କର୍ଫ୍ୟୁ ଉଠିଲା, ସକାଳ ଯାଏ ୧୪୪

ସହରରେ ଶାନ୍ତି ଶୋଭାଯାତ୍ରା, ବିଜେପି ନେତାଙ୍କ ଗସ୍ତକୁ ନେଇ ଉତ୍ତେଜନା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସହରରୁ କର୍ଫ୍ୟୁ ଉଠାଇ ଦିଆଯାଇଛି। ଦୁଇ ଦିନ ଧରି ଲାଗି ରହିଥିବା ଉତ୍ତେଜନା କିଛିଟା ହ୍ରାସ ପାଇଥିବା ବେଳେ ଆଜି ଶାନ୍ତି ବଜାୟ ରଖିବା ପାଇଁ ସହରରେ ଶୋଭାଯାତ୍ରା ଆୟାଜନ କରାଯାଇଛି। ସାଧାରଣ ଜୀବନଯାତ୍ରା ବି ସ୍ବାଭାବିକ ହୋଇଛି। କିନ୍ତୁ ସହରରେ ଆସନ୍ତକାଲି ସକାଳ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସତର୍କତାମୂଳକ ବ୍ୟବସ୍ଥା ସ୍ବରୂପ ଉତ୍ତେଜନାପ୍ରବଣ ସ୍ଥାନରେ ପୁଲିସ୍‌ ଟିମ୍‌ ମୁତୟନ କରାଯାଇଛି। କିନ୍ତୁ ଯେଉଁ ସ୍କୁଲ ପଡିଆରେ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା, ସେହି ପଡିଆକୁ ଆଜି ବିଜେପିର ବରିଷ୍ଠ ନେତାମାନେ ଯିବା ଘଟଣାକୁ ନେଇ ଉତ୍ତେଜନା ସୃ‌ଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଅବଶ୍ୟ ପରିସ୍ଥିତି ଶାନ୍ତ ପଡିଥିଲା।

ଆଜି ସକାଳ ୮ଟାରେ ସହରରୁ କର୍ଫ୍ୟୁ ଉଠିଯିବା ପରେ ଦୋକାନବଜାର ଖୋଲିଥିଲା। ଲୋକେ ସ୍ବାଭାବିକ ଭାବେ ଚଳପ୍ରଚଳ କରିଥିଲେ। ସ୍କୁଲ, କଲେଜ ଖୋଲା ରହିଥିଲା। ସକାଳ ୯ଟାରେ ପୁରୁଣା ବସଷ୍ଟାଣ୍ଡ ନିକଟରୁ ଶାନ୍ତି ଶୋଭାଯାତ୍ରା ବାହାରିଥିଲା। ଏଥିରେ ଜିଲ୍ଲାପାଳ ଦାଶରଥୀ ଶତପଥୀ, ଏସ୍‌ପି ନିତି ଶେଖର, ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର, ଅତିରିକ୍ତ ଏସ୍‌ପି ଅରୁଣ ଜେନା, ବିକାଶ ଚନ୍ଦ୍ର ଦାସ, ଏସ୍‌ଡ଼ିପିଓ ରାଜୀବ ଲୋଚନ ପଣ୍ତା, ଡିଏସ୍‌ପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ସିପିଆଇ(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ଅଧୢାପକ ଅଜୟ କୁମାର ରାଉତ, ସେକ୍‌ ଚନ୍ଦନ, ରମଣି ର˚ଜନ ରାଉତ, ଭଜକୃଷ୍ଣ ରାଉତ, ଯୁବ ବିଜେଡ଼ି ସଭାପତି ରାଜେଶ ପଣ୍ତା, ହିରଣ୍ୟ କୁମାର ପଣ୍ତା, ବାବାଜୀ ଧଳ, ଆକବର ଅଲ୍ଲୀ, ସେକ୍‌ ଆସଲାମ୍‌, ସମାଜସେବୀ ସମୀର କୁମାର ଚାନ୍ଦ୍‌, ସେକ୍‌ ମତୁ, ସେକ୍‌ ଚନ୍ଦନ, ଅବଦୁଲ ସତ୍ତାର ଖାଁ, ମହମ୍ମଦ ସଲିମ୍‌ ଖାଁ, ମୁଜିବୁର ବକ୍ସ, ଟାଉନ୍‌ ଥାନା ଆଇଆଇସି ତପନ କୁମାର ନାୟକ, ମାର୍ଶାଘାଇ ଆଇଆଇସି କାଳନ୍ଦୀ ବେହେରା, ମାଧବ ଦାସ, ଉମେଶ ଚନ୍ଦ୍ର ସି˚ହ, ବିଜୟ କୁମାର ମଣ୍ତଳଙ୍କ ସମେତ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ସାମିଲ ହୋଇ ନୂଆ ବସ୍‌ଷ୍ଟାଣ୍ତ ପର୍ଯ୍ୟନ୍ତ ଆସିଥିଲେ। ସହରରେ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ସହରବାସୀଙ୍କୁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ ।

ଅନ୍ୟପଟେ ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ସ˚ଜୟ କୁମାର ମିଶ୍ର କହିଛନ୍ତି ଯେ ସହରରୁ କର୍ଫ୍ୟୁ ଉଠାଇ ଦିଆଯାଇଛି। କିନ୍ତୁ ୧୪୪ ଧାରା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ସମ୍ପର୍କରେ ବିଧିବଦ୍ଧ ଭାବେ ମାଇକ୍‌ରେ ପ୍ରଚାର କରାଯିବ। କୌଣସି ସ୍ଥାନରେ ୪ରୁ ଅଧିକ ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକାଠି ହେଲେ ଏବ˚ ସନ୍ଦେହଜନକ ଗତିବିଧି ନଜରକୁ ଆସିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହରରେ ଶାନ୍ତି ବଜାୟ ରଖିବା ସହ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଉପଜିଲ୍ଲାପାଳ ନିବେଦନ କରିଛନ୍ତି।

କିନ୍ତୁ ଦିନ ପ୍ରାୟ ସାଢେ ଗୋଟାଏ ବେଳେ ବିଜେପିର ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଦିଲୀପ ମଲ୍ଲିକ, ଭୁବନ ମୋହନ ଜେନା, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା, ଜିଲ୍ଲା ସମ୍ପାଦକ ଗୀତାରାଣୀ ସେଠୀ, ସୁନାକର ବେହେରା ପ୍ରମୁଖ ଟାଉନ ହାଇସ୍କୁଲ ପଡ଼ିଆରେ ପହଞ୍ଚି ଥିଲେ। ଏହି ସମୟରେ କେତେକ ଯୁବକ ପଡ଼ିଆରେ କାହିଁକି ଗାଡ଼ି ପଶିଲା ବୋଲି କହି ବାଇକ୍‌ ଧରି ରାସ୍ତା ଉପରେ ଏକଜୁଟ ହୋଇ ପାଟିତୁଣ୍ଡ କରିଥିଲେ। ସେହି ପଡିଆରେ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସେଠାକୁ ବିଜେପି ନେତା ଯିବାକୁ ନେଇ ସେମାନେ ପ୍ରଶ୍ନ ଉଠାଇଥିଲେ। ତେବେ ସଂପୃକ୍ତ ଯୁବକମାନଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିଲା। ପରେ ବିଜେପିର ଏହି ପ୍ରତିନିଧି ଦଳ ଏସ୍‌ପି ନିତି ଶେଖରଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ। ସେଠାରୁ ଫେରିବା ପରେ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ, ରାଜ୍ୟ ସରକାର ଏପରି ଏକ ଦଙ୍ଗା ଭିଆଇ ଏହାର ସମାଧାନ ନିଜେ କରିବା ବାହାନାରେ ଭୋଟରଙ୍କ ମନ ଜିଣିବାକୁ ଚାହିଁଥିବା ସ୍ପଷ୍ଟ ଜଣାପଡ଼ୁଛି। ଏହି ଘଟଣାରେ ସଂପୃକ୍ତ ଗଣ୍ତଗୋଳକାରୀଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଥିଲେ। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ କହିଥିଲେ ଯେ, ଭଦ୍ରକ ରାମନବମୀ ଘଟଣା କେନ୍ଦ୍ରାପଡ଼ାରେ ପୁନରାବୃତ୍ତି ହେଲା। କିନ୍ତୁ ଜିଲ୍ଲାର ୧୫ ଲକ୍ଷ ଲୋକ ବନ୍ଦକୁ ସଫଳ କଲେ। ସରକାର କିପରି ନିନ୍ଦିତ ହୋଇଛନ୍ତି ତାହା ଏହାର ପ୍ରମାଣ ବୋଲି ଶ୍ରୀ ସାମଲ କହିଥିଲେ।

ସମ୍ବନ୍ଧିତ ଖବର