ଗଞ୍ଜାମରେ ଫାଇଲିନ୍ ପରବର୍ତୀ କଷ୍ଟମ୍ ମିଲିଂ ଦୁର୍ନୀତି : ଦୋଷୀଙ୍କୁ ଖସାଇବାକୁ ଉଦ୍ୟମ
ପାଞ୍ଚ ବର୍ଷ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ବ୍ରହ୍ମପୁର : ୨୦୧୩, ଫାଇଲିନ୍ ବାତ୍ୟାରେ ଧ୍ୱସ୍ତ ଗଞ୍ଜାମ ଜିଲ୍ଲାରେ ଗୋଟିଏ ପଟେ ପୁନରୁଦ୍ଧାର କାମ ଚାଲିଥିଲା ବେଳେ ଅନ୍ୟ ପଟେ ଜିଲ୍ଲାରୁ ଧାନ ସଂଗ୍ରହରେ ଜାଲିଆତି କରି ଚାଷୀ ଓ ସରକାରଙ୍କୁ ଠକି ଚାଲିଥିଲେ କିଛି କଷ୍ଟମ୍ ମିଲର। ଦୀର୍ଘ ୩ବର୍ଷ ଧରି ଏହି ଦୁର୍ନୀତି ଚପି ରହିଥିଲା, ୨୦୧୫ ସିଏଜି ରିପୋର୍ଟର ୨ ବର୍ଷ ପରେ ଜିଲ୍ଲା ଯୋଗାଣ ବିଭାଗ ଚେତିଲା। ବର୍ତ୍ତମାନ ପୁଣି ବର୍ଷେ ବିତିଯାଇଛି। ସେମାନଙ୍କ ବିରୋଧରେ ଦିଆଯାଇଥିବା ସାର୍ଟିଫିକେଟ୍ ମାମଲା, ନୋଟିସ୍, ଯାଞ୍ଚ ରିପୋର୍ଟ ଆଦିର ଫାଇଲ୍ ସଂଖ୍ୟା ବଢ଼ିଚାଲିଛି, କିନ୍ତୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପରିବର୍ତ୍ତେ ସମ୍ପୃକ୍ତ ମିଲରଙ୍କୁ ଖସାଇଦେବାକୁ ଏବେ ଉଦ୍ୟମ ଆରମ୍ଭ ହୋଇଛି।
୨୦୧୨-୧୩ ଖରିଫ ବଜାର ଋତୁ (କେଏମ୍ଏସ୍) ପାଇଁ ଗଞ୍ଜାମ ଜିଲ୍ଲାରେ ୪୯ ମିଲରଙ୍କୁ ଧାନ ସଂଗ୍ରହ ପାଇଁ ଯୋଗାଣ ବିଭାଗର ଅନୁମତି ମିଳିଥିଲା। ଅକ୍ଟୋବର ମାସରେ ଫାଇଲିନ୍ ବାତ୍ୟା ହୋଇଥିଲା। ବାତ୍ୟା ପରେ ବିଭିନ୍ନ ଆଳରେ ସେମାନଙ୍କ ମଧ୍ୟରୁ କେତେକ ମିଲର ସଂଗୃହୀତ ଧାନ ବଦଳରେ ସରକାରଙ୍କୁ ଦେବାକୁ ଥିବା ନିର୍ଦ୍ଧାରିତ ଚାଉଳ ଫେରାଇ ନଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସିଭିଲ୍ ସପ୍ଲାଏ କର୍ପୋରେସନ୍ (ଓଏସ୍ସିଏସ୍ସି) ଚାଉଳ ଫେରାଇବା ସମୟ ସୀମାକୁ ସେମାନଙ୍କ ନିମନ୍ତେ କୋହଳ କରି ୧୦ ଅକ୍ଟୋବର ୨୦୧୪ ସୁଦ୍ଧା ଜମା କରିବାକୁ କହିଥିଲା। ଏହାର ଦୀର୍ଘ ବର୍ଷ ପରେ ମଧ୍ୟ ଉକ୍ତ ମିଲରମାନେ ଚାଉଳ ଜମା କରି ନଥିଲେ। ଏହାପରେ ଯୋଗାଣ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ନିରବ ଥିଲା। ମାର୍ଚ୍ଚ ୨୦୧୫ରେ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ନିଜ ରିପୋର୍ଟରେ ଗଞ୍ଜାମ ଜିଲ୍ଲା ଧାନ ସଂଗ୍ରହରେ ୨୦୧୨-୧୩ ଠାରୁ ୨୦୧୫ ମଧ୍ୟରେ ବ୍ୟାପକ ଜାଲିଆତି ହୋଇଥିବା ଦର୍ଶାଇଥିଲେ। ୨୭ଟି କଷ୍ଟମ୍ ମିଲର ୭.୨୧ କୋଟି ଟଙ୍କାର ୩.୯୨୦ ମେଟ୍ରିକ୍ ଟନ୍ ଧାନ ସରକାରଙ୍କୁ ଫେରାଇ ନଥିବା ଉଲ୍ଲେଖ କରିଥିଲେ। ଏଥିରେ ଆହୁରି ମଧ୍ୟ ଦର୍ଶାଇଥିଲେ, ଜିଲ୍ଲା ଯୋଗାଣ ଅଧିକାରୀ(ସିଏସ୍ଓ) ମିଲରମାନଙ୍କ ଅମାନତ ଜମା ଓ ମିଲିଂ ଖର୍ଚ୍ଚ ବାବଦରେ ୧.୫୮ କୋଟି ଟଙ୍କାକୁ ଅଟକାଇ ରଖିବା ବ୍ୟତୀତ କୌଣସି ପଦକ୍ଷେପ ନେଇନାହାନ୍ତି।
ଏହି ରିପୋର୍ଟ ପରେ ରାଜ୍ୟ ଯୋଗାଣ ବିଭାଗ ନିଦରୁ ଉଠି ଜାଲିଆତି କରିଥିବା ମିଲରମାନଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ଜାଲିଆତିର ସମତୁଲ ଅର୍ଥ ଆଦାୟ କରିବାକୁ ଜିଲ୍ଲା ପ୍ରଶାସନ ନିକଟକୁ ଚିଠି ଲେଖିଥିଲେ। ଏହାର ଦୀର୍ଘ ୨ ବର୍ଷ ପରେ ଜିଲ୍ଲା ଯୋଗାଣ ବିଭାଗ ୨୦୧୭ ଫେବ୍ରୁଆରି ମାସରେ ସମ୍ପୃକ୍ତ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଥମ ନୋଟିସ୍ କରିଥିଲା। ଏହା ପରେ ବର୍ତ୍ତମାନ ଆଉ ବର୍ଷେ ବିତିଯାଇଛି। ସମ୍ପୃକ୍ତ ୨୭ ମିଲରଙ୍କ ମଧ୍ୟରୁ କେବଳ ୪ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ସେମାନଙ୍କ ମିଲ୍ ସିଲ୍ କରିବାକୁ ପୁଣି ଚିଠି ଲେଖାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ ହେଲା, ୨୦୧୨-୧୩ରେ ଧାନ ସଂଗ୍ରହ ଜାଲିଆତିରେ ସମ୍ପୃକ୍ତ ୨୭ ମିଲରଙ୍କ ମଧ୍ୟରୁ ୮ ମିଲରଙ୍କ ବିରୋଧରେ ତୃତୀୟ ପକ୍ଷ ଦ୍ୱାରା ଅଡିଟ୍ କରା ଯାଇଥିବା ବେଳେ ଅନ୍ୟମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିଭଳି, ଜାଲିଆତିରେ ସମ୍ପୃକ୍ତ ଥିବା ୧୨ ମିଲର ୨୦୧୫ ଯାଏଁ ସକ୍ରିୟ ଭାବେ ଧାନ ସଂଗ୍ରହରେ ଭାଗ ନେଉଥିବା ଅଭିଯୋଗ ଉପରେ ମଧ୍ୟ ଜିଲ୍ଲା ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଇନଥିଲା। ଏନେଇ ୧୯ ଡିସେମ୍ବର ୨୦୧୭ରେ ସିଭିଲ୍ ସପ୍ଲାଏ କର୍ପୋରେସନ୍ର ପରିଚାଳନା ନିର୍ଦ୍ଦେଶକ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖି ସେମାନଙ୍କ ଧାନ ସଂଗ୍ରହରେ ସମ୍ପୃକ୍ତିର ସ୍ପଷ୍ଟୀକରଣ ଲୋଡ଼ିଥିଲେ। ବର୍ତ୍ତମାନ ୮ଟି ରାଇସ୍ମିଲ ବିରୋଧରେ ପଦକ୍ଷେପ ଆରମ୍ଭ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣା ଯାଇଥିଲେ ମଧ୍ୟ ଅନ୍ୟମାନଙ୍କୁ ଖସାଇ ଦେବାକୁ ବିଭାଗୀୟ ସ୍ତରରେ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ୧୫ ଫେବ୍ରୁଆରି ୨୦୧୮ରେ ସିଭିଲ୍ ସପ୍ଲାଏ କର୍ପୋରେସନ୍ର ସାଧାରଣ ପରିଚାଳକ (ଧାନ ସଂଗ୍ରହ) ପ୍ରଦୀପ କୁମାର ଗର୍ଦ୍ଦିଆ ଚିଠି ନମ୍ବର ୨୭୯୫ରେ ପୁଣି ଜିଲ୍ଲା ଯୋଗାଣ ବିଭାଗକୁ ଚିଠି ଲେଖି ସମ୍ପୃକ୍ତ ମିଲରଙ୍କ ବିରୋଧରେ କେଉଁ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଜଣାଇବାକୁ କ୍ରମାଗତ ଭାବେ ନିର୍ଦ୍ଦେଶ ଦେବା ପରେ ମଧ୍ୟ ନିରବ ରହିବା ଉପରେ ତାଗିଦ୍ କରି ତୁରନ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାର ପ୍ରତ୍ୟୁତ୍ତର ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଦିଆଯାଇ ନଥିବା ଜଣାଯାଇଛି।
ଉଲ୍ଲେଖନୀୟ କଥା ହେଲା ନାରାୟଣୀ ନାମକ ଏକ ରାଇସ୍ ମିଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଥିଲେ ବି ୧୩ ଡିସେମ୍ବର ୨୦୧୭ରେ ଜିଲ୍ଲା ଯୋଗାଣ ବିଭାଗର ଚିଠିରେ ଏହାକୁ ‘ନାରାୟଣ’ ରାଇସ୍ ମିଲ ବୋଲି ଦର୍ଶାଯାଇଛି। ଯେଉଁ ଠିକଣା ଦିଆଯାଇଛି ସେଠାରେ ନାରାୟଣ ନାମରେ କୌଣସି ରାଇସ୍ ମିଲ ନାହିଁ।
ଏ ନେଇ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ, ସମ୍ପୃକ୍ତ ମିଲରମାନଙ୍କ ବିରୋଧରେ ପଦକ୍ଷେପ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯାଇଛି, ତେବେ ଏନେଇ ବିଶଦ ତଥ୍ୟ ଯୋଗାଣ ବିଭାଗ ଅଧିକାରୀ ଦେଇପାରିବେ। ପରେ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି, ମିଲରମାନଙ୍କୁ ନୋଟିସ୍ କରାଯାଇଛି, ଅଡ଼ିଟ୍ କରାଯାଇଛି, ସାର୍ଟିଫିକେଟ୍ ମାମଲା ରୁଜୁ ହୋଇଛି। କିନ୍ତୁ କାହିଁକି ବଳକା ମିଲରମାନଙ୍କ ବିରୋଧରେ ତଦନ୍ତ ନିଆଯାଇ ନାହିଁ ଓ ଅଡ଼ିଟ୍ ଶେଷ ହୋଇଥିବା ମିଲରଙ୍କ ସମ୍ପତ୍ତି ଓ ମିଲ୍ ସିଲ୍ କରିବାରେ କାହିଁକି ବିଳମ୍ବ ହେଉଛି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଗତ ୫ ବର୍ଷରେ ଫାଇଲ୍ ଗୁଡ଼ିକର ସଂଖ୍ୟା ବଢ଼ିଯାଇଛି, ସେଗୁଡ଼ିକରୁ ତଥ୍ୟ ସଂଗ୍ରହ କରି ବର୍ତ୍ତମାନ ଜଣାଇବା କଷ୍ଟକର।