ନିଶାସକ୍ତ ଯୁବକର ଉନ୍ମତ୍ତ କାଣ୍ଡ, ଶିଶୁକନ୍ୟାର ହାତକୁ ହାଣି ଦୁଇଖଣ୍ଡ କରିଦେଲା

ଖଇରା: ମଙ୍ଗଳବାର ଔପଦା ଥାନା ପାଇକପଡ଼ା ଗ୍ରାମରେ ଘଟିଛି ଏକ ବୀଭତ୍ସ ଘଟଣା। ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଦୁଇମାସ ଶିଶୁକନ୍ୟାର ଡାହାଣ ହାତକୁ କଟୁରିରେ ହାଣି ଦୁଇଗଡ଼ କରିଦେଇଛି। ପ୍ରକାଶ ଯେ, ପାଇକପଡ଼ା ଗ୍ରାମର ପଙ୍କଜ ନାଇକୀ ଆଜି ସନ୍ଧ୍ୟାରେ ତାଙ୍କର ଦୁଇମାସର ଶିଶୁକନ୍ୟାକୁ ଧରି ଘରେ ଟିଭି ଦେଖୁଥିଲେ। ଏହି ସମୟରେ ତାଙ୍କ ପଡ଼ୋଶୀ ବାଇଧର ନାଇକୀଙ୍କ ପୁଅ ଗଣେଶ ନିଶାସକ୍ତ ଅବସ୍ଥାରେ ଆସି ସେଠାରେ ପହଞ୍ଚିଥିଲା। ବିନା କାରଣରେ ପଙ୍କଜଙ୍କ ସହିତ ଝଗଡ଼ା କରିବାରୁ ଦୁହିଁଙ୍କ ମଧ୍ୟରେ ଉଚ୍ଚବାଚ ଚାଲିଥିବାବେଳେ ଗଣେଶ ଉତ୍‌କ୍ଷିପ୍ତ ହୋଇ ହାତରେ ଧରିଥିବା ଧାରୁଆ କଟୁରିରେ ପଙ୍କଜଙ୍କୁ ଆକ୍ରମଣ କରିଥିଲା। ଏଥିରେ ପଙ୍କଜଙ୍କ ହାତ ପାପୁଲି ଅଧା କଟିଯିବା ସହିତ ସେ ଧରିଥିବା ଦୁଇ ମାସର ଶିଶୁକନ୍ୟାର ଡାହାଣ ହାତଟି ସମ୍ପୂର୍ଣ୍ଣ ଛିଡିଯାଇଥିଲା। ଗ୍ରାମବାସୀ ଉଭୟ ବାପ-ଝିଅଙ୍କୁ ସଙ୍ଗେ ସଙ୍ଗେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର