ପୁରୀରେ ୫ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ କଟକଣା, ହୋଟେଲ୍‌ରେ ରହିବାକୁ ୭୨ ଘଣ୍ଟାର ଟେଷ୍ଟ ପ୍ରମାଣପତ୍ର ବାଧ୍ୟତାମୂଳକ

ଲକ୍ଷଣ ଦେଖିଲେ ୭ ଦିନିଆ ସଂଗରୋଧ

ପୁରୀ: ପୁରୀ ଜିଲ୍ଲାରେ ହୁହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ଗତ କିଛିଦିନ ଧରି କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦୁଇ ଅଙ୍କ ତଳକୁ ଖସିବାର ନାଁ ଧରୁନି। ଆଜି ଗୋଟିଏ ଦିନରେ ୨୪ ଜଣ କରୋନା ଆକ୍ରାନ୍ତ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟର ପର୍ଯ୍ୟଟକଙ୍କ ହୋଟେଲ ରହଣି ଉପରେ ପୁରୀ ଜିଲ୍ଲା ପ୍ରଶାସନ ଆଜିଠାରୁ କଟକଣା ଲଗାଇଛି। ରହିବା ପୂର୍ବରୁ କୋଭିଡ୍‌ ପରୀକ୍ଷା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ସେପଟେ ରେଳ ଷ୍ଟେସନ୍‌ରେ ଯାତ୍ରୀଙ୍କ ଥର୍ମାଲ୍‌ ସ୍କାନିଂ, ଆର୍‌ଟିପିସିଆର ଟେଷ୍ଟିଂ ବ୍ୟବସ୍ଥା ଲାଗୁ କରାଯାଇଛି। କିନ୍ତୁ ହଲି ଡେ ହୋମ୍‌, ଗେଷ୍ଟ୍‌ ହାଉସ୍‌ ଆଦିରେ କଟକଣା ଲାଗିନଥିବାରୁ ପୁରୀ ଜିଲ୍ଲା ହୋଟେଲ ସଂଘ ପ୍ରତିକ୍ରିୟା ପ୍ରକାଶ କରିଛି। ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ଦାବି ରଖିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁରୀ ଜିଲ୍ଲାର ହୋଟେଲ୍‌ ମାଲିକମାନଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କରୋନା ସଂକ୍ରମଣକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଆଲୋଚନା ପରେ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ବୁକିଂ ପୂର୍ବରୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ସଂପର୍କରେ ସୂଚନା ଦେଇ ପୁରୀ ଜିଲ୍ଲା ହୋଟେଲ ସଂଘ ସଭାପତି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ପଞ୍ଜାବ, ଛତିଶଗଡ଼, କେରଳ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ୫ଟି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନଙ୍କ ହୋଟେଲ ରହିବା ଉପରେ କଟକଣା ଲାଗୁ କରାଯାଇଛି।

ଉପରୋକ୍ତ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ ହୋଟେଲରେ ରହିବାକୁ ହେଲେ ୭୨ ଘଣ୍ଟା ଭିତରେ କୋଭିଡ୍‌ ଟେଷ୍ଟ କରିଥିବା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସେହିଭଳି ଯେଉଁମାନେ କୋଭିଡ୍‌ର ଦ୍ବିତୀୟ ଟିକା ନେଇ ସାରିଛନ୍ତି, ସେମାନେ ହୋଟେଲ୍‌ରେ ରହିପାରିବେ। ରହିବା ଭିତରେ ଯଦି କାହାରିଠାରେ କରୋନାର ଲକ୍ଷଣ ଦେଖାଯାଏ, ସେମାନଙ୍କୁ ୭ ଦିନିଆ ସଂଗରୋଧରେ ରଖାଯିବ। କୋଭିଡ୍‌ ପରୀକ୍ଷା ପରେ ଯଦି ପଜିଟିଭ୍‌ ଆସିବ, ଡାକ୍ତରଖାନାରେ ଭର୍ତ୍ତି କରାଯିବ। ହୋଟେଲକୁ ଆସୁଥିବା ପର୍ଯ୍ୟଟକଙ୍କ ମାସ୍କ୍‌ ପିନ୍ଧିବା ଉପରେ ବି କଡ଼ା ନଜର ରଖିବାକୁ କୁହାଯାଇଛି। ସବୁ ହୋଟେଲରେ ସାନିଟାଇଜର୍‌ ବ୍ୟବସ୍ଥା କରିବାକୁ କୁହାଯାଇଛି। ସମ୍ମିଳନୀ କକ୍ଷରେ କୌଣସି ବୈଠକ କିମ୍ବା ବିବାହ ଭୋଜି ଆଦିର ଆୟୋଜନରେ ବି କଟକଣା ଲାଗିବ।

କୌଣସି ପରିସ୍ଥିତିରେ ଦୁଇ ଶହରୁ ଅଧିକ ଲୋକ ଜମା ହୋଇପାରିବେନି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ପୁରୀ ଜିଲ୍ଲା ତଥା ସହରରେ ଥିବା ହଲିଡେ ହୋମ୍, ଗେଷ୍ଟ ହାଉସ୍‌, ଆପାର୍ଟମେଣ୍ଟ୍‌ରେ ବାହାର ରାଜ୍ୟର ସିଂହଭାଗ ପର୍ଯ୍ୟଟକ ରହୁଥିବାରୁ ଏଠାରେ ବି ପ୍ରଶାସନ ଯାଞ୍ଚ କରିବାକୁ ଶ୍ରୀ ଦାସମହାପାତ୍ର ବୈଠକରେ ଦାବି ରଖିଥିଲେ। ପ୍ରଶାସନ ତୁରନ୍ତ ଗେଷ୍ଟହାଉସ୍‌, ହଲିଡେ ହୋମ୍‌, ଆପାର୍ଟମେଣ୍ଟ ମାଲିକମାନଙ୍କୁ ଡାକି ଆଲୋଚନା କରିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ଫନି ପରେ କରୋନା ହୋଟେଲ ଶିଳ୍ପକୁ ବହୁ କ୍ଷତି ପହଞ୍ଚାଇଛି। ଏ ଦିଗରେ ସରକାରୀ ସହାୟତା ପାଇଁ ହୋଟେଲ୍‌ ସଂଘ ଦାବି କରିଥିଲା। ଏ ଦିଗରେ ସରକାର କୌଣସି ସହାୟତା ପ୍ରଦାନ କରିନାହାନ୍ତି। ଏଥି ପାଇଁ ଦୃଷ୍ଟି ଦେବାକୁ ସଂଘ ଦାବି ରଖିଛି। ଯେଉଁ କର୍ମଚାରୀମାନେ ହୋଟେଲରେ କାମ କରୁଛନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସଂଘ ଦାବି କରିଛି। ସେହିଭଳି କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସମୁଦ୍ର କୂଳରେ ଗୋଟିଏ ଅସ୍ଥାୟୀ ମେଡିକାଲ୍‌ ସହ ଆମ୍ବୁଲାନ୍ସ ବ୍ୟବସ୍ଥା ଓ ଜରୁରୀକାଳୀନ ନମ୍ବର ଜାରି କରିବାକୁ ସଂଘ ମଧ୍ୟ ଦାବିରଖିଛି।

ସମ୍ବନ୍ଧିତ ଖବର