କରଞ୍ଜିଆ ସବ୍‌-ଜେଲରୁ କଏଦୀ ଫେରାର

କରଞ୍ଜିଆ : କରଞ୍ଜିଆ ସବ୍‌ ଜେଲରୁ ଭଗବାନ ଟୁଡୁ ନାମକ ଜଣେ କଏଦୀ ଗତ ୧୬ ତାରିଖରୁ ଫେରାର୍‌ ହୋଇଗଲାଣି। ତେବେ ଆଜି କରଞ୍ଜିଆ ଥାନାରେ ଜଣାଇବା ଘଟଣା ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଜେଲ୍‌ରେ ଜଣେ କାର୍ଯ୍ୟରତ ଗାର୍ଡ ସୁକାନ୍ତ ବେହେରା ମାନସିକ ନିର୍ଯାତନା ସହ୍ୟ କରି ନପାରି ନିଖୋଜ ହୋଇ ଯାଇଛନ୍ତି। ଘଟଣାରୁ ପ୍ରକାଶ, କଏଦୀ ଭଗବାନ କରଞ୍ଜିଆ ଜେଲରେ ସଜା ଭୋଗୁଥିଲା। ମାତ୍ର ୧୬ ତାରିଖ ସେ ଜେଲ୍‌ରୁ କୌଶଳକ୍ରମେ ଖସି ଯାଇଥିଲା। ଅନ୍ୟପଟେ ଗାର୍ଡ ସୁକାନ୍ତ ନିଖୋଜ ହୋଇଯିବା ପରେ ତାଙ୍କ ପରିବାର ଲୋକେ କହିଛନ୍ତି ଯେ ଫେରାର୍‌ କଏଦୀ ଭଗବାନଙ୍କୁ ଜେଲର ଜଣେ ଅଧିକାରୀ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରିଥିଲେ। ଏହାର ସୁଯୋଗ ନେଇ ଭଗବାନ ଫେରାର ହୋଇ ଯାଇଥିଲା। ଘଟଣା ଜଣାପଡ଼ିବା ପରେ ସେହିଦିନ ଡ୍ୟୁଟିରେ ଥିବା ସୁକାନ୍ତଙ୍କୁ ପରୋକ୍ଷରେ ଦାୟୀ କରାଯାଇ ମାନସିକ ନିର୍ଯାତନା ଦିଆଯାଇଥିଲା। ଏହାକୁ ସହ୍ୟ କରି ନପାରି ସେ କୁଆଡ଼େ ପଳାଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସବ୍‌ଜେଲରଙ୍କୁ ପଚାରିବାରୁ ଭଗବାନ ଫେରାର୍‌ ହୋଇଯିବା ଘଟଣାକୁ ସେ ସ୍ବୀକାର କରିଥିଲେ। ମାତ୍ର ସୁକାନ୍ତଙ୍କୁ ମାନସିକ ନିର୍ଯାତନା ଦିଆଯିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ।

ସମ୍ବନ୍ଧିତ ଖବର