ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

‌କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ବାରିମୂଳସ୍ଥିତ ଉପକାରାଗାରରେ ବିଚାରାଧୀନ ବନ୍ଦୀ ଧୀରେନ୍ ବେହେରା (୪୯)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି।

ମୃତ ଧୀରେନ୍‌ଙ୍କ ଘର ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କ। ସେ ପ୍ରଥମେ ଶିଳ୍ପ ନିରାପତ୍ତା ବାହିନୀ ଏବଂ ପରେ ପାରାଦ୍ୱୀପ ବନ୍ଦରରେ ସୁରକ୍ଷା କର୍ମୀଭାବେ କାମ କରୁଥିଲେ। ଏହି ସମୟରେ ଏକ ପାରିବାରକ କଳହରୁ ବିବାଦରେ ଫସିଥିଲେ। ତାଙ୍କର ସ୍କୁଲ ପଢ଼ୁଥିବା ଝିଅ ହିଁ ଧୀରେନଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଏହି ଘଟଣାରେ ମାର୍ଶାଘାଇ ଥାନାରେ ୨୦୧୬, ମେ ୧୧ ତାରିଖରେ ମାମଲା ରୁଜୁ ହେବା ସହ ଧୀରେନ ଗିରଫ ହୋଇ ଜେଲ୍‌ରେ ଥିଲେ । ଗତକାଲି ରାତିରେ ଧୀରେନ ଅସୁସ୍ଥ ହେବାରୁ ତାଙ୍କୁ ସାଲାଇନ୍ ଲଗାଇ ହସ୍ପିଟାଲ ପଠା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ ବୋଲି ଜେଲ୍ ଅଧୀକ୍ଷକ ସରୋଜ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।

କିନ୍ତୁ ଧୀରେନଙ୍କ ପରିବାରବର୍ଗ ନିର୍ଯାତନା ଦେଇ ତାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ଧୀରେନଙ୍କ ପତ୍ନୀ ମଂଜୁଳା ସଦର ଥାନା‌ରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ଗତ ୧୨ ତାରିଖରେ ସେ ଜେଲକୁ ଯାଇ ସ୍ୱାମୀଙ୍କୁ ଭେଟିଥିଲେ। ସେତେବେଳେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ଏବଂ ହତ୍ୟା ଧମକ ଦିଆ ଯାଉଥିବା କହିଥିଲେ। ତେଣୁ ଘଟଣାର ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଦର ଥାନା ପୁଲିସ୍ ୩୦୨ ଦଫାରେ ଏକ ମାମଲା ରୁଜୁ କରିଛି। କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର