ଧାମନଗର : ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ଯାଇ ଖାଦ୍ୟନଳୀ କାଟି ଦେଲେ ଡାକ୍ତର। ଅସ୍ତ୍ରୋପଚାରଜନିତ ତ୍ରୁଟି ଯୋଗୁଁ ଏବେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ପଳିକିରି ଗୋପାଳପୁର ଗାଁର ନିରଞ୍ଜନ ବାରିକଙ୍କ ପତ୍ନୀ କ୍ଷେତିପ୍ରଭା ବାରିକ (୩୩)।

Advertisment

ପଳିକିରି ଗାଁର ନିରଞ୍ଜନ ବାରିକଙ୍କ ଅଭିଯୋଗ ମୁତାବକ ତାଙ୍କ ପତ୍ନୀ କ୍ଷେତିପ୍ରଭାଙ୍କୁ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ୧୭ ତାରିଖରେ ସେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଶିବିରରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସୂତି ବିଶେଷଜ୍ଞ ଡାକ୍ତର ଅମରେନ୍ଦ୍ର ଜେନା କ୍ଷେତିପ୍ରଭାଙ୍କର ଅସ୍ତ୍ରୋପଚାର କରିଥିଲେ। ତେବେ କ୍ଷେତିପ୍ରଭାଙ୍କ ଗର୍ଭନାଡ଼ି ବଦଳରେ ଖାଦ୍ୟନଳୀକୁ କାଟି ଦେଇଥିଲେ ଡାକ୍ତର। ଭୁଲ ଜାଣିବା ପରେ ଖାଦ୍ୟନଳୀକୁ ପୁଣି ଯୋଡ଼ି ଦେଇଥିଲେ। ଘରକୁ ଫେରିବା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୧୮ ତାରିଖରେ ପତ୍ନୀଙ୍କୁ ଧାମନଗର ଡାକ୍ତରଖାନା ଆଣିଥିଲେ ନିରଞ୍ଜନ। ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇବା ପରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସିନଥିଲା। ଅବସ୍ଥା ସ˚କଟାପନ୍ନ ହେବାରୁ କ୍ଷେତିପ୍ରଭାଙ୍କୁ ୧୯ ତାରିଖରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବା ପରେ ତାଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ନେଇଯିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। କଟକରେ ପୁଣି କ୍ଷେତିପ୍ରଭାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଦୀର୍ଘ ଦେଢଘଣ୍ଟା ଅସ୍ତ୍ରୋପଚାର ପରେ କ୍ଷେତିପ୍ରଭା ଯନ୍ତ୍ରଣାରୁ ସାମାନ୍ୟ ଉପଶମ ପାଇଥିଲେ ମଧ୍ୟ ଏବେ ବି ସ˚କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଜୀବନମରଣ ସମସ୍ୟା ସହ ଯୁଝି ହେଉଛନ୍ତି। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ପତ୍ନୀଙ୍କୁ କ୍ଷତିପୂରଣ ଦେବାକୁ ସ୍ବାମୀ ନିରଞ୍ଜନ ଦାବି କରିଛନ୍ତି।

ଅପରପକ୍ଷେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ କଟକରେ ପହଞ୍ଚି ଏହି ଘଟଣାର ତଦନ୍ତ କରୁଛନ୍ତି। ତେବେ ମହିଳାଜଣକ ସୁସ୍ଥ ହୋଇ ଫେରିବାପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଦୀପକ ନାୟକ କହିଛନ୍ତି।