କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ସଂପର୍କରେ ଆଲୋଚନା ପାଇଁ ଆସନ୍ତା ୧୮ତାରିଖ ଅପରାହ୍ନରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଅନ୍ୟପଟେ ଅସ୍ଥାୟୀ ହେଲିପ୍ୟାଡ୍ ସହ ରାଷ୍ଟ୍ରପତି ଯେଉଁ ସବୁ ରାସ୍ତା ଦେଇ କାର୍ଯ୍ୟକ୍ରମସ୍ଥଳୀକୁ ଯିବେ ସେହି ରାସ୍ତାଗୁଡିକର ମରାମତି ଓ ସୌନ୍ଦର୍ଯ୍ୟୀକରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ନରାଜ୍ ହେଲିପ୍ୟାଡ୍ରେ ସକାଳ ୯ଟାରେ ଓହ୍ଲାଇବା ପରେ ପ୍ରଥମେ ମା କଟକ ଚଣ୍ଡୀଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିବେ। ଏହାପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ବହନ କରୁଥିବା ଶୈଳବାଳା ମହିଳା ସ୍ବୟଂଶାସିତ କଲେଜରେ ପହଞ୍ଚି ମଧୁସୂଦନ ସଂଗ୍ରହାଳୟ ପରିଦର୍ଶନ କରିବେ ଏବଂ ସେଠାରୁ ନେତାଜୀ ମ୍ୟୁଜିୟମ୍ ପରିଦର୍ଶନରେ ମଧ୍ୟ ଯିବେ। ଓଡିଶା ହାଇକୋର୍ଟ ପ୍ରତିଷ୍ଠାର ୭୫ତମ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାଷ୍ଟ୍ରପତି ଜାତୀୟ ଆଇନ ବିଶ୍ବବିଦ୍ୟାଳୟ (ଏନ୍ଏଲ୍ୟୁ)ରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।
ଅନ୍ୟପଟେ ପ୍ରଥମ ଥର ପାଇଁ ଏସ୍ସିବି ଛାତ୍ରସଂସଦର କାର୍ଯ୍ୟକ୍ରମ ‘ଅରୋରାରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ଏସ୍ସିବି ଛାତ୍ରସଂସଦ ସଭାପତି ଡାକ୍ତର ଓମ୍ ସ୍ବୟଂ ପ୍ରକାଶ ରାଉତ୍ରାୟ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ଡକାଯିବା ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଜୁଲାଇ ୨୬ ତାରିଖ ସକାଳ ସାଢେ ୧୦ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ କଟକରେ କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି।
କଟକ ସହରକୁ ଆସିବାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେବେ ଦେଶର ପଞ୍ଚମ ରାଷ୍ଟ୍ରପତି। ରାଷ୍ଟ୍ରପତି ହେବା ପରେ ଶ୍ରୀମତୀ ମୁର୍ମୁ ଦ୍ବିତୀୟ ଥର ପାଇଁ କଟକ ଗସ୍ତରେ ଆସୁଛନ୍ତି। କଟକକୁ ପ୍ରଥମ ରାଷ୍ଟ୍ରପତି ଭାବେ ଆସିଥିଲେ ନିଲମ ସଂଜୀବ ରେଡ୍ଡି। ମହାନଦୀର ଯୋବ୍ରା ବ୍ୟାରେଜ୍ ଲୋକାର୍ପଣ ସମାରୋହରେ ଯୋଗ ଦେବା ପାଇଁ ଶ୍ରୀ ରେଡ୍ଡି କଟକ ଆସିଥିଲେ। ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଥିବା ସମୟରେ ଜ୍ଞାନି ଜୈଲ ସିଂହ କଟକ ଆସିଥିଲେ। ସେ ଶିଖରପୁରଠାରେ ଥିବା ଐତିହାସିକ ଗୁରୁଦ୍ବାର ପରିଦର୍ଶନରେ ଆସିଥିଲେ। କଟକ ସହର ହଜାରେ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବା ପାଇଁ ୧୯୮୯ରେ ତତ୍କାଳୀନ ରାଷ୍ଟ୍ରପତି ଆର୍. ଭେଙ୍କଟରମଣ କଟକ ଆସିଥିଲେ। ସେ କଟକ ଗସ୍ତରେ ଆସି ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ୨୦୧୮, ମାର୍ଚ୍ଚ ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନର ଉତ୍ସର୍ଗୀକରଣ କାର୍ଯ୍ୟକ୍ରମ, ନେତାଜୀ ଜନ୍ମସ୍ଥାନ ପରିଦର୍ଶନ ଓ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାରୋହରେ ଯୋଗ ଦେବାକୁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କଟକ ଆସିଥିଲେ। ୨୦୨୩, ଫେବ୍ରୁଆରି ୧୧ ତାରିଖରେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଗସ୍ତରେ ଆସି ବିଦ୍ୟାଧରପୁରସ୍ଥିତ ଏନ୍ଆର୍ଆର୍ଆଇରେ ଜାତୀୟ କୃଷି କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।