ଅଭିଯୋଗକୁ ପୁଲିସର ଅସ୍ବୀକାର
ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ
୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ
ବୀରମିତ୍ରପୁର : ଏକ ଅପହରଣ ମାମଲାର ତଦନ୍ତ ଚାଲିଥିବା ବେଳେ ବୀରମିତ୍ରପୁରର ଥାନାରେ ଅଟକ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ଆଜି ସକାଳେ ବୀରମିତ୍ରପୁର ଥାନା ଘେରାଉ କରିଥିଲେ। ଥାନା ହାଜତରେ ଯୁବକଙ୍କୁ ପୁଲିସ କର୍ମଚାରୀମାନେ ବାଡ଼େଇ ମାରି ଦେଇଥିବା ଅଭିଯୋଗ ଆଣି ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣଙ୍କୁ ଚାକିରି ଦେବାକୁ ଦାବି କରି ଲୋକେ ହୋହଲ୍ଲା କରିଥିଲେ। ରାଉରକେଲା ଡିଆଇଜି କବିତା ଜଲାନ୍, ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ ଓ କେନ୍ଦୁଝର ଏସ୍ପି ମିତ୍ରଭାନୁ ମହାନ୍ତ ପ୍ରମୁଖ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣାର ଏନ୍ଏଚ୍ଆର୍ସି ତଦନ୍ତ ସହ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପୁଲିସ ରାଜି ହେବା ପରେ ଲୋକେ ଶାନ୍ତ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ବୀରମିତ୍ରପୁରରେ ଉତ୍ତେଜନା ଲାଗି ରହିଥିବାରୁ ସହରରେ ୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ହାଜତ ମୃତ୍ୟୁ ଘଟଣାକୁ ପୁଲିସ ଅସ୍ବୀକାର କରିଛି। ଘଟଣାର ଏନ୍ଏଚ୍ଆର୍ସି ତଦନ୍ତ କରିବାକୁ ପୁଲିସ ଡିଜି ଅଭୟ ଭୁବନେଶ୍ବରରେ କହିଛନ୍ତି।
ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ କରବେଲା ରୋଡ଼ ନିବାସୀ ତାରିକ୍ ସଲିମ୍ (୨୬) ଝାଡ଼ଖଣ୍ଡ ସିମଡେଗାରେ ନିଜ ମାମୁ ଇକ୍ବାଲ ଅହମ୍ମଦଙ୍କ ଘରେ ରହି ଜଡ଼ିବୁଟି ବ୍ୟବସାୟ କରୁଥିଲେ। ଏକ ଅପହରଣ ମାମଲାର ତଦନ୍ତ ପାଇଁ ଗତକାଲି ଅପରାହ୍ଣରେ ବୀରମିତ୍ରପୁର ପୁଲିସ ତାରିକ୍ଙ୍କୁ ଥାନାକୁ ଆଣିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାରିକ୍ଙ୍କୁ ବୀରମିତ୍ରପୁର ଥାନାକୁ ଅଣାଯିବା ବେଳେ ସେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ କୁଆରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ରାଉରକେଲା ସରକାରୀ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁଆରମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୬ଟା ବେଳେ ପୁଲିସ ତାରିକ୍ଙ୍କୁ ଧରି ହସ୍ପିଟାଲ୍ ଆସିଥିବା ବେଳେ ସେ ଗୁରୁତର ଥିଲେ ଏବଂ ତାଙ୍କର ନାଡ଼ିର ଗତି ଠିକ୍ ନ ଥିଲା। ତେବେ ରାଉରକେଲା ସରକାରୀ ହସ୍ପିଟାଲ୍ରେ ସକାଳ ସାଢେ ୬ଟା ବେଳେ ପହଞ୍ଚିବା ପୂର୍ବରୁ ସେ ପ୍ରାଣ ହରାଇଥିଲେ।
ଅପରପକ୍ଷେ ମୃତ ଯୁବକଙ୍କ ପରିବାର ଓ ସମ୍ପର୍କୀୟ ଅଭିଯୋଗ କରୁଛନ୍ତି ଯେ ଗତ ରାତିରେ ପୁଲିସ ହାଜତ ଭିତରେ ତାରିକ୍ଙ୍କୁ ପିଟିପିଟି ମାରି ଦେଇଛି। ପୁଲିସ ମାଡ଼ରେ ତାରିକଙ୍କ ମାମୁ ଇକ୍ବାଲ୍ ଅହମ୍ମଦ ଓ ସାନଭାଇ ସାରିକ୍ ସଲିମ୍ (୨୪) ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଇକ୍ବାଲ୍ଙ୍କୁ ସିମଡେଗା ଓ ସାରିକ୍ଙ୍କୁ ବେଦବ୍ୟାସରୁ ପୁଲିସ ଉଠାଇ ନେଇଥିବା ସେମାନେ ଅଭିଯୋଗ କରିଥିଲେ।
ଗତ ରାତିରେ ସଲିମ୍ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ସମ୍ପ୍ରଦାୟର ଲୋକେ ଏକଜୁଟ୍ ହୋଇ ଆଜି ସକାଳ ୭ଟାରେ ବୀରମିତ୍ରପୁର ଥାନା ଘେରାଉ କରିଥିଲେ। ସେମାନେ ପୁଲିସ ବିରୋଧରେ ସ୍ଲୋଗାନ ଦେବା ସହ ଥାନା ଭିତରକୁ ପ୍ରବେଶ କରିବା ପାଇଁ ଗେଟ୍କୁ ଠେଲାପେଲା କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇବାରୁ ଉତ୍ତେଜନା ବଢିଥିଲା। ଲୋକେ ଏଭଳି ରାଗି ଯାଇଥିଲେ ଯେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସଂଗ୍ରହ କରୁଥିବା ବୀରମିତ୍ରପୁର ‘ସମ୍ବାଦ’ ପ୍ରତିନିଧି ରଜନୀକାନ୍ତ ମଲ୍ଲିକଙ୍କୁ ମଧ୍ୟ ଆକ୍ରମଣ କରି ମୋବାଇଲ୍ ଛଡ଼ାଇ ନେଇଥିଲେ। ଅନ୍ୟ ୩ ଜଣ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରୁ ମୁସଲିମ୍ କମିଟି ଓ ସ୍ଥାନୀୟ ଅଂଜୁମନ କମିଟିର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରିଥିଲେ। ଦୋଷୀ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର, ମୃତ ଯୁବକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଜଣଙ୍କୁ ଚାକିରି ଦେବାକୁ ସେମାନେ ଅଡ଼ି ବସିଥିଲେ। ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସରକାରୀ ନିୟମାନୁଯାୟୀ କ୍ଷତିପୁରଣ ପ୍ରଦାନ କରିବାକୁ ଏସ୍ପି ରାଜି ହୋଇଥିବା ବେଳେ ଚାକିରି ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ। ଆଜି ଅପରାହ୍ଣରେ ଆରଜିଏଚ୍ ମର୍ଗହାଉସ୍ରୁ ତାରିକ୍ଙ୍କ ଶବ ବ୍ୟବଚ୍ଛେଦ ପାଇଁ ନେବା ବେଳେ ବିରୋଧ ହୋଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ପାନପୋଷ ମର୍ଗ ହାଉସ୍ରେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଛି।
ନିକଟରେ ବୀରମିତ୍ରପୁର ସହରରେ ଜଣେ କ୍ରସର ମାଲିକଙ୍କୁ ଅପହରଣ କରାଯାଇଥିଲା। ଅତ୍ୟନ୍ତ ରହସ୍ୟଜନକ ଭାବେ ସେ ଘରକୁ ଫେରିଥିଲେ। ସଲିମ୍ଙ୍କୁ ସେହି ଅପହରଣ ସଂକ୍ରାନ୍ତରେ ଥାନାରେ ପଚରାଉଚରା କରାଯାଉଥିଲା ବୋଲି ଆଲୋଚନା ହେଉଛି, ଯଦିଓ ଏ ସଂପର୍କରେ ପୁଲିସ କିଛି ସ୍ପଷ୍ଟ କରୁନାହିଁ।