ପୁରୀ : ରଥଯାତ୍ରା ପାଇଁ ଆଜି ରାତି ୮ଟାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି। ପୂରା ସହରରେ ୧୪୪ ଧାରା ଜାରି କରାଯାଇଛି। ପୁରୀ ସହରକୁ ୧୨ଟି ଜୋନ୍ରେ ବିଭକ୍ତ କରାଯାଇ କଟକଣାକୁ କଡ଼ାକଡ଼ି କରାଯାଇଛି। ଫଳସ୍ବରୂପ ଆଜିଠାରୁ ବଡ଼ଦାଣ୍ଡ ଜନଶୂନ୍ୟ ହୋଇଯାଇଛି। ସଦାସର୍ବଦା ଗହଳଚହଳ ରହୁଥିବା ବଡ଼ଦାଣ୍ଡ ଆଜି ଖାଁ ଖାଁ ଦିଶୁଛି। ବଡ଼ଦାଣ୍ଡର ସବୁ ପ୍ରବେଶ ପଥରେ ବାରିକେଡ୍ ପଡ଼ିଥିବାବେଳେ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ପୁନର୍ବାର ବଡ଼ଦାଣ୍ଡରେ ଥିବା ହୋଟେଲ, ଲଜ୍, ଗେଷ୍ଟ ହାଉସ୍, ଧର୍ମଶାଳା ସବୁ ଯାଞ୍ଚ କରାଯାଇଛି। ମାଳ ମାଳ ପୁଲିସ ବଡ଼ଦାଣ୍ଡରେ ଡେରା ପକାଇଛନ୍ତି। କର୍ଫ୍ୟୁ ଉପରେ କାହାରି କିଛି ଦ୍ବନ୍ଦ୍ବ ଥିଲେ ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୭୪୯୫ ଜାରି କରିଛି। ଏହି ନମ୍ବରରେ ଯୋଗାଯୋଗ କରି ଲୋକେ କର୍ଫ୍ୟୁ ସମ୍ପର୍କିତ ଦ୍ବନ୍ଦ୍ବ ଦୂର କରିପାରିବେ।
ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ, ଆଜି ରାତି ୮ଟାରୁ ଜୁଲାଇ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ବଳବତ୍ତର ରହିବ। କେହି ବି ଘରୁ ବାହାରି ପାରିବେନି। ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ବଡ଼ଦାଣ୍ଡ ବାହାରେ ଥିବା ହୋଟେଲ, ଲଜ୍ ଆଦିର ବୁକିଂ ବାତିଲ୍ କରାଯାଇନଥିଲେ ବି ଏଠାରେ ଥିବା ପର୍ଯ୍ୟଟକମାନେ ବାହାରକୁ ବାହାରିବା ନିଷେଧ କରାଯାଇଛି। ବଡ଼ଦାଣ୍ଡ ବାହାରେ ଥିବା ଔଷଧ ଦୋକାନ, ବ୍ୟାଙ୍କ ସହ ଜରୁରୀକାଳୀନ ସେବା ଯୋଗାଉଥିବା କାର୍ଯ୍ୟାଳୟକୁ ଛାଡ଼ିଦେଲେ, ବାକି ସବୁ ଦୋକାନ ବଜାର, କାର୍ଯ୍ୟାଳୟ ବନ୍ଦ ରହିବ। କିନ୍ତୁ ବଡ଼ଦାଣ୍ଡରେ ସମସ୍ତ ଔଷଧ ଦୋକାନ, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଛି। କେବଳ ଜରୁରୀକାଳୀନ ସେବା ଯୋଗାଉଥିବା ସରକାରୀ କାର୍ଯ୍ୟାଳୟକୁ ଖୋଲିବାକୁ ଅନୁମତି ମିଳିଛିଆଜି ବଡ଼ଦାଣ୍ଡରେ ଏକାଧିକ ଥର ପୁଲିସ ମକ୍ଡ୍ରିଲ୍ କରାଯାଇଛି। ସିଂହଦ୍ବାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୁଲିସ ଓ ପାଟ୍ରୋଲିଂ ଭ୍ୟାନ୍ ପଇଁତରା ମାରିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ସେହିଭଳି ୩୨୩ଜଣ ଡିଏସ୍ପି, ଇନ୍ସପେକ୍ଟର, ଏସ୍ଆଇ, ଏଏସ୍ଆଇଙ୍କୁ ମୁତୟନ କରାଯାଇଛି। ୭୩୮ଜଣ ଗୃହରକ୍ଷୀଙ୍କୁ ବି ମୁତୟନ କରାଯାଇଛି। ପୁରୀ ଜିଲ୍ଲାର ୮ ପ୍ରବେଶ ପଥରେ ନାକାବନ୍ଦୀ କରାଯାଇଛି। ପୁରୀ ସହରର ତିନି ପ୍ରମୁଖ ପ୍ରବେଶ ପଥ ମଙ୍ଗଳାଘାଟ ଛକ, ବାଟଗାଁ ଛକ ଓ ଗ୍ରିଡ୍ ଷ୍ଟେସନ୍(ଭୂଦାନ) ଛକରେ ପ୍ରବେଶ ପଥ ସିଲ୍ କରାଯାଇଛି। ବାହାର ଲୋକଙ୍କୁ ପ୍ରବେଶରେ ରୋକ୍ ଲଗାଯାଇଛି। ଏଠାରେ ବ୍ୟାରିକେଡିଂ କରାଯାଇଛି। ଅନ୍ୟପଟେ ତିନି ରଥ ଆଜି ସିଂହଦ୍ବାର ଚକଡ଼ାରେ ପହଞ୍ଚିବା ପରେ ଏହାକୁ ବ୍ୟାରିକେଡିଂ କରି ରଖାଯାଇଛି। ବଡ଼ଦାଣ୍ଡରେ ମରିଚିକୋଟ ଛକ, ରାଜନଅରଠାରେ ବ୍ୟାରିକେଡିଂ କରି ରଥ ନିକଟକୁ ପ୍ରବେଶରେ ରୋକ୍ ଲଗାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/ce762f6e-8942-4a7a-9223-91ff82429dea.jpg)