ରାଉରକେଲା: ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲକୁ ମାଡ଼ି ଆସିଛି ବିପଦ। ଜବରଦଖଲକାରୀଙ୍କ ତାଡ଼ନାରେ ପାହାଡ଼ ବିଦୀର୍ଣ୍ଣ ହୋଇଯାଇଛି। ରାତାରାତି ଗଛକାଟି ପାହାଡ଼କୁ ଲଣ୍ଡା କରି ଛିଡା କରି ଦେଉଛନ୍ତି ଘର। ବର୍ଷ ବର୍ଷ ଧରି ଚାଲିଛି ଏଭଳି ବେଆଇନ କାମ। ଛେଣ୍ଡ ହନୁମାନ ମନ୍ଦିର ପାହାଡ଼ ଆରମ୍ଭରୁ ସେକ୍ଟର-୨୧ ନୟାବଜାର ପର୍ଯ୍ୟନ୍ତ ପାହାଡର ଉଭୟ ପାର୍ଶ୍ବରେ ଗତ ୩/୪ ବର୍ଷ ତଳେ ଯେତିକି ଘର ନିର୍ମାଣ ହୋଇଥିଲା। ଏବେ ତା’ର ୫ ଗୁଣ ଘର ନିର୍ମାଣ ସରିଲାଣି। ନିକଟରେ ଉଭୟ ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ଦାଗିଦ୍‌କୁ ବେଖାତିର କରି ବେଧଡକ୍‌ ଚାଲିଛି ଗୋଟିଏ ପରେ ଗୋଟିଏ ଘର।

Advertisment

ମାସକ ମଧ୍ୟରେ ପ୍ରାୟ ୧୦ରୁ ୨୦ ଘର ନିର୍ମାଣ ସରିଲାଣି। ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଏମାନଙ୍କ ବିରୋଧରେ କୌଣସି ଦୃ୍ଷ୍ଟାନ୍ତମୂଳକ  କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ସେମାନେ ଏହାର ଭରଫୁର ଫାଇଦା ଉଠାଉଛି। ଫଳରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଚାରାରୋପଣ କରି ସବୁଜିମା ସୃଷ୍ଟି କରାଯାଉଛି। ଅଧ ରାତିରେ ବଡ ବଡ ମୂଲ୍ୟବାନ ଗଛଗୁଡ଼ିକୁ କାଟିଦିଆ ଯାଉଛି। ବାସନ୍ତୀକଲୋନି, ଲେବରଟେନାମେଣ୍ଟ, ନୟାବଜାର, ସେକ୍ଟର-୬ ନିକଟ ବସ୍ତି ସମେତ ଉଭୟ ପାର୍ଶ୍ବରେ ଶହ ଶହ ବସ୍ତି ଗଢ଼ି ଉଠିଛି।

ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ, ଏଥି‌ରେ ଦ୍ବିମତ ନାହିଁ। ବିଜେପିର ରାଜ୍ୟମୁଖପାତ୍ର ଧୀରେନ ସେନାପତି ଜଙ୍ଗଲକୁ ସୁରକ୍ଷା ଦେବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସ୍ମାର୍ଟସିଟିର ପରିବେଶକୁ ରକ୍ଷା କରିବାକୁ ହେଲେ ଦୁର୍ଗାପୁର ପାହାଡକୁ ସବୁଜିମା କରିବାର ଆବଶ୍ୟକତା ରହିଛି। କିଛି ଜବରଦଖଲକାରୀ ଓ ଦଲାଲଙ୍କ ଯୋଗୁଁ ସବୁଜିମାଭରା ଦୁର୍ଗାପୁର ପାହାଡ ଦିନକୁ ଦିନ ଲଣ୍ଡା ହେବାକୁ ବସୁଛି। ତୁରନ୍ତ ବେଆଇନ ଘର ନିର୍ମାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।