କାଳିଆପାଣି: ବନ ବିଭାଗ ନିଆଁଲିଭା କାର୍ଯ୍ୟରେ ବ୍ୟସ୍ତଥିବା ସୁଯୋଗରେ ତଳ ନଗଡ଼ାର ୧୦ ରୁ ଅଧିକ ଜୁଆଙ୍ଗ ପରିବାର ଦୁଇରୁ ତିନିଦିନ ମଧ୍ୟରେ ପାର୍ଶ୍ବବର୍ତ୍ତୀ ଦୈତାରୀ ସୁରକ୍ଷିତ ଜଙ୍ଗଲ ପରିସରସ୍ଥ ୩୫ ଏକର ଜଙ୍ଗଲ କାଟି ପଦା କରିଦେଇଥିବା ଅଭିଯୋଗ ହୋଇଛି। ଆଜି ଭୋରୁ ସୁକିନ୍ଦା ‌ରେଞ୍ଜ୍ ରାଁସୋଳ ସେକ୍ସନ ପକ୍ଷରୁ ବନପାଳ ନରେଶ କୁମାର ଟୁଡ଼ୁ, ବନରକ୍ଷୀ ଇପସିତ ରାୟ ନାଏକ ଓ ଗଙ୍ଗାଧର ମୁର୍ମୁ, ସହଯୋଗୀ ଦୋକାନୀ ପାତ୍ର ଓ ବୁଦ୍ଧିମନ୍ତ ମହାକୁଡ଼ ଏଠାରେ ଚଢ଼ଉ କରିଥିଲେ।

Advertisment

୫ ଜଣ ଅଭିଯୁକ୍ତ ଦୌଡ଼ି ପଳାଇଥିବା ବେ‌ଳେ ତଳ ନଗଡ଼ାର ବ୍ରହ୍ମା ପ୍ରଧାନ(୩୦) ଓ ମଙ୍ଗଳୁ ପ୍ରଧାନ(୩୭) ବନ ବିଭାଗ ହାତରେ ଧରା ପଡ଼ିଛନ୍ତି। ସେମାନଙ୍କ ଠାରୁ ଏକାଧିକ ଟାଙ୍ଗିଆ ଓ କଟୁରି ଜବତ କରାଯାଇଛି। ପୋଡ଼ୁଚାଷ ଯୋଜନାରେ ଜଙ୍ଗଲ କାଟିଥିବା ନେଇ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। ଅଭିଯୁକ୍ତ ଦ୍ବୟଙ୍କୁ ବନ ସଂରକ୍ଷଣ ଆଇନ(୧୯୭୨)ର ଧାରା ୩୭(୧)ସି ଓ ଡି ଆଧାରରେ ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ‌ହେବାରୁ ଉଭୟଙ୍କୁ ବିଚ‌ାର ବିଭାଗୀୟ ହାଜତ ପଠାଇ ଦିଆଯାଇଥିବା ସୂଚନା ମିଳିଛି।