ଟିଟିଲାଗଡ଼ରେ ଆଜି କର୍ଫ୍ୟୁ

ଟିଟିଲାଗଡ଼ : ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟ ବାହାରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶାକୁ ଆଣିବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ରବିରାର ଦୁଇଟି ସ୍ୱତନ୍ତ୍ର ଟ୍ରେନରେ ସହସ୍ରାଧିକ ପ୍ରବାସୀ ଶ୍ରମିକ ଟିଟିଲାଗଡ଼ ପହଞ୍ଚିବେ ବୋଲି ଜଣାପଡ଼ିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଭୟର ସଞ୍ଚାର ‌ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଟିଟିଲାଗଡ଼ ସହରରେ ରବିବାର ସକାଳ ୯ଟାରୁ ରାତି ୧୨ଟା ଯାଏ କର୍ଫ୍ୟୁ ଜାରି କରାଯାଇଛି।

ରବିବାର ମହାରାଷ୍ଟ୍ରର ପନବେଲ ଅଞ୍ଚଳ ତଥା ଦକ୍ଷିଣ ଭାରତରୁ ଦଇଟି ସ୍ୱତନ୍ତ୍ର ଟ୍ରେନରେ ପ୍ରାୟ ୧୨ ଶହ ଲେଖାଏଁ ଶ୍ରମିକ ଟିଟିଲାଗଡ଼ ପହଞ୍ଚିବେ। ଶ୍ରମିକମାନେ ଏଠାରେ ପହଞ୍ଚିବା ପରେ ଅସ୍ଥାୟୀ ଆଶ୍ରୟସ୍ଥଳରେ ପ୍ରଥମେ ପଞ୍ଜୀକରଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେମାନଙ୍କ ଖାଇବା ବ୍ୟବସ୍ଥା କରାଯିବା ପରେ ବସ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯିବ। ଏହି ଶ୍ରମିକମାନେ ଯେପରି ସୁରୁଖୁରୁରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ ଓ କେହି ଅନଧୀକୃତ ଭାବେ ପ୍ରଶାସନର ନଜରରୁ ବାହାରକୁ ନଯିବେ ତାକୁ ନିଶ୍ଚିତ କରିବା ପାଇଁ ଷ୍ଟେସନ ପରିସରରେ ସିସିଟିଭି ଓ‌ ଡ୍ରୋନ୍‌ କ୍ୟାମେରାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସ୍ଥାନୀୟ ପୁଲିସ, ଆର୍‌ପିଏଫ ତଥା ସରକାରୀ ରେଳବାଇ ପୁଲିସ ମଧ୍ୟ ମୁତୟନ ହେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର