ଭୁବନେଶ୍ବର: ଅକ୍ଷୟ ତୃତୀୟାରେ ଏଥର ଗ୍ରାହକ କମ୍ ଓଜନ ବା ହାଲୁକା ଗହଣାକୁ ଅଧିକ ପସନ୍ଦ କରିଛନ୍ତି। ଆଜି ଗୋଟିଏ ଦିନରେ ପାଖାପାଖି ୧୭୫ କୋଟି ଟଙ୍କାର ସୁନା ବିକ୍ରି ହୋଇଛି, ଯାହା ଗତବର୍ଷର ବେପାର ପାଖାପାଖି ସମାନ। ଗତବର୍ଷ ଏହିଦିନ ୨୬୦ କେଜିରୁ ଅଧିକ ସୁନା ବିକ୍ରି ହୋଇଥିଲା। ଆଜି ୨୨ କ୍ୟାରେଟ୍ ସୁନା ଦର ୫୦୦ ଟଙ୍କା ହ୍ରାସ ପାଇ ୮୯,୭୫୦ ଟଙ୍କା ଥିଲା। ଗତବର୍ଷ ୬୭ ହଜାର ଟଙ୍କା ଥିଲା। ଲାଲ୍ଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଯେ କିଛିଦିନ ପୂର୍ବରୁ ଦାମ୍ ଲଗାତାର କମିବାରୁ ବିକ୍ରି ୨୦% ଅଧିକ ଆଶା କରୁଥିଲୁ। ସେଭଳି ହେଲାନାହିଁ।
ଦାମ୍ ଅଧିକ କାରଣରୁ ଗ୍ରାହକ ବଡ଼ ଜିନିଷ କିଣିଲେନି। ଆଗକୁ ଦାମ୍ କମିବ ଆଶା କରି ଗ୍ରାହକ କିଣିବା ନିଷ୍ପତ୍ତି ଟାଳିପାରିଥାନ୍ତି ବୋଲି ଶ୍ରୀ ହଂସ କହିଛନ୍ତି। ତେବେ ବିବାହ ଋତୁରେ ବିକ୍ରି ଉତ୍ସାହଜନକ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଆଜି ଗ୍ରାହକମାନେ ମୁଖ୍ୟତଃ ସୁନା ମୁଦି, ଚେନ୍, ଶଙ୍ଖା ଓ ହାର ଆଦି କିଣିଥିଲେ। ଏବର୍ଷ ବିବାହ ଗହଣା ବିକ୍ରି ପୂର୍ବବର୍ଷ ତୁଳନାରେ ୩୦ ପ୍ରତିଶତ କମ୍ ହୋଇଥିବା ଜଣେ ବ୍ୟବସାୟୀ କହିଛନ୍ତି। ତେବେ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ବିବାହ ଋତୁ ଥିବାରୁ ଆଗାମୀ ଦିନରେ ସେଭଳି ଗହଣାର ବିକ୍ରି ବଢ଼ିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/01/OnD1eiaTmUFa8ppVRR05.jpg)