କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ାରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଛି ପ୍ରଶାସନ। ଆଜି ଅପରାହ୍ନ ୪ଟାରୁ ଆସନ୍ତାକାଲି (ଶୁକ୍ରବାର)ସକାଳ ସାଢେ଼ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି। ଗତକାଲି ସୃଷ୍ଟି ହୋଇଥିବା ଘଟଣାର ପ୍ରତିବାଦରେ ଆଜି କେନ୍ଦ୍ରାପଡାରେ ବନ୍ଦ ପାଳନ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା, ଟେକାପଥର, ବୋତଲ ମାଡ଼ ସହ କେତେକ ସ୍ଥାନରେ ଭଙ୍ଗାରୁଜା ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠିମାଡ଼ କରିଛି। ଅନ୍ୟପକ୍ଷରେ, ସନ୍ଧ୍ୟାରେ ଶାନ୍ତି କମିଟି ବୈଠକ ବସି ଆସନ୍ତାକାଲି ସହରରେ ଶାନ୍ତି ଶୋଭଯାତ୍ରା ବାହାରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Advertisment

ଆଜି ରାଷ୍ଟ୍ରୀୟ ସୁରକ୍ଷା ସମିତି ଓ ବିଜେପି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବାବେଳେ ଜିଲ୍ଲାରେ ସ୍ବାଭାବିକ ଜୀବନଯାତ୍ରା ଠପ୍‌ ହୋଇ ଯାଇଥିଲା। କେନ୍ଦ୍ରାପଡ଼ା ସହରରେ ସମସ୍ତ ଦୋକାନ ବଜାର, ସରକାରୀ ଅଫିସ୍‌, ସ୍କୁଲ, କଲେଜ ବନ୍ଦ ରହିଥିଲା। ଆନ୍ଦୋଳନକାରୀମାନେ ଗୋପ ଛକ, ଦୁହୁରିଆ, ତିନିମୁହାଣି, ଗରାପୁର ଛକ, ଦଣ୍ତାମୁଣ୍ତ ଛକ, କାଳୀ ମନ୍ଦିର ଛକ, ବ୍ଲକ୍‌ ଛକ, ଗୋଗୁଆ, କୋରୋ ଆଦି ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। କେବଳ ଆମ୍ବୁଲାନ୍ସ ସେବାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା।

ଗରାପୁର ନିକଟ ଦଣ୍ତାମୁଣ୍ତ ଛକରେ ବିଜେପି ନେତା ଭୁବନ ମୋହନ ଜେନା, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା, ବରିଷ୍ଠ ନେତା ଜ୍ଞାନଦେବ ବେଉରା, ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ, ବଜର˚ଗ ଦଳ, ଆର‌୍‌ଏସ୍‌ଏସ୍‌ର ଯୁବନେତାମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

publive-image

ବନ୍ଦ ପାଳନ ବେ‌ଳେ ଗରାପୁର ଛକଠାରୁ କାଳୀମନ୍ଦିର ଛକ ଓ ରଣପଡ଼ା ପୋଲ ପର୍ଯ୍ୟନ୍ତ ରାସ୍ତା ୩ ଘଣ୍ଟା ଧରି ରଣାଙ୍ଗନରେ ପରିଣତ ହୋଇଥିଲା। କେତେବେଳେ ମୁହାଁମୁହିଁ ହେଉଥିବା ଦୁଇ ଗୋଷ୍ଠୀ ରଣହୁଙ୍କାର ଦେଉଥିଲେ ତ କେତେବେଳେ ପରସ୍ପର ଉପରକୁ ଟେକା ପଥର ମାଡ଼ କରୁଥିଲେ। ଦିନ ପ୍ରାୟ ୧୨ ଟା ବେଳେ ଗରାପୁର ପଟୁ କେତେକ ଯୁବକ ବାଇକ୍‌ରେ ଆସି କାଳୀମନ୍ଦିର ଛକ ପାଖରେ ଦୋକାନବଜାର ବନ୍ଦ ରଖିବାକୁ ତାଗିଦ୍‌ କରିବା ସହ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ ଆରମ୍ଭ କରି ଦେଇଥିଲେ। ଏତିକିବେଳେ ରଣପଡ଼ା ପଟୁ ଶତାଧିକ ଯୁବକ ବିଭିନ୍ନ ପ୍ରକାର ମାରଣାସ୍ତ୍ର, ଠେଙ୍ଗାବାଡ଼ି, ଟେକା ପଥର ଓ ବୋତଲ ଧରି ରଣପଡ଼ା ଗୋବରୀ ପୋଲ ପଟୁ ମାଡ଼ି ଆସିଥିଲେ। ରାସ୍ତାରୋକ କରୁଥିବା ଯୁବକଙ୍କ ସ˚ଖ୍ୟା ନଗଣ୍ୟ ଥିଲା ଓ ମାତ୍ର ହାତଗଣତି କେତେଜଣ ପୁଲିସ୍‌ କର୍ମଚାରୀ ଉପସ୍ଥିତ ଥିଲେ । ରଣପଡ଼ା ପଟୁ ଆସିଥିବା ଯୁବକମାନେ ଟେକାପଥର ମାଡ଼ କରି ଚାଲିବା ସହ ପାଖରେ ଖୋଲାଥିବା ଦୁଇଟି କ୍ୟାବିନ୍‌ରେ ଭଙ୍ଗାରୁଜା କରିଥିଲେ।

ଅନ୍ୟପକ୍ଷରେ ଜିଲ୍ଲାର ଅନ୍ୟ ଅଞ୍ଚଳରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ରାଜନଗରରେ ବନ୍ଦ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। କେତେକ ଦୋକାନ ଭଙ୍ଗାରୁଜା କରାଯାଇଥିଲା। ଆଳି, ପଟ୍ଟାମୁଣ୍ଡାଇ, ଡେରାବିଶ, ମହାକାଳପଡ଼ା, ଗରଦପୁର, ମାର୍ଶାଘାଇ, ରାଜକନିକାରେ ବନ୍ଦ ପାଳନ ବେଳେ ରାସ୍ତାରୋକ କରାଯାଇଥିଲା।

ଏସ୍‌ପି ନୀତି ଶେଖର, ଉପଜିଲ୍ଲାପାଳ ସ˚ଜୟ କୁମାର ମିଶ୍ର, ଏସ୍‌ଡ଼ିପିଓ ରାଜୀବ ଲୋଚନ ପଣ୍ତା, ର˚ଜନ କୁମାର ଦେ ଓ ଅନ୍ୟ ବରିଷ୍ଠ ଅଧିକାରୀ ତୁହାକୁ ତୁହା ବୈଠକ କରିଛନ୍ତି। ବର୍ତମାନ ସୁଦ୍ଧା ୧୪ ପ୍ଲାଟୁନ୍‌ ଫୋର୍ସକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ରାପିଡ୍‌ ଆକ୍ସନ୍‌ ଫୋର୍ସ ପଇଁତରା ମାରିବା ସହ ବଜ୍ରଗାଡ଼ି ମୁତୟନ କରାଯାଇଛି।

ସହରରେ ପରିସ୍ଥିତି ନିୟନ୍ତଣକୁ ଆଣିବା ପାଇଁ ସନ୍ଧ୍ୟାରେ ଶାନ୍ତି କମିଟି ବୈଠକ ବସିଛି। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କ ନେତୃତ୍ବରେ ବସିଥିବା ଏହି ବୈଠକରେ ଉଭୟ ଗୋଷ୍ଠୀର ଲେ‌ାକେ ବିବାଦର ସମାଧାନ ପାଇଁ ଆଲୋଚନା କରିଥିଲେ। ଆସନ୍ତାକାଲି କର୍ଫ୍ୟୁ ପ୍ରତ୍ୟାହାର ବୋଲି ବୈଠକ ସୂତ୍ରରୁ ଜଣାପଡ଼ିଛି।