୩୦ରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ, ସମସ୍ତ ପ୍ରବେଶ ପଥ ହେବ ସିଲ୍‌

ବଡ଼ଦାଣ୍ଡରେ ଘର ଘର ବୁଲି ସଦସ୍ୟ ସଂଖ୍ୟା ସର୍ଭେ କରିବ ପ୍ରଶାସନ

ପୁରୀ : ରଥଯାତ୍ରା ଭଳି ବାହୁଡ଼ାଯାତ୍ରା, ସୁନାବେଶ, ଅଧରନୀତି, ନୀଳାଦ୍ରି ବିଜେ ନୀତିକୁ କଟକଣା ଭିତରେ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଜୁନ୍‌ ୩୦ ରାତି ୧୦ଟାରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ଏହି କଟକଣା ଜୁଲାଇ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଦିନମାନଙ୍କରେ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍‌ କରାଯିବ। ବଡ଼ଦାଣ୍ଡରେ ଘର ଘର ବୁଲି ପ୍ରଶାସନ ସଦସ୍ୟ ସଂଖ୍ୟା ସର୍ଭେ କରିବ। ଏହି ସମୟ ଭିତରେ ପୁରୀ ଜିଲ୍ଲାବାସୀଙ୍କୁ ଘରୁ ନ ବାହାରିକୁ ଜିଲ୍ଲାପାଳ ବଲୱନ୍ତ ସିଂ ନିବେଦନ କରିଛନ୍ତି। ନିୟମ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏ ସଂପର୍କରେ ଅଧିକ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି, ପୁରୀ ଜିଲ୍ଲାବାସୀ ତଥା ଜନସାଧାରଣଙ୍କ ସହଯୋଗ ଯୋଗୁ ରଥଯାତ୍ରା ସୁରୁଖୁରୁରେ ଶେଷ ହୋଇଛି। ଜୁଲାଇ ୧ରେ ବାହୁଡ଼ା ଯାତ୍ରା, ଜୁଲାଇ ୨ରେ ସୁନାବେଶ, ଜୁଲାଇ ୩ରେ ଅଧରପଣା ନୀତି ଓ ଜୁଲାଇ ୪ରେ ନୀଳାଦ୍ରି ବିଜେ ନୀତି ରହିଛି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଏହି ସବୁ ନୀତି ବି ସୁରୁଖୁରୁରେ ଶେଷ ହେବ ବୋଲି ଆଶା କରିଛୁ। ଜିଲ୍ଲାବାସୀଙ୍କୁ ଏଥିରେ ସହଯୋଗ ପାଇଁ ନିବେଦନ କରୁଛି। ତଥାପି ସୁପ୍ରିମକୋର୍ଟଙ୍କ ଆଦେଶକୁ ମାନି ଜୁଲାଇ ୩୦ ରାତି ୧୦ଟାରୁ ପୂରା ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ଜୁଲାଇ ୧ ତାରିଖ ପୂରା ଦିନ ଏହି କର୍ଫ୍ୟୁ ବଳବତ୍ତର ରହିବ। ଜୁଲାଇ ୨ ତାରିଖ ରାତି ୧୦ଟା ପରେ ଏହି କଟକଣା ହଟାଯିବ।

ପୁରୀ ସହରରେ ଥିବା ହୋଟେଲ, ଧର୍ମଶାଳା, ଲଜ୍‌ ଆଦିଙ୍କୁ ନୋଟିସ୍‌ ଜାରି କରାଯାଇଛି। ୪ ତାରିଖ ପର୍ଯ୍ୟନ୍ତ ବୁକିଂ ବାତିଲ୍ କରିବାକୁ ନିର୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ଏହି ସମୟରେ ପର୍ଯ୍ୟଟକଙ୍କୁ ରଖିବା ଦିଗରେ କଟକଣା ଲଗାଯାଇଛି। ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବ। ବାହାର ପର୍ଯ୍ୟଟକଙ୍କୁ ପୁରୀ ଜିଲ୍ଲାରେ ପ୍ରବେଶର ଅନୁମତି ମିଳିବନି। ବଡ଼ଦାଣ୍ଡରେ ଥିବା ଘର, ମଠ, ମନ୍ଦିର, ମସ୍‌ଜିଦ, ଧାର୍ମିକ ଅନୁଷ୍ଠାନ ସବୁ ବୁଲି ପ୍ରଶାସନ ସର୍ଭେ କରିବ। ଆସନ୍ତାକାଲି ଠାରୁ ଏହି ସର୍ଭେ ଆରମ୍ଭ ହେବ। ପ୍ରଶାସନିକ ଅଧିକାରୀମାନେ ଘର ଘର ବୁଲି ସଦସ୍ୟ ସଂଖ୍ୟାର ତାଲିକା ପ୍ରସ୍ତୁତ କରିବେ। କୌଣସି ପରିସ୍ଥିତିରେ ବାହାର ଲୋକଙ୍କୁ ରହିବାକୁ ଅନୁମତି ଦିଆଯିବନି। ଯଦି କେହି ବାହାର ଲୋକଙ୍କୁ ଘରେ ରଖିଥାନ୍ତି, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର