ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ଦାବି କଲେ ପରିବାର

ଫରେନ୍‌ସିକ ଲ୍ୟାବ୍‌ ଯିବ ଭିସେରା

କଟକ : କଟକ ବଡ଼ ମେଡିକାଲ୍‌ରେ ଅଭିଯୁକ୍ତ ଭରତ ମଣ୍ତଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଆଜି ପୁରୀଘାଟ ତେଲେଙ୍ଗାବଜାରରେ ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ମାଡ଼ରେ ଭରତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ପରିବାର ଲୋକେ ଆଜି ସିବିଆଇ ତଦନ୍ତ ଦାବି କରିଛନ୍ତି। ଘଟଣାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମ୍‌ନାକୁ ଆସିପାରିବ ବୋଲି ମୃତ ଭରତଙ୍କ ମଝିଆ ଭଉଣୀ ବିନ୍ମୟା ମଣ୍ତଳ କହିଛନ୍ତି। ଅନ୍ୟପଟେ ଆଜି ମଙ୍ଗଳାବାଗ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା(କେସ୍‌ ନ˚ ୬୮୦) ରୁଜୁ କରାଯାଇଛି। ବଡ଼ ମେଡିକାଲ୍‌ରେ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ରସୁଲଗଡ଼ସ୍ଥିତ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀକୁ ଆସନ୍ତାକାଲି ଭିସେରା ପଠାଯିବ। ଉଭୟ ରିପୋର୍ଟ ଆଧାରରେ ଘଟଣାର ପରବର୍ତୀ ତଦନ୍ତ କରାଯିବ ବୋଲି ଡିସିପି ଅଖିଳେଶ୍ବର ସି˚ହ ସୂଚନା ଦେଇଛନ୍ତି।

ଡିସିପିଙ୍କ ସୂଚନା ମୁତାବକ, ପୁରୀଘାଟ ଥାନା ପୁଲିସ ଗତ ୨୭ ତାରିଖ ରାତି ପ୍ରାୟ ୧୨ଟା ୩୦ ବେଳେ ପାଟ୍ରୋଲି˚ କଲା ବେଳେ ଭରତ ମଣ୍ତଳ ସନ୍‌ସାଇନ୍‌ ପଡ଼ିଆ ନିକଟରେ ବୁଲୁଥିଲେ। ପୁଲିସ ତାଙ୍କୁ ଥାନାକୁ ଉଠାଇ ଆଣିଥିଲା। ତାଙ୍କ ନିକଟରୁ ବନ୍ଧୁକ, ଗୁଳି ଟଙ୍କା ଜବତ ହୋଇଥିବାରୁ ଗତ ୨୮ ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ଚାଲାଣ ବେଳେ ଭରତଙ୍କୁ ଗିରଫ ହେବା ପୂର୍ବରୁ ଦେହରେ କ୍ଷତ ଚିହ୍ନ ଥିବା ମେଡିକାଲ୍‌ ରିପୋର୍ଟରେ ଦର୍ଶାଯାଇଥିଲା। ଏହି ରିପୋର୍ଟ କୋର୍ଟରେ ଦାଖଲ କରାଯାଇଛି। ଭରତଙ୍କ ପିଠି ଓ ହାତର ବିଭିନ୍ନ ସ୍ଥାନରେ କ୍ଷତ ସ˚କ୍ରାନ୍ତରେ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଡିସିପି କହିଛନ୍ତି। ଅନ୍ୟପଟେ ଚୌଦ୍ବାର ଜେଲ୍‌ ଅଧୀକ୍ଷକ ରବିନ୍ଦ୍ର ସ୍ବାଇଁ କହିଛନ୍ତି, ୨୮ ତାରିଖରେ ଭରତ ଜେଲ୍‌କୁ ଆସିବା ପରେ ଜେଲ୍‌ର ନିୟମ ଅନୁଯାୟୀ ପ୍ରଥମେ ତାଙ୍କୁ ଜେଲ୍‌ ପରିସରରେ ଥିବା ହସପିଟାଲ୍‌ରେ ଚିକିତ୍ସା କରାଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବଡ଼ ମେଡିକାଲରେ ପରିବାର ଲୋକଙ୍କୁ ପୁଲିସ ବୁଝାସୁଝା କଲା ପରେ ବ୍ୟବଚ୍ଛେଦ ଗୃହରୁ ପୁଲିସ ସୁରକ୍ଷା ବଳୟ ଭିତରେ ଖାନନଗର ଶ୍ମଶାନକୁ ଭରତଙ୍କ ଶବ ଅଣାଯାଇଥିଲା। ରାତି ପ୍ରାୟ ୧ଟା ବେଳେ ସ˚ସ୍କାର କାର୍ଯ୍ୟ ଶେଷ ହୋଇଥିଲା। ଶ୍ମଶାନ ନିକଟରେ କୌଣସି ଆଇନଶୃଙ୍ଖଳା ସୃଷ୍ଟି ହେବା ଆଶଙ୍କାରେ କମିସନରେଟ୍‌ ପୁଲିସ ପକ୍ଷରୁ ଦୁଇ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର