କଟକ: ଦିନକୁ ଦିନ ବଢ଼ି ଚାଲିଛି ମଧୁମେହ, ଥାଇରଏଡ୍ ଓ ହରମୋନ୍ଜନିତ ରୋଗୀଙ୍କ ସଂଖ୍ୟା। ସ୍ଥିତିକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବି ଉଦ୍ବେଗ ପ୍ରକାଶ କରିଲେଣି। ହେଲେ, କଟକ ବଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଦେଖିବାକୁ ବିଶେଷଜ୍ଞ ଡାକ୍ତର ନାହାନ୍ତି କି, ଔଷଧ ମିଳୁନି। ମାତ୍ର ଜଣେ ପ୍ରଫେସରଙ୍କୁ ନେଇ ଚାଲିଛି ରାଜ୍ୟର ସବୁଠାରୁ ବଡ ରେଫ୍ରାଲ ହସ୍ପିଟାଲର ଏଣ୍ଡୋକ୍ରାଇନୋଲୋଜି ବିଭାଗ। ୪୯ହଜାର ରୋଗୀଙ୍କୁ ଦେଖିବା ପାଇଁ ଜଣେ ଡାକ୍ତର ରହିଛନ୍ତି।
/sambad/media/post_attachments/wp-content/uploads/2019/12/scb-1.jpg)
ସୂଚନା ଅନୁସାରେ, କଟକ ବଡ଼ ଡାକ୍ତରଖାନାର ଓପିଡ଼ିକୁ ପ୍ରତ୍ୟେକ ଦିନ ସାଢେ ୮ହଜାରରୁ ୧୦ହଜାର ପର୍ଯ୍ୟନ୍ତ ରୋଗୀ ଆସିଥାନ୍ତି। ପ୍ରତି ବିଭାଗରରେ ରୋଗୀଙ୍କର ପ୍ରବଳ ଭିଡ଼ ଜମିଥାଏ। ବଡ଼ ଡ଼ାକ୍ତରଖାନାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବିଭାଗ ହେଉଛି ଅନ୍ତଃସ୍ରାବୀ ରୋଗ ବା ଏଣ୍ଡୋକ୍ରାଇନୋଲୋଜି ବିଭାଗର। ୨୦୧୨ ମସିହାରେ ଏହି ବିଭାଗର ଓପିଡିକୁ ଦେଢଶହରୁ ଦୁଇଶହ ରୋଗୀ ଆସୁଥିଲେ। କିନ୍ତୁ ଏବେ ସ୍ଥିତି ଏମିତି ହୋଇଛି ଯେ, ସପ୍ତାହକୁ ଦୁଇଟି ଓପିଡି ଅର୍ଥାତ୍; ବୁଧବାର ଓ ଶନିବାର ହେଉଥିବା ଓପିଡିକୁ ୫ଶହରୁ ଅଧିକ ରୋଗୀ ଆସିଥାନ୍ତି ଚିକିତ୍ସା ପାଇଁ। ସେମାନଙ୍କ ଭିତରୁ ବର୍ଷକୁ ପାଖାପାଖି ୮ଶହ ରୋଗୀ ଭର୍ତ୍ତି ହୋଇଥାନ୍ତି ଚିକିତ୍ସା ପାଇଁ। ଏମ୍ସିଆଇ ଗାଇଡ୍ଲାଇନ୍ ଅନୁସାରେ ବିଭାଗରେ ଅତିକମ୍ରେ ଜଣେ ପ୍ରଫେସର, ଜଣେ ଆସୋସିଏଟ୍ ପ୍ରଫେସର ଓ ୩ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା। କିନ୍ତୁ ଅଛନ୍ତି ମାତ୍ର ଜଣେ। କେବଳ ସେତିକି ନୁହେଁ, ଯେଉଁ ଜଣେ ପ୍ରଫେସର ଅଛନ୍ତି, ସେ ମଧ୍ୟ ୨୦୨୦ ଜୁନ୍ରେ ଅବସର ନେବେ। ବିଭାଗର ଏପରି ସ୍ଥିତିକୁ ସାମ୍ନା କରିବା ପାଇଁ କର୍ତ୍ତୃପକ୍ଷ କାମ ଚଳାଇବା ପାଇଁ ଜଣେ ଶିଶୁରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଥଇଥାନ ଭିତ୍ତିରେ ରଖିଛନ୍ତି। ୨୦୧୨ରୁ ପିଜି ସିଟ୍ ଖୋଲିଥିବା ବେଳେ ୨୦୨୨ରେ ପୁଣି ଏମ୍ସିଆଇ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟ ଆବଶ୍ୟକ ୩ଜଣ ଫାକଲ୍ଟି ନ ରହିଲେ ପିଜି ସିଟ୍ ମଧ୍ୟ କଟିଯିବାର ଆଶଙ୍କା ରହିଛି। ବିଭାଗରେ ଥିବା ପରୀକ୍ଷାଗାରରେ ଆବଶ୍ୟକୀୟ ଯନ୍ତ୍ରାଂଶ ଅଭାବ ସାଙ୍ଗକୁ ୪ବର୍ଷ ହେଲା ଟେକ୍ନିସିଆନ ପଦ ଖାଲି ପଡିଛି। ପୂର୍ବର ଟେକ୍ନିସିଆନ୍ ଅବସର ନେବା ପରେ ତାଙ୍କୁ ପୁନର୍ବାର ୪ବର୍ଷ ହେଲା ଚୁକ୍ତିଭିତ୍ତିରେ ନିଯୁକ୍ତିରେ ରଖାଯାଇଥିଲା। କିନ୍ତୁ, କେଇମାସ ତଳେ ସେ ପଦବି ଛାଡି ଦେଇଥିବାରୁ ମାସାଧିକ ସମୟରୁ ପରୀକ୍ଷାଗାର ବନ୍ଦ। ଏଭଳି ସ୍ଥିତିକୁ ନେଇ ବିଭାଗ ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ୟବିଭାଗ, ଅଧ୍ୟକ୍ଷା ଓ ଅଧୀକ୍ଷକଙ୍କ ନିକଟକୁ ପତ୍ର ଲେଖାଯାଇଥିଲେ ବି ବଦଳିନି ଚିତ୍ର। ନିକଟ ଭବିଷ୍ୟତରେ ବି ଏହି ସ୍ଥିତି ସୁଧୁରିବାର ସମ୍ଭାବନା ଦେଖାଯାଉ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/SCB-Medical-Situation_Thumbnail.jpg)
