ପାରଳାଖେମୁଣ୍ଡି/ମୋହନା: ଗୁଣିଗାରେଡ଼ି ସନ୍ଦେହରେ ଗଜପତିଜିଲ୍ଲା ମୋହନା ଥାନା ରାଚାଗୁଡ଼ା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋପାଳ ମଲ୍ଲିକ (୩୫) ନାମକ ଜଣେ ଯୁବକଙ୍କୁ ଗ୍ରାମବାସୀ କୋଠଘର ଭିତରେ ରଖି ମାର୍‌ପିଟ୍‌ କରିବା ସହ ‌ତାଙ୍କ ଯୌନାଙ୍ଗକୁ କାଟି ଅକଥନୀୟ ନିର୍ଯାତନା ଦେଇଥିଲେ। ହତ୍ୟା ପରେ ମୃତଦେହକୁ ହରଭଙ୍ଗୀ ଡ୍ୟାମ୍‌ରେ ଫୋପାଡ଼ି ଦିଆଯାଇଥିଲା। ଏହି ଘଟଣା ପରେ ଅଟୋ ଯୋଗେ ଫେରାର ହେବାକୁ ଉଦ୍ୟମ କରୁଥିବା ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୋହନା ପୁଲିସ। ଏଥିସହ ଘଟଣାରେ ସଂପୃକ୍ତ ଜଣେ ନାବାଳକକୁ ମଧ୍ୟ କାବୁ କରାଯାଇଛି। ଅଭିଯୁକ୍ତମାନଙ୍କ ବୟାନ ଆଧାରରେ ଡ୍ୟାମ୍‌ରୁ ଗୋପାଳଙ୍କ ହାତଗୋଡ଼ବନ୍ଧା ଶବ ସମେତ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ପଥର ଓ ଦଉଡ଼ିକୁ ଜବତ କରିଛି। ତିନିଟି ଅଟୋ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି। ୬ ଜଣ ଅଭିଯୁକ୍ତ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ବେଳେ ୮ ଜଣ ସହଯୋଗ କରିଥିଲେ। ଆସନ୍ତାକାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଗଜପତି ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Advertisment
୧୩ ଗିରଫ, ଜଣେ ନାବାଳକ ସଂପୃକ୍ତ
ପୁଲିସ ତଦନ୍ତରୁ ଜଣାପଡ଼ିଛି, ୧୫ ଦିନ ତଳେ ରାଚାଗୁଡ଼ା ଗ୍ରାମରେ ସୁବାସ ମଲ୍ଲିକଙ୍କ ପତ୍ନୀ ଝୁନୁ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ଗୋପାଳଙ୍କ ଦ୍ବାରା ଗୁଣିଗାରେଡ଼ି ଯୋଗୁଁ ଝୁନୁଙ୍କ ମୃତ୍ୟୁ ଘଟିଥିବା ନେଇ ସୁବାସ ଓ ଗ୍ରାମବାସୀ ସନ୍ଦେହ କରିଥିଲେ। ଫଳରେ ଭୟରେ ଗୋପାଳ ନିଜ ଗାଁ ଛାଡ଼ି ଶ୍ବଶୁରଘର ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ଖଣ୍ଡିଗାଁକୁ ଚାଲିଆସିଥିଲେ। ଆଉ ସବୁଦିନ ପାଇଁ ରାଚାଗୁଡ଼ା ଗାଁ ଛାଡ଼ିବା ଲାଗି ଯୋଜନା କରିଥିଲେ। ଏଥିପାଇଁ ସେ ଶାଳକଙ୍କ ସହ ବାଇକ୍‌ରେ ଆସିଥିଲେ। ଗାଁଠୁ କିଛି ଦୂର ପଳାସପଦର ନିକଟରେ ଅପେକ୍ଷା କରିବା ସହ ଗାଁରେ ଥିବା ଛେଳି, ଗାଈଗୋରୁ ଓ ଆସବାବପତ୍ର ନେଇ ପଳାଇବାକୁ ଚେଷ୍ଟା କରିଥିଲେ। ଏହାଜାଣିବା ପରେ କିଛି ଗ୍ରାମବାସୀ ସେଠାରେ ପହଞ୍ଚି ଗୋପାଳଙ୍କୁ କାବୁ କରି ଟାଣି ନେଇଥିଲେ। କୋଠଘରେ ରଖି ନିସ୍ତୁକ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ। ପରେ ହରଭଙ୍ଗୀ ଡ୍ୟାମ୍‌ ନିକଟକୁ ଟାଣିନେଇ ତାଙ୍କ ‌ଯୌନାଙ୍ଗକୁ କାଟି ହାତଗୋଡ଼ ବାନ୍ଧିବା ପରେ ଡ୍ୟାମ୍‌ ଭିତରକୁ ଫୋପାଡ଼ି ଦେଇଥିଲେ। 
ମୃତକଙ୍କ ଭାଉଜ ସୀତା ମଲ୍ଲିକଙ୍କ ଏତଲା କ୍ରମେ କେସ୍‌ ନମ୍ବର ୧୧୩/୨୫ରେ ଏକ ମାମଲା ରୁଜୁ ସହ ଜଣେ ନାବାଳକଙ୍କ ସମେତ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ, ମରା ମଲ୍ଲିକ , ସୀମାଞ୍ଚଳ ମଲ୍ଲିକ, ରମାକାନ୍ତ ମଲ୍ଲିକ, କୁମର ମଲ୍ଲିକ, ଘାସିରାମ ମଲ୍ଲିକ, ସୁବାସ ମଲ୍ଲିକ, ପ୍ରଫୁଲ ମଲ୍ଲିକ, ଅଜୟ ମଲ୍ଲିକ, ଗୋରା ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ସୁଦୟା ମଲ୍ଲିକ ଓ ଶିବାନନ୍ଦ  ମଲ୍ଲିକ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୩ ଜଣ ଅଟୋ ଚାଳକ ଅଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।