ବରଗଡ଼ରେ କଷ୍ଟମ୍‌ ମିଲିଂ କେଲେଙ୍କାରୀ : ୪୧୧୦ ବସ୍ତା ଧାନ ଓ ୧୯୦ ବସ୍ତା ଚାଉଳ ଜବତ

ବରଗଡ଼ : ବରଗଡ଼ ଜିଲ୍ଲାରେ ଧାନ କିଣାବିକା ମିଲର୍ସଙ୍କ କବ୍‌ଜାରେ ହିଁ ଚାଲିଛି। ମିଲର୍ସ ଚାହିଁଲେ ଧାନ ଉଠିବ, ନଚେତ ନୁହଁ। ସେହିପରି ମିଲର୍ସ ନିଜର ମର୍ଜିରେ ଧାନ କିଣା ପ୍ରକ୍ରିୟାରେ ସାମିଲ ହେଉଛି। ପ୍ରଶାସନ ଏବଂ ମିଲର୍ସଙ୍କ ଭାବପ୍ରୀତି ଜିଲ୍ଲାରେ ନୂଆ ନୁହଁ। ଏବେ ପୁଣି ଏକ ଘଟଣା ସାମନାକୁ ଆସିଛି। କଷ୍ଟମ ମିଲିଂ କେଲେଙ୍କାରୀ ପଦାକୁ ଆସିବା ପରେ ବି ପ୍ରଶାସନ ସଂପୃକ୍ତ ମିଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପୁଣି ଏଥରର ଧାନ କିଣା ପ୍ରକ୍ରିୟାରେ ପୁଣି ତାଙ୍କୁ ସାମିଲ କରିବା ମସୁଧା ଚଳାଇଥିବାର ସୂଚନା ମିଳିଛି। ତେବେ ଗଣମାଧ୍ୟମ ହାତକୁ ଏ ସଂପର୍କରେ ତଥ୍ୟ ଆସିବା ପରେ ପ୍ରଶାସନ କଥା ବଦଳାଇଛି। ମିଲର୍ସଙ୍କୁ ଖରିଫ୍‌ ଧାନ କିଣା ପ୍ରକ୍ରିୟାରୁ ବାଦ ଦିଆଯାଇଥିବା ଏବେ କୁହାଯାଉଛି। କିନ୍ତୁ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ଗତମାସ ୧୯ ତାରିଖ ବରଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ମିଳିତ ସ୍କ୍ବାଡ୍‌ ବରଗଡ଼ ବ୍ଲକ ପଥର୍ଲାସ୍ଥିତ ବାଲଗୋପାଲ ରାଇସ୍‌ ପ୍ରଡକ୍ଟସ୍ ନାମକ ମିଲ୍‌ ଉପରେ ଚଢ଼ଉ କରିଥିଲା। ସେଠାରୁ ୪୧୧୦ ବସ୍ତା ଧାନ ଜବତ ହୋଇଥିଲା। ଯାହାର ପରିମାଣ ପାଖାପାଖି ୧୭୨୬.୨୦ କ୍ବିଣ୍ଟାଲ ହେବ। ଏଥିସହ ୧୯୦ ବସ୍ତା ଚାଉଳ ବି ଜବତ ହୋଇଥିଲା। ଉକ୍ତ ମିଲର୍ସ ୨୦୨୦-୨୧ ଖରିଫ୍‌ ଧାନ କିଣା ଆରମ୍ଭ କରିନଥିବା ବେଳେ ଏତେ ପରିମାଣର ଷ୍ଟକ୍‌ କେଉଁଠୁ ଆସିଲା ବୋଲି ପ୍ରଶ୍ନ ଉଠିଥିଲା। ତେଣୁ ୨୦୧୯-୨୦ ରବି ଋତୁର ଧାନ ଏଠାରେ ଗଚ୍ଛିତ ଥିଲା ବୋଲି ଅଭିଯୋଗ ଉଠିଥିଲା। ଅନ୍ୟପକ୍ଷରେ ମିଲର୍ସଙ୍କ ଯୁକ୍ତି ହେଲା, ଗଚ୍ଛିତ ଥିବା ଧାନ ଅଣ-ଏଫ୍‌ଏକ୍ୟୁ ମାନର। ତେଣୁ ଅଗାଡ଼ି ଧାନ ତକ ସେ ଗଚ୍ଛିତ ରଖିଥିଲେ। କିନ୍ତୁ ଷ୍ଟକ୍ ଯାଂଚ ବେଳେ ମିଲର୍ସଙ୍କ ଡାହା ମିଛ ସାମନାକୁ ଆସିଥିଲା। ରବି ଋତୁରେ ସେ ଟାର୍ଗେ‌ଟ୍‌ ମୁତାବକ ଚାଉଳ ଯୋଗାଇ ସାରିଥିଲେ ମଧ୍ୟ ଏତେ ଅଧିକ ‌ଷ୍ଟକ୍‌ ଜବତ ହେବା ବଡ଼ କେଲେଙ୍କାରୀ ଆଡ଼କୁ ସଂକେତ ଦେଇଥିଲା।

ପ୍ରଶ୍ନ ଉଠୁଛି, ଜଣେ ମିଲର୍ସ ହଜାର ହଜାର କ୍ବିଣ୍ଟାଲ ଧାନ କେଉଁ ମଣ୍ଡି କିମ୍ବା କ୍ରୟ କେନ୍ଦ୍ରରୁ ଆଣିଲା, ତାହାର ତଥ୍ୟ ଯୋଗାଣ ବିଭାଗ ପାଖରେ ନାହିଁ। ଉକ୍ତ ମଣ୍ଡି କିମ୍ବା କେନ୍ଦ୍ରର କର୍ମଚାରୀ ଯଦି ମିଲର୍ସଙ୍କୁ ଅନୁକମ୍ପା ଦେଖାଇଲେ, ତେବେ ଯୋଗାଣ ବିଭାଗ ତାହା ଠଉରାଇ ପାରିଲା ନାହିଁ କାହିଁକି? ବର୍ତମାନ ଅନ୍‌ଲାଇନ୍‌ ଜରିଆରେ ଧାନ କ୍ରୟବିକ୍ରୟର ଟିକିନିଖି ତଥ୍ୟ ଉପଲବ୍ଧ ରହୁଛି। କିନ୍ତୁ ଏହି ପ୍ରକ୍ରିୟାକୁ ଚକ୍‌ମା ଦେଇ ଧାନ ହେରଫେର କରିବା ପଛରେ କାହାର ହାତ ରହିଛି, ତାହା ତଦନ୍ତ ସ‌ାପେକ୍ଷ। ଏଥିସହ ଏଭଳି ଅନିୟମିତତା କଷ୍ଟମ ମିଲିଂ ନିୟମ ଓ ଯୋଗାଣ ବିଭାଗର ନିୟମ ଅନୁସାରେ ଦଣ୍ଡନୀୟ ଅପରାଧ ହୋଇଥିଲେ ବି ଏପର୍ଯ୍ୟନ୍ତ ସଂପୃକ୍ତ ମିଲର୍ସଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କେବଳ ସମୟ ଗଡ଼ାଇବାକୁ ଓ ଅନିୟମିତତା ଘୋଡ଼ାଇବା ସୁଯୋଗ ଦେବାକୁ ନୋଟିସ୍ ଦିଆଯାଇଛି ବୋଲି କେତେକ ମହଲରେ ଅଭିଯୋଗ ଉଠିଛି। ଯୋଗାଣ ବିଭାଗର ଅଧିକାରୀମାନେ ଏ ନେଇ ମୁହଁ ଖୋଲୁନାହାନ୍ତି। ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ଯୋଗାଯୋଗ କରାଯିବାରୁ ସେ ଫୋନ୍‌ ଉଠାଇନଥିଲେ।

ତେବେ ଏନେଇ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ମତାମତ ଲୋଡ଼ିବାରୁ ସେ ଚଢ଼ଉ ସଂପର୍କରେ ସୂଚନା ଦେଇଥିଲେ। ଉକ୍ତ ମିଲ୍‌ରେ ଅବୈଧ ଭାବେ ଧାନ ଗଚ୍ଛିତ ଥିବାରୁ ଚଳିତ ଖରିଫ ଧାନ କିଣାରେ ସଂପୃକ୍ତ ମିଲର୍ସଙ୍କୁ ବାଦ୍‌ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର