ବାଲିଯାତ୍ରା ଆଉ ତିନି ଦିନ

କମ୍ପୁଛି ପଡ଼ିଆ‌; ୫୦ କୋଟି ଟପିଲା ବେପାର

କଟକ : ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ‘ବାଲିଯାତ୍ରା’ ଆଉ ତିନି ଦିନ। ରବିବାର ଶେଷ ହେବ ଏହି ମେଳା। ଚଳିତବର୍ଷ ପ୍ରଥମଥର ପାଇଁ ବାଲିଯାତ୍ରା ଦଶ ଦିନ ଆୟୋଜନ ହେଉଥିବା ବେଳେ ବିଶ୍ବକପ୍‌ ହକି ଉପଲକ୍ଷେ ବାରବାଟୀରେ ଏ. ଆର୍ ରହେମାନ୍‌ଙ୍କ ସୋ’ ସାଂଗକୁ ବଲିଉଡ୍‌ ‘ଭାଇଜାନ୍‌’ ସଲମାନ ଖାନ୍‌ଙ୍କ ଭାଇଚାରା ବାର୍ତ୍ତା ଏହି ମେଳାକୁ ଅଧିକ ଆକର୍ଷଣୀୟ କରିଦେଇଛି। ଗୁରୁବାର ସୁଦ୍ଧା ବାଲିଯାତ୍ରା ସାତ ଦିନ ଶେଷ ହୋଇଥିବା ବେଳେ ୫୦କୋଟିରୁ ଅଧିକ ଟଙ୍କା ବେପାର ହୋଇଥିବା ଆକଳନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ବାଲିଯାତ୍ରାରେ ଅନେକ କିଛି ନୂଆ ଘଟଣା ଦେଖିବାକୁ ମିଳିଛି। ବାଲିଯାତ୍ରା ସର୍ବାଧିକ ୮ଦିନ ହେବାର ରେକର୍ଡ ଥିଲେ ବି ଚଳିତବର୍ଷଠୁ ପ୍ରତିବର୍ଷ ବାଲିଯାତ୍ରା ଦଶ ଦିନ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛି। କେବଳ ସେତିକି ନୁହେଁ, ବୈଷ୍ଣବ ପାଣି ମଂଚରେ ପାରମ୍ପରିକ ନୃତ୍ୟ ସହିତ ଓଲିଉଡ କଳାକାର, କଣ୍ଠଶିଳ୍ପୀଙ୍କ ଆକର୍ଷଣୀୟ ନୃତ୍ୟ-ସଂଗୀତର ଝଲକ ବି ଦେଖିବାକୁ ମିଳିଛି। ତା’ ସହିତ ପୁଣି ବିଶ୍ବକପ୍‌ ହକି ସେଲି‌ବ୍ରେସନ୍‌ ଉପଲକ୍ଷେ ବାରବାଟୀରେ ଉଭୟ ବଲିଉଡ-ଓଲିଉଡ୍ କଳାକାରଙ୍କ ଜଲୱା ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଦେଇଛି। ଗତକାଲି ଷ୍ଟାଡିୟମରେ ଆ‌େୟାଜିତ ଏ.ଆର୍‌. ରହେମାନ୍‌ଙ୍କ ସୋ’ରେ ୩୦ହଜାରରୁ ଅଧିକ ଦର୍ଶକଙ୍କ ଉପସ୍ଥିତି ଏହାର ପ୍ରମାଣ ଦେଇଛି। ଗୋଟିଏ ପଟେ ବୁଧବାର ରହେମାନ୍‌ଙ୍କ ସୋ’ରେ ବାରବାଟୀ କମ୍ପିଥିବା ବେଳେ ଅନ୍ୟପଟେ ମେଳା ପଡ଼ିଆରେ ଖାନାପିନା, ଦୋଳି ଖେଳ ସହ ଜମୁଛି ବେପାର।

ବାଲିଯାତ୍ରାର ଉଭୟ ତଳ ଓ ଉପର ପଡ଼ିଆରେ ସରକାରୀ ସ୍ବୀକୃତିପ୍ରାପ୍ତ ୧୫୦୦ରୁ ଅଧିକ ଷ୍ଟଲ୍‌ ପଡ଼ିଥିବା ବେଳେ ଅନେକ ବେସରକାରୀ ଠେଲା ବି ଲାଗିଛି। ହେଲେ ଓରମାସ୍‌ ଷ୍ଟଲ୍‌ ଲୋକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଓରମାସ୍‌ର ଏକାକୀ ୩୮୩ଟି ଷ୍ଟଲ୍‌ ଥିଲା ବେଳେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ୧୦୦ଟି ଷ୍ଟଲ୍ ହେଇଛି। ଏଭଳି ସ୍ଥିତିରେ ଆଜି ସୁଦ୍ଧା ଏହି ଦୁଇ ଷ୍ଟଲ୍‌ରୁ ୧୫କୋଟିରୁ ଅଧିକ ଟଙ୍କା ବେପାର ହୋଇଥିବା ଆକଳନ କରାଯାଉଛି। ସେହିପରି ଅନ୍ୟ ଅନ୍ୟ ସବୁ ବଡ଼ଛୋଟ ଷ୍ଟଲ୍‌କୁ ଯଦି ମିଶାଯାଏ, ତେବେ ଗତ ସାତ ଦିନ ଭିତରେ ୫୦କୋଟିରୁ ଅଧିକ ଟଙ୍କା ବେପାର ହୋଇଥିବା ଅନୁମାନ କରାଯାଉଛି। ବାଲିଯାତ୍ରା ସରିବାକୁ ଆଉ ତିନି ଦିନ ଥିବାରୁ ଲୋକଙ୍କ ଭିଡ଼ ଅଧିକ ହେବା ଆଶା କରାଯାଉଛି।

ସମ୍ବନ୍ଧିତ ଖବର