ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରାରେ ଲାଗିବ ୧୪୪ ଧାରା, ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥ ବନ୍ଦ ରହିବ

ପୁରୀ: ଶ୍ରୀଜିଉମାନଙ୍କ ବାହୁଡ଼ା ଯାତ୍ରା ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀକ୍ଷେତ୍ରରେ ୪୮ ଘଣ୍ଟିଆ କର୍ଫ୍ୟୁ ସହିତ ସଟଡାଉନ୍ ଲାଗୁ ହେବ । ପୁରୀ ସହରରେ ଚଳିତ ମାସ ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ବଡ଼ଦାଣ୍ଡରେ ସାଧାରଣ ଲୋକ ଚଳପ୍ରଚଳ କରିପାରିବେ ନାହିଁ । ସେହିପରି ବଡ଼ଦାଣ୍ଡରେ ଥିବା କୋଠାର ଛାତ ଓ ବାଲକୋନିରେ ମଧ୍ୟ କେହି ରହିପାରିବେ ନାହିଁ । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି ।

ଧାରା ୧୪୪ ବଳବତ୍ତର ଥିବା ବେଳେ ବଡ଼ଦାଣ୍ଡକୁ କୌଣସି ଯାନବାହନ ଯାଇପାରିବ ନାହିଁ । ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ, ଲଜ, ଧର୍ମଶାଳା ଓ ଅତିଥି ଭବନ ୪୮ ଘଣ୍ଟା ପାଇଁ ବନ୍ଦ ରହିବ । ବଡ଼ଦାଣ୍ଡ ଅଂଚଳରେ କେତେ ଲୋକ ରହୁଛନ୍ତି, ପୁରୀ ନଗରପାଳିକା ତରଫରୁ ତାହାର ସର୍ଭେ ହେବ । ବଡ଼ଦାଣ୍ଡରେ ଥିବା ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଏପରିକି ଔଷଧ ଦୋକାନ ମଧ୍ୟ ବନ୍ଦ ରଖାଯିବ ।

ସେହିପରି ଜିଲ୍ଲାର ୮ଟି ପ୍ରବେଶ ପଥକୁ ବନ୍ଦ କରିଦିଆଯିବ । ଅନ୍ୟ ଜିଲ୍ଲାରୁ ପୁରୀକୁ ଲୋକେ ଯାଇପାରିବେ ନାହିଁ । ପୁରୀ ସହରକୁ ସଂଯୋଗ କରୁଥିବା ୩ଟି ପ୍ରବେଶ ପଥ ଯଥା, ବାଟଗାଁ, ମଙ୍ଗଳାଘାଟ ଓ ଗ୍ରୀଡ ଷ୍ଟେସନ ଛକ ସିଲ କରାଯିବ । ପୁରୀ ଜିଲ୍ଲାର ଲୋକଙ୍କୁ ମଧ୍ୟ ସହର ଭିତରକୁ ପ୍ରବେଶ ମିଳିବ ନାହିଁ । ପୁରୀ ସହରରେ ଗ୍ରାଣ୍ଡରୋଡ ବ୍ୟତୀତ ଅନ୍ୟ ସ୍ଥାନରେ କେବଳ ଔଷଧ ଦୋକାନ ଖୋଲିବ ।

ସମ୍ବନ୍ଧିତ ଖବର