ବିଧାନସଭାରେ ପୁଣି ଗର୍ଜିଲେ ବିରୋଧୀ : ପୁରୀ ଏସ୍‌ପିଙ୍କୁ ନିଲମ୍ବିତ କରାଯାଉ

ରାଜଧାନୀରେ ଖଣ୍ଡା ବୁଲିବା ପ୍ରସଙ୍ଗ ବି ଉଠିଲା

ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାରେ ପୁରୀ ଏସ୍‌ପିଙ୍କ ବଦଳି କାର୍ଯ୍ୟାନୁଷ୍ଠାନ ନୁହଁ। ତାଙ୍କ ନିର୍ଦ୍ଦେଶରେ ଗୋଟିଏ ଲୋକର ପ୍ରାଣ ଯାଇଛି। ତାଙ୍କୁ ନିଲମ୍ବନ କରାଯାଉ। ପିପିଲି ଥାନା ହାଜତରେ ଥାର୍ଡ଼ ଡିଗ୍ରି କରି ୫ ଜଣ ଅଭିଯୁକ୍ତଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଛି। ସେମାନଙ୍କ ମାଂସ ପଚିଯିବା ସହ ମଳଦ୍ବାରରେ ଗଭୀର କ୍ଷତ ହୋଇଛି। ଦିନ ଦ୍ବିପହରରେ ରାଜଧାନୀରେ ଖଣ୍ଡା ବୁଲୁଛି। ଏସବୁ ପ୍ରମାଣିତ କରୁଛି ରାଜ୍ୟରେ ଆଉ ଆଇନଶୃଙ୍ଖଳା ସ୍ଥିତି ଠିକ୍‌ ନାହିଁ। ଏତେ ବଡ଼ବଡ଼ ଘଟଣା ଘଟୁଥିଲେ ବି ମୁଖ୍ୟମନ୍ତ୍ରୀ ନିରବ ରହି ତାଙ୍କ କର୍ତ୍ତବ୍ୟରେ ଅବହେଳା କରୁଛନ୍ତି। ହାଜତ ମୃତ୍ୟକୁ ନେଇ ଆଜି ବିଧାନସଭା ଶୂନ୍ୟକାଳରେ ବିରୋଧୀ ଏପରି ଗର୍ଜିଛନ୍ତି।

ଶନିବାର ଗୃହ ଆରମ୍ଭ ହେବାମାତ୍ରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ଗୋଟିଏ ଦିନରେ ଦୁଇଟା ହାଜତ ମୃତ୍ୟୁ ଘଟଣା। ପୁରୀରେ କେ ରମେଶ ପ୍ରାୟ ୧୭ ବର୍ଷ ଧରି ଚୋରି କାର୍ଯ୍ୟ କରୁନଥିଲା। କିନ୍ତୁ ତାଠୁ ତଥ୍ୟ ଆଦାୟ କରିବା ପାଇଁ ପୁଲିସ ତାକୁ ଧରିନେଇ ନିର୍ମମ ଭାବେ ମାଡ଼ ମାରିଥିଲା। ଯାହାଫଳରେ ତାର ପ୍ରାଣହାନି ଘଟିଲା। ଏପରିକି ହାଜତରେ ଏହି ଘଟଣାକୁ ଦେଖିଥିବା ଅନ୍ୟ ଅଭିଯୁକ୍ତମାନେ କାଳେ କେଉଁଠି ବୟାନ ଦେଇଦେବେ, ସେଥିପାଇଁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଦିଆଗଲା। ମୃତ ଯୁବକର ଶବ ବ୍ୟବଚ୍ଛେଦ ପରେ ତାର ମା’ବାପାଙ୍କୁ ମରଶରୀର ପୁଲିସ ହସ୍ତାନ୍ତର କଲାନି। ଏସବୁ ଘଟଣା ତତ୍କାଳୀନ ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶରେ ହୋଇଥିଲା। ଏତେବଡ଼ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛିପଡ଼ୁଛି। ଅଥଚ ଗତକାଲି ରାତିରେ ସରକାର ପୁରୀ ଏସ୍‌ପିଙ୍କୁ ବଦଳି କରିଦେଇ ନିଜର ଦାୟିତ୍ବ ସାରିଦେଇଛନ୍ତି। ସରକାର ଜାଣିଶୁଣି ସମ୍ପୃକ୍ତ ଏସ୍‌ପିଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରିଛନ୍ତି। ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଉ। ଖାଲିସେତିକି ନୁହେଁ, ବଲାଙ୍ଗୀର ପାଟଣାଗଡ଼ରେ ଘରେ ପଶି ୬ ଜଣଙ୍କୁ ମାରିଦେଲେ। ମହିଳାଙ୍କ ଉପରେ ପ୍ରତିଦିନ ନିର୍ଯ୍ୟାତନା ଓ ଦୁଷ୍କର୍ମ ହେଉଥିବା ଖବର ପ୍ରକାଶ ପାଉଛି। ଗତକାଲି ବଲାଙ୍ଗୀରରେ ଜଣେ ଦଶମ ପାଠ ପଢ଼ୁଥିବା ଝିଅକୁ ଦୁଷ୍କର୍ମ କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ଜଣେ ସରପଞ୍ଚ ମହିଳାଙ୍କୁ ଆବାସ ଘର ମଞ୍ଜୁରି ପାଇଁ ଶାରୀରିକ ସମ୍ପର୍କ ରଖିବା କଥା କହିବାକୁ ପଛାଉନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୫ ବର୍ଷ ଶାସନ ଭିତରେ ଆଇନର ଶାସନ ନାହିଁ ସେସବୁର ଅନେକ ନଜିର ରହିଛି। ରାଜ୍ୟର ଆଇନଶୃଙ୍ଖଳା ନେଇ ଆଲୋଚନା କରିବାକୁ ଯଦିଓ ବିରୋଧୀ ମୁଲତବୀ ପ୍ରସ୍ତାବ ଦେଇଛନ୍ତି, ତା ବଦଳରେ ଆମେ ପ୍ରସ୍ତାବ ଆକାରରେ ଆଲୋଚନା କରିବାକୁ ଦାବି କରୁଛୁ। କାରଣ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ମୁଲତବୀ ଆଲୋଚନା ପାଇଁ ଯେତିକି ସମୟ ଧାର୍ଯ୍ୟ କରାଯାଇଛି ତାହା ପର୍ଯ୍ୟାପ୍ତ ହେବନାହିଁ। ଏ ନେଇ ବାଚସ୍ପତି ରୁଲିଂ ଦେବାକୁ ଶ୍ରୀ ନାଏକ ଅନୁରୋଧ କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକ ଶବକୁ ପୁଲିସ ପରିବାର ଲୋକଙ୍କୁ ନଦେଇ ପୁଲିସ ଜଘନ୍ୟ ଅପରାଧ କରିଛି। ଉତ୍ତରପ୍ରଦେଶରେ ଅନୁରୂପ ଘଟଣା ଏଠି ଘଟିଛି। ସେଠାକାର ପୁଲିସ ଯେପରି ପରିବାରକୁ ନଦେଇ ଶବ ଦାହ କରି ଦେଇଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଗୁରୁ କରନ୍ତୁ ନାହିଁ। ହାଜତ ମୃତ୍ୟୁ ଖବର ପରେ ଜାତୀୟ ମାନବାଧିକାର କମିସନ ତତ୍‌କ୍ଷଣାତ୍‌ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। କିନ୍ତୁ ଓଡ଼ିଶାରେ ରାଜ୍ୟ ମାନବାଧିକାର କମିସନ କେଉଁଠି ଅଛନ୍ତି ଜଣାପଡ଼ୁନି। ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଅବସର ନେଇଥିଲେ ବି ଏହି ପଦବିଟି ଖାଲି ପଡ଼ିଛି। ପୁରୀ ହାଜତ ମୃତ୍ୟୁ ଘଟଣାରେ ପୁରୀ ଏସ୍‌ପିଙ୍କୁ ବଦଳି କରିଦେଲେ ଚଳିବନି। ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ‘ସମ୍ବାଦ’ରେ ପ୍ରକାଶିତ ହାଜତରେ ଥାର୍ଡ଼ ଡିଗ୍ରି ଖବରକୁ ନେଇ ଶ୍ରୀ ମିଶ୍ର କହିଥିଲେ ଯେ ପୁଲିସର ଏପରି ଅମାନୁଷିକ କାର୍ଯ୍ୟ କଣ ପାଇଁ? ସେହିପରି ‘ ସମ୍ବାଦ’ରେ ପ୍ରକାଶିତ ଆଉ ଗୋଟିଏ ଖବର ରାଜଧାନୀରେ ଖଣ୍ଡା ବୁଲାଇ କିଛି ଦୁର୍ବୃତ୍ତ ଆତଙ୍କ ଖେଳାଇଛନ୍ତି। ପୁଲିସ କୁଆଡ଼େ ଯାଇଥିଲା। ତାଙ୍କୁ ଭିତରୁ ଜଣକୁ ଗତକାଲି ବସ୍ତିର କିଛି ମହିଳା କାବୁ କରି ଧରିଲେ। ଏପରି କେତେ ଘଟଣା ତାର ଉଦାହରଣ ଦେଲେ ଗୃହ ଅବଧି ଯଥେଷ୍ଟ ହେବନି ବୋଲି ଶ୍ରୀ ମିଶ୍ର କହିଥିଲେ।

ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ, ହାଜତ ମୃତ୍ୟୁ ଘଟଣାରେ ବିରୋଧୀ ଯେପରି ପ୍ରସ୍ତାବ ଆକାରରେ ଆଲୋଚନା କରିବାକୁ ଦାବି କରୁଛନ୍ତି ତାହା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମର ପରିପନ୍ଥୀ। ଏହାବ୍ୟତୀତ ଯେହେତୁ ଏହି ଘଟଣାରେ ହାଇକୋର୍ଟରେ ମାମଲା ବିଚାରାଧୀନ ଅଛି, ତେଣୁ ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା କଲେ ମାମଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଏହି ଆଲୋଚନାରେ ଭାଗ ନେଇ ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଥିଲେ।

ସମ୍ବନ୍ଧିତ ଖବର