ରା.ଉଦୟଗିରି: ଗଜପତି ଜିଲ୍ଲା ଖଜୁରିପଦା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଦୋଘରିଆ ପର୍ଯ୍ୟନ୍ତ ପ୍ରାୟ ୩ କିମି ଦୂର ମଧ୍ୟରେ ରାସ୍ତାକଡ଼ରେ ଥିବା ୧୦୩ ବହୁ ମୂଲ୍ୟବାନ ବିଶାଳ ଗଛକୁ କାଟି ଦିଆଯାଇଛି। ଶାଳ, ପିଆଶାଳ, ଆମ୍ବ, ପଣସ ଭଳି ମୂଲ୍ୟବାନ ଗଛଗୁଡ଼ିକୁ କାଟି ଦିଆଯାଇ କେବଳ ଥୁଣ୍ଟା ଗଣ୍ଡି ରହିଛି। ଉଦ୍‌ବେଗର ବିଷୟ, ରାସ୍ତା ଚଉଡ଼ା ପାଇଁ ଗଛ କାଟିଥିବା ଯୁକ୍ତି ଦର୍ଶାଯାଉଛି, କିନ୍ତୁ ପିଚୁ ପଡ଼ିସାରିବା ପରେ ଏତେ ସଂଖ୍ୟକ ଗଛ କାହିଁକି ଓ କାହା ନିର୍ଦ୍ଦେଶରେ କଟାଗଲା ସେ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ବର୍ତ୍ତମାନ ପ୍ରଚଣ୍ଡ ଖରା ଓ ଗରମରେ ଦେହମୁଣ୍ଡ ସିଝି ଯାଉଛି। ଦୋଘରିଆ ଆଶ୍ରମ ଉଚ୍ଚ ବିଦ୍ୟାଳୟ ଓ ଡା.ଆମ୍ବେଦକର ଯୁକ୍ତ ୩ ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା କାଳ ସାଜିଛି। ରାସ୍ତାରେ ଗଛ ଥିଲା ବେଳେ ଛାଇ ଟିକେ ମିଳୁଥିଲା। ହେଲେ, ଏବେ ବଡ଼ କଷ୍ଟରେ ସେଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଲା, ରାସ୍ତା ତ ତିଆରି ହେବା ପାଇଁ ପ୍ରଥମେ ପିଚୁ କାମ ହେଲା। ଗଛଗୁଡ଼ିକ କୌଣସି ବାଧକ ସାଜି ନ ଥିଲା। ରାସ୍ତା ନିର୍ମାଣ ହେବା ପରେ ଏତେଗୁଡ଼ିଏ ଗଛକୁ କାହିଁକି କାଟି ଦିଆଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ସେମାନଙ୍କ ଯୁକ୍ତି ହେଲା ଯଦି ରାସ୍ତା ଓସାର କରିବାର ଥିଲା ତେବେ ପ୍ରଥମେ ଗଛ କଟା ହେବା କଥା। କିନ୍ତୁ, ପିଚୁ ରାସ୍ତା କାମ ସରିବା ପରେ ଗଛ କଟାଯାଇ ଥିବାରୁ କେଉଁ ଉଦ୍ଦେଶ୍ୟରେ ଏଭଳି ଶତାଧିକ ବର୍ଷ ପୁରୁଣା ମୂଲ୍ୟବାନ ଗଛଗୁଡ଼ିକୁ କାଟି ଦିଆଗଲା ବୋଲି ଏକ ପ୍ରଶ୍ନ ସେମାନଙ୍କୁ ବ୍ୟଥିତ କରିଛି।

ଏ ନେଇ ରା.ଉଦୟଗିରି ପୂର୍ତ୍ତବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କ ଯୁକ୍ତି କହିଲେ, ପିଚୁ ରାସ୍ତା ସିନା ହେଇଗଲା, ଡ୍ରେନ୍‌ କାମ ତ ଅଛି। ସେଥିପାଇଁ କଟାଗଲା। ରାସ୍ତା ତିଆରି ପୂର୍ବରୁ ଗଛ କଟା ହେବା ପାଇଁ ଚିହ୍ନଟ ସରିଥିଲା। ବିଦ୍ୟୁତ ବିଭାଗ କ୍ଲିୟରାନ୍ସ ମିଳିବା ପରେ ଆଉ ଦୁଇଟି ଗଛ କଟାଯିବ ବୋଲି ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ କୁହାଯାଇଛି। ତେବେ, ଦିନକୁ ଦିନ ଖରା‌ର ପ୍ର କୋପ ବୃଦ୍ଧି ପାଉଥିବା ବେଳେ ଶତାଧିକ ବର୍ଷର ବଡ଼ ବଡ଼ ବୃକ୍ଷ ନ କାଟି ତା ପାଖ ଦେଇ ନାଳ ନିର୍ମାଣ କରାଯାଇଥିଲେ ଅସୁବିଧା କୋଉଠି ରହିଥାନ୍ତା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।