ବାଲେଶ୍ବର: ସୋମବାର ବାଲେଶ୍ବର ସୁନହଟ ଅଞ୍ଚଳରେ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଘଟିବା ପରେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେଉଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁକୁ ଆସନ୍ତାକାଲି ୪ ଘଣ୍ଟା ପାଇଁ କୋହଳ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି। ସକାଳ ୭ଟାଠାରୁ ଦିନ ୧୧ଟା ପର୍ପ୍ୟନ୍ତ କୋହଳ ରହିବ। ଏହାସହିତ କେବଳ ଲ୍ୟାଣ୍ଡଲାଇନ୍ ଫୋନ୍ରେ ଇଣ୍ଟରନେଟ୍ ସେବା ମିଳିବ। ପ୍ରଥମ ପର୍ଯ୍ୟାୟ ବ୍ୟାଙ୍କ ସମେତ ବ୍ୟାବସାୟିକ ପ୍ରତିଷ୍ଠାନକୁ ଇଣ୍ଟରନେଟ୍ ସେବାମିଳିବ। ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ୍ ସେବାପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ୍, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପରିସ୍ଥିତିକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଉଦ୍ୟମ କରାଯାଉଛି। ଆଜି ହିଂସା ମାମଲାରେ ଉଭୟ ଗୋଷ୍ଠୀ ପକ୍ଷରୁ ରୁଜୁ ହୋଇଥିବା ୭ଟି ମାମଲାରେ ପୁଲିସ ୩୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାଛଡ଼ା କର୍ଫ୍ୟୁ ଆଇନ୍ ଉଲ୍ଲଂଘନ ଯୋଗୁଁ ସହରର ବିଭିନ୍ନ ଥାନାରେ ୩୦ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସହରର ସମ୍ବେଦନଶୀଳ ଅଞ୍ଚଳ ସୁନହଟ, ପାତ୍ରପଡ଼ା, ପୁରୁଣା ବାଲେଶ୍ବର, ଗୋଳାପୋଖରୀ, ସୁଏଲପୁର, ସିନେମାଛକ, ମୋତିଗଞ୍ଜ ବଜାର ପ୍ରଭୃତି ସ୍ଥାନରେ ସଶସ୍ତ୍ର ପୁଲିସ ଫୋର୍ସ ଘନଘନ ପଇଁତରା ମାରିବା ସହ ପୂରା ସହରକୁ କଡ଼ା ସୁରକ୍ଷା ବଳୟରେ ରଖିଛନ୍ତି। ସଂପୃକ୍ତ ଅଞ୍ଚଳରେ ପୁଲିସ ଫୋର୍ସ ସହ ଜିଲ୍ଲାପାଳ ଆଶିଷ ଠାକ୍ରେ ଓ ଏସ୍ପି ସାଗରିକା ନାଥ ଫ୍ଳାଗ୍ମାର୍ଚ୍ଚରେ ସାମିଲ ହୋଇ ଲୋକମାନଙ୍କୁ ଶାନ୍ତି, ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ନିବେଦନ କରିଛନ୍ତି।
ହିଂସା ମାମଲାରେ ୩୪ ଗିରଫ
ସାନ୍ଧ୍ୟ ଆଇନ ଉଲ୍ଲଂଘନରେ ୩୦ରୁ ଅଧିକ ଅଟକ
ସମ୍ବେଦନଶୀଳ ଅଞ୍ଚଳକୁ ଜଗିଛନ୍ତି କେନ୍ଦ୍ରୀୟ ଫୋର୍ସ
ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ କୁମାର ଦତ୍ତ, ପୂର୍ବତନ ବିଧାୟକ ସ୍ବରୂପ କୁମାର ଦାସ, କଂଗ୍ରେସ ଜିଲ୍ଲା ସଭାପତି ସଞ୍ଜୀବ ଗିରିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜୀବୀ ଓ ସାମାଜିକ ସଙ୍ଗଠନ ମଧ୍ୟ ସହରରେ ଶାନ୍ତି, ଭାଇଚାରା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ସଂପୃକ୍ତ ଅଞ୍ଚଳରେ ସ୍ଥିତି ସ୍ବାଭାବିକ ହୋଇଥିଲେ ମଧ୍ୟ ସମ୍ବେଦନଶୀଳ ଅଞ୍ଚଳକୁ ୪୩ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୬ କମ୍ପାନି କେନ୍ଦ୍ରୀୟ ଫୋର୍ସ ଘେରି ରହିଛନ୍ତି। ସେହିପରି, ଇଣ୍ଟରନେଟ୍ ସେବା ବନ୍ଦ ରହିଥିବାରୁ ଅନ୍ଲାଇନ୍ କାରବାର ପ୍ରଭାବିତ ହୋଇଛି। ଏଟିଏମ୍ ସେବା ଚାଲୁ ରହିଥିଲେ ହେଁ କର୍ଫ୍ୟୁ କାରଣରୁ ଲୋକେ ଟଙ୍କା ଉଠାଇ ପାରୁନାହାନ୍ତି। ଗତକାଲି ଅତିରିକ୍ତ ଡିଜି (ଆଇନଶୃଙ୍ଖଳା) ସଞ୍ଜୟ କୁମାର, ହେଡ୍କ୍ବାର୍ଟର ଆଇଜି ବି.ଯୁଗଳକିଶୋର, ପୂର୍ବାଞ୍ଚଳ ପୁଲିସ ଆଇଜି ଦୀପକ କୁମାର, ହେଡ୍କ୍ବାର୍ଟର ଏସ୍ପି ବି.ଗଙ୍ଗାଧର, ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍ରେ, ଏସ୍ପି ସାଗରିକା ନାଥ ପ୍ରମୁଖ ସ୍ଥିତି ଉପରେ ସମୀକ୍ଷା କରି କର୍ଫ୍ୟୁ ଅବଧି ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢ଼ାଇଥିଲେ। ତେବେ ଆସନ୍ତାକାଲି ୪ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକ୍ରେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/gdjgjddgjdgj.jpg)