ଅଭିଶପ୍ତ ମେ: ଓଡ଼ିଶା ପାଇଁ ବି ବିପଦ ଆଣିଥିଲା, ମୋଟ ଆକ୍ରାନ୍ତଙ୍କ ୪୧% ଚିହ୍ନଟ

୭ଶହରୁ ଅଧିକ ମୃତ୍ୟୁ, ମାସବ୍ୟାପୀ ପଜିଟିଭ୍ ହାର ୧୯%

ଭୁବନେଶ୍ବର: କରୋନାର ଦ୍ବିତୀୟ ଲହରରେ ଘାତକ ସାଜିଥିଲା ମେ’ ମାସ। ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଜାରି କରିଥିବା ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ବି କାମ ଦେଇ ନଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ନୂଆନୂଆ ରେକର୍ଡ କରିଥିଲା। ସଂକ୍ରମଣକୁ ନେଇ ଜିଲ୍ଲା-ଜିଲ୍ଲା ଭିତରେ ଏକପ୍ରକାର ପ୍ରତିଯୋଗିତା ଚାଲିଥିଲା। କେବଳ ଲୋକେ ଆକ୍ରାନ୍ତ ହେଉନଥିଲେ, ବହୁ ଲୋକଙ୍କ ଜୀବନ ଚାଲି ଯାଇଥିଲା ଏହି ମେ’ ମାସରେ। ରାଜ୍ୟରେ ପ୍ରଥମ ଓ ଏବେ ଜାରି ରହିଥିବା ଦ୍ବିତୀୟ ଲହରରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତାହାର କେବଳ ୪୧ ପ୍ରତିଶତ ଆକ୍ରାନ୍ତଙ୍କୁ ମେ’ ମାସରେ ଚିହ୍ନଟ କରାଯାଇଛି। ଏହାସହ ସମୁଦାୟ ମୃତ୍ୟୁର ୨୬ପ୍ରତିଶତ ମଧ୍ୟ ଗତ ମାସରେ ରେକର୍ଡ କରାଯାଇଛି। ଏଥିରୁ ରାଜ୍ୟରେ ସଂକ୍ରମଣ କେତେ ଭୟଙ୍କର ଥିଲା, ତାହା ଅନୁମାନ କରାଯାଇପାରେ। ଗତ ଏପ୍ରିଲ ଶେଷ ସପ୍ତାହରେ ରାଜ୍ୟରେ କରୋନା ମିଟର ଉପରମୁହାଁ ହେବାକୁ ଆରମ୍ଭ କରିଥିଲା। ମେ’ ମାସବ୍ୟାପୀ ଏହି ଧାରା ଜାରି ରହିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଥିଲା। ଏହାସହ ଭୁବନେଶ୍ବର ଓ କଟକରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା। ଖୋର୍ଧା ଓ କଟକ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥା ମଧ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରିଥିଲା। ଖୋର୍ଧା ଜିଲ୍ଲାରେ ସଂକ୍ରମଣ ନିଆଁ ଭଳି ମାଡ଼ି ଚାଲିଥିଲା। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ପାର୍ କରିଯାଇଥିଲା। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ସହ ତାଳ ଦେଇ ପଜିଟିଭ୍ ହାର ମଧ୍ୟ ବଢ଼ି ଚାଲିଥିଲା। ସରକାରୀ ତଥ୍ୟ ଅନୁସା‌ରେ, ଗତ ମାସରେ ରାଜ୍ୟରେ ୩ଲକ୍ଷ ୧୯ହଜାର ୧୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୩ ତାରିଖରେ ସର୍ବାଧିକ ୧୨,୮୫୨ ଆକ୍ରାନ୍ତ ଚିହ୍ନଟ ହୋଇଥି‌ଲେ। ଏହା ରାଜ୍ୟରେ ଦୈନିକ ସଂକ୍ରମଣରେ ଆଜି ପର୍ଯ୍ୟନ୍ତ ସର୍ବାଧିକ। ସେହିପରି ଗତ ମାସରେ ୭୩୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କେବଳ ସଂକ୍ରମଣ ଓ ମୃତ୍ୟୁରେ ନୁହେଁ, ଗତମାସରେ ସର୍ବାଧିକ ସଂଖ୍ୟକ କୋଭିଡ୍‌ ନମୁନା ମଧ୍ୟ ପରୀକ୍ଷା କରାଯାଇଥିଲା। ଗତ ମାସ ୨୫ ତାରିଖରେ ସର୍ବାଧିକ ୬୯,୪୦୭ ନମୁନା ପରୀକ୍ଷା ହୋଇଥିଲା। ମାସବ୍ୟାପୀ ପଜିଟିଭ୍ ହାର ୧୯.୪ ରହିଥିବା ବେଳେ ୬ ତାରିଖରେ ରାଜ୍ୟରେ ସର୍ବାଧିକ ପଜିଟିଭ୍ ହାର ୨୪.୦୯ ପ୍ରତିଶତ ରେକର୍ଡ କରାଯାଇଥିଲା। ଘାତକ ମେ’ ଶେଷ ହୋଇଥିବା ବେଳେ ଚଳିତ ଜୁନ୍‌ରେ ପଜିଟିଭ୍ ହାର ସହିତ ସଂକ୍ରମଣ କମିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କରୋନା ସଂକ୍ରମଣକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକାଧିକ ଗାଣିତିକ ମଡେଲ ମଧ୍ୟ ମେ’ ମାସ ଦ୍ବିତୀୟ ସପ୍ତାହରେ ସଂକ୍ରମଣ ଶୀର୍ଷକୁ ଛୁଇଁବ ବୋଲି ଆକଳନ କରିଥିଲେ। ପରେ ଏଥିରେ ସଂଶୋଧିତ କରି ଶେଷ ସପ୍ତାହରେ ଶୀର୍ଷକୁ ଛୁଇଁବ ବୋଲି କୁହାଯାଇଥିଲା। ଯଦି ଏସବୁ ମଡେଲର ଆକଳନକୁ ବିଚାରକୁ ନିଆଯାଏ, ତାହାଲେ ରାଜ୍ୟରେ ଏବେ ସଂକ୍ରମଣ କମିବାକୁ ଆରମ୍ଭ କରିଛି। ଜୁନ୍‌ ମାସରେ ଏହା ଆହୁରି ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ଲକ୍‌ଡାଉନ୍‌ର ପ୍ରଭାବ ୪ ସପ୍ତାହ ପରେ ଦେଖିବାକୁ ମିଳିଥାଏ। ତେଣୁ ଧୀ‌ରେଧୀରେ ଏହାର ପ୍ରଭାବ ଦେଖିବା ଆରମ୍ଭ ହୋଇଛି। ସମସ୍ତେ ସତର୍କ ହେଲେ ସଂକ୍ରମଣ ଆହୁରି ହ୍ରାସ ପାଇବ।

ଦିନକରେ ୮୭୩୫ ପଜିଟିଭ୍, ୩୭ ମୃତ, ସୁସ୍ଥ ‌ହେଲେ ଆଉ ୧୧୦୯୫

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୩୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୬୨,୨୯୩ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭ୍ ହାର ୧୪ପ୍ରତିଶତ ରହିଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୨୨୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରେ ୬୭୩, ବାଲେଶ୍ବର ୫୬୬, ଯାଜପୁର ୫୦୭, ଢେଙ୍କାନାଳ ୫୦୩, ପୁରୀ ୪୬୭, ଅନୁଗୁଳ ୪୫୬, କେନ୍ଦ୍ରାପଡ଼ା ୩୮୭, ଜଗତସିଂହପୁର ୩୮୨, ମୟୂରଭଞ୍ଜ ୩୪୨, ସୁନ୍ଦରଗଡ଼ ୨୪୪ ଓ ଷ୍ଟେଟ୍ ପୁଲରୁ ୨୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୭୩ହଜାର ୭୩୨କୁ ବୃଦ୍ଧି ପାଇଛି। ଏହାସହ ୩୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ
ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳରେ ସର୍ବାଧିକ ୫, କଟକ ଓ କଳାହାଣ୍ଡିରେ ୪ ଲେଖାଏଁ, ସୁନ୍ଦରଗଡ଼, ନବରଙ୍ଗପୁର, ଖୋର୍ଧା ଓ ଝାରସୁଗୁଡ଼ାରେ ୩ ଲେଖାଏଁ, ସୋନପୁର, ରାୟଗଡ଼ା, ନୂଆପଡ଼ା, କେନ୍ଦ୍ରାପଡ଼ାରେ ୨ଲେଖ‌ାଏଁ, ବଲାଙ୍ଗୀର, ଗଜପତି, ଗଞ୍ଜାମ ଓ କୋରାପୁଟରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୨୭୯୧ରେ ପହଞ୍ଚିଛି।
ରାଜ୍ୟରେ ଆଜି ୧୧୦୯୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୮,୮୬୧କୁ ଖସି ଆସିଛି। ଅପରପକ୍ଷରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬ଲକ୍ଷ ୯୨ହଜାର ୨୭କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର