ସମ୍ବଲପୁର: ପରିସ୍ଥିତି ସୁଧୁରିବା ପରେ ଜିଲ୍ଲା ପ୍ରଶାସନ ହିଂସାଗ୍ରସ୍ତ ସହର ସମ୍ବଲପୁରରେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରିଛି। ସୋମବାରଠାରୁ କର୍ଫ୍ୟୁ ସକାଳ ୭ଟା ୩୦ରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ୪ ଘଣ୍ଟା ଓ ଦିନ ୩ଟା ୩୦ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅଢ଼େଇ ଘଣ୍ଟା କୋହଳ ରହିବ। ଅର୍ଥାତ୍ ଦିନ ଭିତରେ ମୋଟ ୬ ଘଣ୍ଟା ୩୦ ମିନିଟ୍ ଧରି ଲୋକେ ବାହାରରେ ଚଳପ୍ରଚଳ କରିପାରିବେ। ଏ ନେଇ ସଦର ଉପଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ କେବଳ ଆବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ଓ ଅତି ଜରୁରୀ ଆବଶ୍ୟକତା ଥିଲେ ହିଁ ଘରୁ ବାହାରକୁ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
କର୍ଫ୍ୟୁ ପାଇଁ ବ୍ୟାଙ୍କ, ଡାକସେବା, ସମସ୍ତ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ବନ୍ଦ ଥିବାରୁ ଅକାରଣରେ ଘରୁ ନ ବାହାରିବା ପାଇଁ କହାଯାଇଛି। ଅପରପକ୍ଷରେ ଜିଲ୍ଲାରେ ଇଣ୍ଟରନେଟ୍ କଟକଣା ବୃଦ୍ଧି ପାଇବା ସମ୍ଭାବନା ରହିଛି। ସୋମବାର ଦିନ ୧୦ଟାରେ ଇଣ୍ଟରନେଟ୍ କଟକଣା ସମୟ ଶେଷ ହେବାକୁ ଯାଉଛି। ଦୀର୍ଘ ୯୬ ଘଣ୍ଟା, ଅର୍ଥାତ୍ ୪ ଦିନ ଧରି ସମ୍ବଲପୁର ଜିଲ୍ଲାବାସୀ ଇଣ୍ଟରନେଟ୍ ନପାଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ଇଣ୍ଟରନେଟ୍ ସହ ଗୁଜବ ବ୍ୟାପିବାର ଆଶଂକା ଜଡ଼ିତ ଥିବାରୁ ସବୁ ଅସୁବିଧା ସତ୍ତ୍ବେ ପ୍ରଶାସନ ଇଣ୍ଟରନେଟଟ୍ କଟକଣା ସମୟ ବୃଦ୍ଧି କରିବା ଉପରେ ବିଚାର କରୁଛି। ଜିଲ୍ଲାରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି କରିବାକୁ ସରକାରଙ୍କୁ ସୁପାରିସ କରାଯାଇଛି ବୋଲି ଜିଲ୍ଲାପାଳ ଅନନ୍ୟା ଦାସ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।