ତଳେ ପ୍ରାଚୁର୍ଯ୍ୟ ଉପରେ ସମସ୍ୟାର ପାହାଡ, ଖଣି ଅଞ୍ଚଳର ଅଭିଶପ୍ତ ଜୀବନ

ରାଉରକେଲା: ପ୍ରାକୃତିକ ଖଣିଜ ସମ୍ପଦ ଭରା ସୁନ୍ଦରଗଡର କୋଇଡା ବ୍ଳକ। ୧୫ ପଞ୍ଚାୟତ ବିଶିଷ୍ଟ ବ୍ଲକରେ ପୁରି ରହିଛି ମାଳ ମାଳ ଖଣି। ରେଳ ସାଇଡିଂ। ତଳେ ବହୁମୂଲ୍ୟ ପ୍ରାକୃତିକ ସମ୍ପଦ କିନ୍ତୁ ଉପରେ ସମସ୍ୟାର ପାହାଡ। ୭ ଦଶନ୍ଧି ଧରି ଉତ୍ତୋଳନ ହେଉଛି ଲୁହାପଥର। କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଉତ୍ତୋଳନ କରି ମାଲେମାଲ୍‌ ହେଉଛନ୍ତି ଖଣି ମାଲିକ। ସୁଦୃଢ଼ ହେଉଛି ରାଜ୍ୟର ଆର୍ଥିକ ସ୍ଥିତି। ରାଜ୍ୟର ଆର୍ଥିକ ବିକାଶର ପଥକୁ ଆଗେଇ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଞ୍ଚଳର ବିକାଶ ଯେମିତି ଠପ୍‌ । ଗରିବ ଆହୁରି ଗରିବ ହେଉଛି ଧନୀ ଆହୁରି ଧନୀ । ଆଦିବାସୀ ଓ ମୁଣ୍ଡା ଜନଜାତିଙ୍କ ଉତ୍ଥାନ ବଦଳରେ ପତନ ହୋଇଛି। ଖଣି ଗନ୍ତାଘର ଥାଇ ମଧ୍ୟ ବାହାରକୁକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଯିଏ ରହିଗଲେ ସେ ଅନ୍ଧବିଶ୍ୱାସର ଅନ୍ଧାରରେ ଛନ୍ଦି ହୋଇ ଦିଗହରା ହେଉଛନ୍ତି। ଅଞ୍ଚଳର ବିକାଶକୁ ଅଗ୍ରାଧିକାର ଦିଆଯାଉଥିବା ସରକାର ଡିଣ୍ଡିମ ପିଟିଛନ୍ତି। ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ଆଜି ଯାଏ ଅଧିକାଂଶ ଅଞ୍ଚଳରେ ଦୂର ‌ହୋଇପାରିନି ମୌଳିକ ସମସ୍ୟା। ସତେ ଯେପରି ଭୂତଳର ଖଣିଜ ସମ୍ପଦ ଅଞ୍ଚଳବାସୀଙ୍କ ପାଇଁ ପାଲଟିଯାଇଚି ଅଭିଶାପ ।

ଅଭିଶପ୍ତ ହୋଇଯାଇଛି ଜନ ଜୀବନ। ସରକାରଙ୍କ ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ ଖଣି ଅଞ୍ଚଳର ଉତ୍ପାଦନ ବୃଦ୍ଧି ଦ୍ବାରା ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ହେବା ଜରୁରୀ। ହେଲେ ବିକାଶ ହେବା ବଦଳରେ ଜିଲ୍ଲା ସଦରମହକୁମା, ରାଜଧାନୀର ରାଜରାସ୍ତା ଓ ରାଜନେତାଙ୍କ ରାଜଉଆସ ସବୁ ଚକ୍ ଚକ୍ ହେଉଛି। ଖଣି ଖନନ ପରେ ଅଞ୍ଚଳର ପାହାଡ ଜଙ୍ଗଲ ସବୁ ଥୁଣ୍ଟା ମରୁଭୂମି ସଦୃଶ୍ୟ ହୋଇଛି। ସେପଟେ ଦୈନିକ ହଜାର ହଜାର ଟ୍ରକ, ଟିପ୍ପର କୋଇଡାରୁ ବିଭିନ୍ନ ସାଇଡିଂ ଓ ପ୍ଲାଣ୍ଟ ଆଭିମୁଖେ ଯାଉଛି। ଗାଡିରୁ ବାହାରୁଥିବା ଧୁଆଁ ଓ ଚକତଳେ ପେସି ହୋଇ ଲାଲ ଧୁଳି ବର୍ତ୍ତମାନ ଭୟଙ୍କର ରୁପ ନେଉଛି। ସମଗ୍ର ଅଞ୍ଚଳରେ ଏବେ ଲାଲ ରଙ୍ଗର ଆସ୍ତରଣ ଆଚ୍ଛାଦିତ। ଖାଲି ବାୟୁ ପ୍ରଦୁଷଣ ନୁହେଁ ଏଠାକାର ପାନୀୟ ଜଳ ମଧ୍ୟ ବିଷାକ୍ତ। ଫଳ ସ୍ୱରୁପ ବିଷାକ୍ତବାୟୁ ସଂସ୍ପର୍ଶରେ ଆସି ଅଧିକାଂଶ ଲୋକେ ରୋଗାକ୍ରାନ୍ତ। ଅନେକ ଅଣନିଃଶ୍ଵାସୀ ହୋଇ ଛଟପଟ। ପରିସ୍ଥିତି ଏମିତିକି କୋଇଡା ଅଞ୍ଚଳ ରେ ଥିବା ଗୋଟିଏ ଭି ଗଛର ପତ୍ର ସବୁଜ ନୁହେଁ, ସବୁ ଲାଲ । ଘରୁ ଥ ରେ ବାହାରିଲେ ମଣିଷ ରେ ଧୁଳି ରେ ଲଟପଟ । ଯାହାଫଳରେ ସାବୁନ ଓ ସର୍ଫ ପାଇଁ ମଧ୍ୟ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ ।

କୋଇଡାବାସୀ ସାମାନ୍ୟତମ ସୁବିଧାର କାଣିଚାଏ ମଧ୍ୟ ପାଇବାକୁ ଅସମର୍ଥ। କୁନି କୁନି ଛୁଆଙ୍କ ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟର ପୀଡାରେ ଜର୍ଜରିତ ବୟସ୍କ ବୃଦ୍ଧ ବୃଦ୍ଧା ମଧ୍ୟ ପ୍ରଦୂଷଣର ପ୍ରଭାବରେ ଅତିଷ୍ଟ। ଗମନାଗମନ, ସ୍ୱାସ୍ଥ୍ୟ ସେବା ଏବଂ ସୁସ୍ଥ ପାନୀୟ ଜଳ ଅଞ୍ଚଳ ବାସୀଙ୍କ ପାଇଁ ଯେମିତି ଦିବାସ୍ବପ୍ନ। ଖଣି ଅଞ୍ଚଳରୁ ଉତ୍ପାଦନ ବୃଦ୍ଧି ଦ୍ବାରା ନିକଟସ୍ଥ ଚୀରୋସ୍ରତ ଝରଣାରୁ ଜଳର ଉତ୍ସ କମି କମି ଯାଉଛି। ପଶୁପକ୍ଷୀ ତଥା ଅବହେଳିତ ଆଦିବାସୀମାନେ ଭୀଷଣ ଜଳ କଷ୍ଟର ଶିକାର ହେଉଛନ୍ତି। ତେବେ ରାଜ୍ୟ ତଥା କେନ୍ଦ୍ର ରାଜକୋଷକୁ ପର୍ଯାପ୍ତ ଆୟ ଦେଉଥିବା କୋଇଡାବାସୀଙ୍କୁ ଯେମିତି ଭୁଲିଯାଇଛନ୍ତି। ପ୍ରଦୂଷଣ ପ୍ରକୋପରେ ଅଞ୍ଚଳ ବାସୀ ହଇଜା, ଯକ୍ଷ୍ମା, ହାଡଫୁଟି, ମିଳିମିଳା ,ଜଣ୍ଡିସ ତଥା ରକ୍ତ ହୀନତାର ଶୀକାର ହୋଉଛନ୍ତି। ଅନେକ ଜୀବନ ହାରିଲେଣି। କେତେକ ଜୀବନମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ସାଧାରଣ ଦାବି ପାଇଁ ଲଢେଇ କରୁଥିବା ମଣିଷଟିଏ ଆଜି ଉଦାସ , ଆତ୍ମହରା ଏବଂ ଭାଗ୍ୟକୁ ଆଦରି ପଡି ରହିଛି। ଏହି ସମସ୍ୟା ଦଶନ୍ଧି ଦଶନ୍ଧି ଧରି ରହିଥିବାବେଳେ କାହାର ଏଥି ପ୍ରତି ଧ୍ୟାନ ନାହିଁ। ଖୁବ୍ ଶୀଘ୍ର ଏହାର ପ୍ରତିକାର ନ କରାଗଲେ ଆଗକୁ ପରିସ୍ଥିତି ଅସମ୍ଭାଳ ଓ ଗଭୀର ହେବା ସ୍ଵାଭାବିକ ।ଅଞ୍ଚଳବାସୀ ଚିର ଉପକୃତ ହେବେ।

ସମ୍ବନ୍ଧିତ ଖବର