ଆସନ୍ତାକାଲି ସକାଳେ କେନ୍ଦ୍ରାପଡ଼ା ସହରରୁ ହଟିବ କର୍ଫ୍ୟୁ

କେନ୍ଦ୍ରାପଡା : ଗତକାଲି କେନ୍ଦ୍ରାପଡ଼ାରେ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ କାର୍ଯ୍ୟକ୍ରମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ାରେ ଜାରି କରାଯାଇଥିବା କର୍ଫ୍ୟୁ ଆସନ୍ତାକାଲି ସକାଳ ୬ଟାରେ ହଟାଯିବ ବୋଲି ସୂଚନା ମିଳିଛି। ଏ ନେଇ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଶାନ୍ତି କମିଟିରେ ନିଷ୍ପତ୍ତି ନିଆଯାଇଛି। ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ଆସନ୍ତାକାଲି ସକାଳ ୯ଟାରେ ଏକ ଶୋଭାଯାତ୍ରା ବାହାରିବ ବୋଲି ସୂଚନା ମିଳିଛି। ଏହି ଶାନ୍ତି କମିଟି ବୈଠକରେ ଆରଡିସି ମହେନ୍ଦ୍ର କୁମାର ମଲିକ, ଶକ୍ତି ସଚିବ ହେମନ୍ତ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇଥିଲେ। ଏଥିସହିତ ଏହି ବୈଠକରେ ବିଭିନ୍ନ ଦଳର ନେତା, ବିଧାୟକମାନେ ମଧ୍ୟ ଯୋଗଦେଇଥିଲେ। ଆଜିର ଏହି ବୈଠକରେ ଉଭୟ ପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଦାଶରଥି ଶତପଥୀ ସୂଚନା ଦେଇଛନ୍ତି। ଏଥିସହିତ ଆସନ୍ତାକାଲି କେନ୍ଦ୍ରାପଡ଼ାରେ ସମସ୍ତ ସ୍କୁଲ, କଲେଜ ଖୋଲିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଗତକାଲି ଏକ କାର୍ଯ୍ୟକ୍ରମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦରୁ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ସରରରେ ୧୪୪ ଧାରା ଜାରି କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ଛକରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆଜି ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ସମଗ୍ର ସହରରେ ଦୋକାନ ବଜାର ବନ୍ଦ ରହିଥିଲା। କୌଣସି ଅଘଟଣ ଆଶଙ୍କାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ସହରରେ କର୍ଫ୍ୟୁ ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର