ବର୍ଷାପାଣି ସଂରକ୍ଷଣ ଆଳରେ ଗଛକଟା, ମୋରମ ​ଚାଲାଣ

ବର୍ଷାପାଣି ସଂରକ୍ଷଣ ଆଳରେ ଗଛକଟା, ମୋରମ ​ଚାଲାଣ

ଧର୍ମଶାଳା : ଧର୍ମଶାଳା ତହସିଲ ଅନ୍ତର୍ଗତ ବୌଦ୍ଧ ସଂସ୍କୃତି ସଂପନ୍ନ ନେଉଳପୁର ପାହାଡ଼ରେ ବର୍ଷାପାଣି ସଂରକ୍ଷଣ ଆଳରେ ବହୁ ଗଛକଟା ଯାଉଥିବା ବେଳେ ମୋରମ୍ ଚୋରା ଚାଲାଣ ହେଉଛି। ବୌଦ୍ଧ କୀର୍ତ୍ତିରାଜି ଓ ପରିବେଶ ନଷ୍ଟ ହେବା ସହିତ ରାଜ୍ୟ ସରକାରଙ୍କର ବିପୁଳ ରାଜସ୍ବହାନୀ ହେଉଛି। ଏହାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗରୁ ପ୍ରକାଶ ଯେ, ବନ ବିଭାଗ ପକ୍ଷରୁ ବର୍ଷାପାଣି ସଂରକ୍ଷଣ ପାଇଁ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନେଉଳପୁର ଓ ସୁନ୍ଦୁରିଆ ଅଞ୍ଚଳରେ ଥିବା ପାହାଡ଼ ଚତୁଃପାର୍ଶ୍ବରେ ନାଳ ଖୋଳାଯାଉଛି। ଏକାଧିକ ପୋକଲିନ୍ ମେସିନ୍‌ରେ ପାହାଡ଼ ତଡ଼ା ଯାଉଥିବା ବେଳେ ଏଥିପାଇଁ ସେଠାରେ ଥିବା ବହୁ ଗଛ ଉପୁଡ଼ିଯାଉଛି। ପୂର୍ବରୁ ବନ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ବୃକ୍ଷରୋପଣ କରାଯାଇଥିଲା।

ଯାହା ଏବେ ନଷ୍ଟ ହେଉଛି। ଶହଶହ ସଂଖ୍ୟାରେ ଗଛକଟା ହେବା ଦ୍ବାରା ମୃତ୍ତିକା କ୍ଷୟ ହେବା ସହିତ ପାହାଡ଼ିଆ ଅଂଚଳରେ ଅଧିକ ଗରମ ଅନୁଭୂତ ହେଉଛି। କଟାଯାଇଥିବା ଗଛକୁ ନିଲାମ ଡକାଯିବା ବଦଳରେ ବେଆଇନ ଭାବେ ଏହାକୁ ବିକ୍ରି କରି ଦିଆଯାଇଛି। ନିୟମାନୁସାରେ ପାହାଡ଼ ଖନନରୁ ବାହାରୁଥିବା ମୋରମ୍‌କୁ ନାଳ ପାର୍ଶ୍ବରେ ପକାଯିବା କଥା। ହେଲେ ଏହାକୁ ରାତିଅଧିଆ ଅନ୍ୟତ୍ର ଚାଲାଣ କରାଯାଉଛି। ଏଠାରେ ଥିବା ବୌଦ୍ଧ କୀର୍ତ୍ତିରାଜି ଧ୍ବଂସ ହେବା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଗଛ ଓ ମୋରମ୍ ବିକ୍ରିକରି ଠିକାଦାର ଓ ବିଭାଗୀୟ ଅଧିକାରୀ ମାଲାମାଲ ହେଉଥିବା ଅଭିଯୋଗରେ ଦର୍ଶାଯାଇଛି। ସୂଚନା ଅନୁସାରେ, ନେଉଳପୁର ପାହାଡ଼ରୁ ବୋହି ଯାଉଥିବା ବର୍ଷାପାଣିକୁ ସଂରକ୍ଷଣ ପାଇଁ ଏହାର ଚତୁଃପାର୍ଶ୍ବରେ ନାଳ ଖୋଳାଯାଉଛି। ଏହି ନାଳରେ ଚୁଆ କରାଯାଇ ପର୍ଯ୍ୟାୟକ୍ରମେ ବର୍ଷାପାଣିକୁ ସଂରକ୍ଷଣ କରାଯିବ। ପାଣି ପାହାଡ଼ ଚାରିପଟେ ମହଜୁଦ ରହିଲେ ଖରାମାସରେ ଜଳସ୍ତର କମିବ ନାହିଁ। କୂଅ, ପୋଖରୀ ଶୁଖିବ ନାହିଁ।

ବନ୍ୟଜନ୍ତୁଙ୍କ ସମେତ ଗୋରୁଗାଈ ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କରିବେ। ସେହିପରି ଏହି ପାଣିକୁ ଚାଷକାମରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ବନବିଭାଗ ପକ୍ଷରୁ ସଫେଇ ଦିଆଯାଇଛି। ବର୍ଷାପାଣି ସଂରକ୍ଷଣ ଆଳରେ ଶହଶହ ଗଛ କଟାଯିବା ସହିତ ବୌଦ୍ଧ କୀର୍ତ୍ତିକୁ ଧ୍ବଂସ କରାଯାଉଛି। ଏପଟେ ନିର୍ମାଣାଧୀନ ପ୍ରକଳ୍ପ ସଂପର୍କରେ ଠିକାଦାର କୌଣସି ସ୍ଥାନରେ ସୂଚନାଫଳକ ମଧ୍ୟ ଲଗାଇନାହାନ୍ତି। ପ୍ରକଳ୍ପ ସଂପର୍କରେ ସ୍ଥାନୀୟ ଜନସାଧାରଣ ଅନ୍ଧାରରେ। ନେଉଳପୁର ପାହାଡ଼ରେ ଏକାଧିକ ବୌଦ୍ଧଯୁଗୀୟ ଗୁମ୍ପା ରହିଥିବା ବେଳେ ପାହାଡ଼ ଶୀର୍ଷରେ ଏକ ବୃହତ ବୌଦ୍ଧମୂର୍ତ୍ତି ନିର୍ମାଣ ହେବ ବୋଲି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ଏପରି ସ୍ଥଳେ ଏହି ଐତିହ୍ୟ ସଂପନ୍ନ ପାହାଡ଼କୁ ବିକଳାଙ୍ଗ କରିବା ଯୋଜନାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe