ଭୁବନେଶ୍ବର: ରାଜ୍ୟରେ ଲକ୍ଷାଧିକ ମୃତକ (ଭୂତ)ଙ୍କ ନାଁରେ ଉଠୁଥିଲା ରାସନ ଚାଉଳ। ବର୍ଷ ବର୍ଷ ଧରି ଏହି ଭୂତ ହିତାଧିକାରୀମାନେ ମାଗଣା ଚାଉଳ ନେଉଥିଲେ। ଯୋଗାଣ ବିଭାଗ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିବା ପରେ ଭୂତ କାର୍ଡ କେଳେଙ୍କାରୀ ଧରାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୫.୭୫ଲକ୍ଷ ମୃତକଙ୍କ ରାସନ କାର୍ଡକୁ କାଟି ଦିଆଯାଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଶ୍ରୀ ପାତ୍ର କହିଛନ୍ତି ଯେ ଅଧିକ ରୋଜଗାର କରୁଥିବା ବର୍ଗର ବ୍ୟକ୍ତିଙ୍କୁ ରାସନ କାର୍ଡ ନିଜ ଆଡ଼ୁ ଫେରାଇ ଦେବା ଲାଗି ରାଜ୍ୟ ସରକାର କହିଥିଲେ। ଏହାଭିତରେ ୧ଲକ୍ଷ ୫ହଜାର ଆୟକରଦାତା କାର୍ଡ ଫେରାଇ ସାରିଲେଣି। ବିଗତ ୩-୪ବର୍ଷ ହେବ ରାଜ୍ୟର ୧୪ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବଦେନ କରି କାର୍ଡ ଅପେକ୍ଷାରେ ରହିଥିଲେ। ସେଥିରୁ ୬ ଲକ୍ଷ ଗରିବ ଲୋକଙ୍କୁ କାର୍ଡ ଦିଆଯାଇଛି। ଯେଉଁଠାରେ ଧନୀ ଲୋକମାନେ କାର୍ଡ ପାଇଛନ୍ତି ସେମାନଙ୍କୁ ତାଲିକାରୁ ବାଦ୍ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୫.୭୫ ମୃତକଙ୍କ ନାଁରେ ଉଠୁଥିଲା ଚାଉଳ
୧.୫ ଲକ୍ଷ ଆୟକରଦାତା ଫେରାଇଲେଣି କାର୍ଡ
ମନ୍ତ୍ରୀ କହିଛନ୍ତି, ଅତି ଦରିଦ୍ର ବ୍ୟକ୍ତିଙ୍କୁ ଅନ୍ତ୍ୟୋଦୟ କାର୍ଡ ଜରିଆରେ ମାଗଣା ୩୫ କେଜି ଚାଉଳ ଦିଆଯିବାର ବ୍ୟବସ୍ଥା ରହିଛି। ହେଲେ ଯାଞ୍ଚ ବେଳେ ଗୋଟିଏ ପରିବାରର ୩ଜଣ ଲୋକ ଏହି କାର୍ଡ ହାତେଇଥିବା ଜଣାପଡ଼ିଥିଲା। ଏଭଳି ତଞ୍ଚକତା କରିଥିବା ଲୋକଙ୍କ କାର୍ଡ କାଟି ଦିଆଯାଇଛି। ଯେଉଁଠାରେ ଧନୀ ଲୋକମାନେ ଗରିବ ଲୋକଙ୍କ ଅଧିକାରକୁ ମାଡ଼ି ବସିଛନ୍ତି ସେଥିରୁ ବେଦଖଲ କରିବା ଲାଗି ଯୋଗାଣ ଅଧିକାରୀମାନଙ୍କୁ କୁହାଯାଇଛି। ରାଜ୍ୟରେ ଦୀର୍ଘମାସ ଧରି ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ହେଲେ ସେପ୍ଟେମ୍ବର ପହିଲା ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧.୭ ଲକ୍ଷ, ମୟୂରଭଞ୍ଜରେ ୧ ଲକ୍ଷ, କଳାହାଣ୍ଡିରେ ୯୮ ହଜାର, କଟକରେ ୯୫ ହଜାର, ବଲାଙ୍ଗୀରରେ ୯୧ ହଜାରଙ୍କୁ ମିଶାଇ ୧୭ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଏହାଭିତରେ କେନ୍ଦ୍ର ସରକାର ଇ-କେୱାଇସି ଅବଧିକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ବେଳକୁ ଆହୁରି ଅନେକ ଭୂତ ହିତାଧିକାରୀ ଚିହ୍ନଟ ହୋଇପାରନ୍ତି।