ସମ୍ବଲପୁର: ସମ୍ବଲପୁର ସହରରେ ଶୁକ୍ରବାର ରାତିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ ହୋଇଛି। ସମ୍ବଲପୁର ଉପଜିଲ୍ଲାପାଳ ଏକ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି। ଆଜି ରାତି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି। କୌଣସି ବ୍ୟକ୍ତିବିଶେଷ ଘରୁ ବାହାରିବାକୁ ବାରଣ କରାଯାଇଛି। ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହେବା ପରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି। ସମ୍ବଲପୁର ଏସପି ବି.ଗଙ୍ଗାଧର ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କଡ଼ା ସୁରକ୍ଷା ଭିତରେ ବହୁ ପ୍ରତୀକ୍ଷିତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମ୍ବଲପୁର ସହର ଭିତରେ ଆୟୋଜନ କରାଯାଇଛି। ସନ୍ଧ୍ୟା ପ୍ରାୟ ୬ଟାରେ ଏହି ଶୋଭାଯାତ୍ରା ଧନକଉଡ଼ା ଠାରୁ ବାହାରିଛି। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ଥିବା ବେଳେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଏସ୍ପି ବାତୁଲା ଗଙ୍ଗାଧର ଉପସ୍ଥିତ ଅଛନ୍ତି।
ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ ଶୋଭାଯାତ୍ରା ପୂର୍ବରୁ ଡ୍ରୋନ୍ ଉଡ଼ିଛି। ଗତ ବୁଧବାର ଦିନ ସନ୍ଧ୍ୟା ସମୟରେ ଏକ ସଂଗଠନ ପକ୍ଷରୁ ଆୟୋଜିତ ରାଲି ଉପରକୁ ପଥରମାଡ଼ ଘଟଣା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଆଜି ରାଲି ସ୍ଥାନରେ ଆକାଶରେ ଡ୍ରୋନ୍ ଉଡୁଛି। ସମ୍ଭାବିତ ଆକ୍ରମଣକୁ ଦୃଷ୍ଟିରେ ରଖି ଡ୍ରୋନ୍ ଉଡାଇବା ବ୍ୟବସ୍ଥା କରାଯାଇଛି। ବୁଧବାର ସନ୍ଧ୍ୟାରେ ସଂଗଠିତ ଆକ୍ରମଣ ଘଟଣାରେ ପୁଲିସ ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଛାନ୍ଭିନ୍ ଜାରି ରଖିଛି ବୋଲି ସମ୍ବଲପୁର ଏସ୍ପି ବାତୁଲା ଗଙ୍ଗାଧର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
ରାଲି ପୂର୍ବରୁ ସମ୍ବଲପୁରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସୁରକ୍ଷା କଡ଼ାକଡ଼ି କରିବା ପାଇଁ ସହରରେ ୪୩ ପ୍ଲାଟୁନ୍ ପୁଲିସ ଫୋର୍ସ, ୨୬ ଡିଏସ୍ପି, ୩୦ ଇନ୍ସପେକ୍ଟର, ୭୦ ଜଣ ଏସ୍ଆଇ/ଏଏସ୍ଆଇ ମୁତୟନ ଅଛନ୍ତି। ଏତଦ୍ ବ୍ୟତୀତ ୨୦ ପାଟ୍ରୋଲିଂ ଦଳ ସହରରେ ବୁଲୁଛନ୍ତି। ଗୁଇନ୍ଦା ପୁଲିସ ସାଦା ପୋଷାକରେ ଦୁର୍ବୃତ୍ତମାନଙ୍କ ଉପରେ ନଜର ରଖିଛି। ସହରର ଗଳିକନ୍ଦିରେ ପୁଲିସ ବାଇକ୍ରେ ବୁଲି ପାଟ୍ରୋଲିଂ କରୁଛି। ସହରର ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ଲାଗିଛି। କୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ଜଣାପଡ଼ିବ ଓ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ପୁଲିସ କହିଛି।