବନୋଥ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଛନ୍ତି। କଟକ ସହରରେ ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ବଜ୍ର ଏବଂ ଏକେ ୪୭ ସଜ୍ଜିତ ଗାଡ଼ି ରକ୍ଷକ ସହରରେ ପଇଁତରା ମାରୁଛି। ଓଡ଼ିଶା ପୁଲିସର ୫୦ ପ୍ଲାଟୁନ୍ ଫୋର୍ସ ସହିତ କେନ୍ଦ୍ରୀୟ ଆର୍ମଡ୍‌ ପୁଲିସର ୨୭ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି।

ଅନ୍ୟପଟେ ଗତକାଲି ସନ୍ଧ୍ୟାରେ ଦରଘାବଜାରରେ ହୋଇଥିବା ଗଣ୍ଡଗୋଳ ଘଟଣାକୁ ନେଇ ଦରଘାବଜାର ଥାନା ଆଇଆଇସି ରାକେଶ କୁମାର ବେହେରାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ବିଏନ୍‌ଏସ୍‌ର ଧାରା ୧୯୧(୨), ୧୯୧(୩), ୨୯୬, ୧୧୫(୨), ୧୧୭(୪), ୧୨୧(୧), ୧୨୧(୨), ୧୩୨, ୩୨୬(ଜି), ୩୫୧(୩), ୧୦୯(୧), ୧୯୦ ଏବଂ ପବ୍ଲିକ ପ୍ରପର୍ଟି ପ୍ରିଭେନସନ୍ ଅଫ୍ ଡ୍ୟାମେଜ୍ ଆକ୍ଟର ଧାରା ୪ ଏବଂ ସହରାଞ୍ଚଳ ପୁଲିସ ଆକ୍ଟର ଧାରା ୯୬ ବଳରେ ମାମଲା(କେସ୍ ନଂ ୨୬୦) ରୁଜୁ କରାଯାଇଛି। ବେଆଇନ ଭାବେ ଶୋଭାଯାତ୍ରା କରିବା, କଦମରସୁଲ ନିକଟରେ ପୁଲିସକୁ ଗାଳିଗୁଲଜ ଓ ଠେଲାପେଲା କରିବା, ପୁଲିସକୁ ଆକ୍ରମଣ, ଢେଲାମାଡ଼, ଦୋକାନ ଜାଳିଦେବା ଭଳି ଅଭିଯୋଗରେ ମାମଲା ରୁଜୁ ହୋଇଛି। ବିକ୍ଷୋଭକାରୀମାନେ ପାଖାପାଖି ୩୦ଟି ଦୋକାନ ଜାଳିବା ସହ ୧୦ଟି କାର୍, ୬ଟି ବାଇକ୍ ନଷ୍ଟ କରିଥିବା ଅଭିଯୋଗ ରହିଛି। ଘଟଣାରେ ୨୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ଗୁରୁତର ଆହତ ହୋଇଥିବା ଦର୍ଶାଯାଇଛି।