କଟକ: କଟକ ସହରରୁ ଆଜି ସକାଳୁ କର୍ଫ୍ୟୁ ଉଠାଇ ଦିଆଯାଇଛି। ସନ୍ଧ୍ୟା ୭ଟାରୁ ଇଣ୍ଟରନେଟ୍ ସେବା ବି ସ୍ବାଭାବିକ ହୋଇଛି। କିନ୍ତୁ ସହରବାସୀଙ୍କ ମନରେ ଏବେ ବି ଭୟ, ଆଶଙ୍କା ଲାଗି ରହିଛି। ଦୋକାନବଜାର ଖୋଲିବା ସହିତ ଗାଡ଼ି ଚଳାଚଳ ସ୍ବାଭାବିକ ସ୍ଥିତିକୁ ଫେରିବା ଆରମ୍ଭ କରିଥିଲେ ବି ଅଧିକାଂଶ ସ୍ଥାନରେ ଅଧା ଦୋକାନ ଖୋଲିଥିବା ବେଳେ ଅଧା ବନ୍ଦ ରହିଛି। ତେବେ ଗଣ୍ଡଗୋଳ ଘଟିଥିବା ଦରଘାବଜାର ଅଞ୍ଚଳ ସମେତ ଗୌରୀଶଙ୍କର ପାର୍କ, ତିନିକୋଣିଆ ବଗିଚା, ବକ୍ସିବଜାର, ମଣିସାହୁ ଛକ, ହାତୀପୋଖରୀ, ଗଙ୍ଗାମନ୍ଦିର, ରହେମାନ ଛକ ଅଞ୍ଚଳରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲି ନାହିଁ। ସେହି ଅଞ୍ଚଳରେ ପୁଲିସର ସବୁଠୁ ଅଧିକ ପହରା ଲାଗିଛି। ରାତି ୧୦ଟା ପରେ ସହରରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯିବ। ରାତିରେ ପୁଲିସର ୨୦ଟି କନ୍‌ଭଏ ପଇଁତରା ମାରିବ। ପ୍ରତି ଗାଡ଼ିରେ ଜଣେ ଏସିପି କିମ୍ବା ଆଇଆଇସିଙ୍କ ସହିତ ଦୁଇ ଜଣ ପୁଲିସ କର୍ମଚାରୀ ରହିବେ। ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଥାନା ପୁଲିସଙ୍କୁ ନେଇ ୨୦ ଜଣିଆ ପୁଲିସ ଟିମ୍ ଗଠନ ହୋଇଛି। ଏମାନେ ମୁଖ୍ୟତଃ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବେ। ଅନ୍ୟପଟେ ରବିବାର ଦିନ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ଆଜି ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ମୋଟ ଗିରଫ ସଂଖ୍ୟା ୨୦ରେ ପହଞ୍ଚିଛି।

Advertisment

ତଥାପି ଭୟ, ଆଶଙ୍କାରେ ଜନତା
ରାତି ୧୦ଟାରୁ ବନ୍ଦ ରହିବ ସବୁ ବ୍ୟବସାୟିକ ପ୍ରତିଷ୍ଠାନ
ରାତିରେ ପଇଁତରା ମାରିବ ପୁଲିସର ୨୦ କନ୍‌ଭଏ

ଆଜି ସକାଳେ ପୁଲିସ କମିସନର ଏସ୍‌.ଦେବଦତ୍ତ ସିଂହ ଓ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଦରଘାବଜାର ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଥିଲେ। ସମୀକ୍ଷା ପରେ କର୍ଫ୍ୟୁ କଟକଣା ଉଠାଇ ଦିଆଯାଇଥିଲେ ବି ୧୩ଟି ଥାନା ଅଞ୍ଚଳରେ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ। ଏମାନଙ୍କ ସହିତ କେନ୍ଦ୍ରୀୟ ଫୋର୍ସ ୮ କମ୍ପାନି ଅର୍ଥାତ୍‌ ୨୪ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ। ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ଦରଘାବଜାର ଥାନା ନିକଟରେ ରହିବ। ସମ୍ପୂର୍ଣ୍ଣ ସ୍ଥିତି ସୁଧାର ଯାଏଁ ମୁତୟନ ହୋଇ ରହିବେ। ଦରଘାବଜାର ଥାନା ସମେତ ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍‌-୨, ମାଲଗୋଦାମ, ବାଦାମବାଡ଼ି, ଜଗତପୁର, ବୟାଳିଶମୌଜା, ସଦର ଥାନା ଅଞ୍ଚଳରେ ଏହି ଫୋର୍ସ ମୁତୟନ ରହିବାକୁ ନିଷ୍ପତ୍ତି ହୋଇଛି। ସିସି କ୍ୟାମେରା ଫୁଟେଜ୍‌ ଓ ମୋବାଇଲ୍‌ରେ ରେକର୍ଡ ହୋଇଥିବା ଭିଡିଓଗୁଡ଼ିକ ଦରଘାବଜାର ଥାନା ପୁଲିସ ଜବତ କରିଛି। ପ୍ରତ୍ୟେକ ଥାନା ଆଇଆଇସିମାନେ ଏହି ଭିଡିଓ ସଂଗ୍ରହରେ ନିୟୋଜିତ ରହି ଗଣ୍ଡଗୋଳରେ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରୁଛନ୍ତି।