କଟକ ଐତିହାସିକ ବାଲିଯାତ୍ରା : ଏଥର ମହାନଦୀ ଭିତ‌ରେ ଡଙ୍ଗାରେ ହେବ ଷ୍ଟେଜ୍‌

କଟକ : ନଭେମ୍ବର ୧୨ରୁ ୧୯ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଐତିହାସିକ ବାଲିଯାତ୍ରାକୁ ଏଥର ନୂଆ ରୂପ ଦେବାକୁ ପଦକ୍ଷେପ ନେଇଛି ପ୍ରଶାସନ। ବାଲିଯାତ୍ରା ପ୍ରତ୍ୟେକ ଦିନ ସକାଳୁ ପଥୋତ୍ସବରୁ ଆରମ୍ଭ ହେବ। ପରେ ପରେ ଅନୁଷ୍ଠିତ ହେବ ବାଲିଯାତ୍ରା ସଂପର୍କିତ ଆଲୋଚନାଚକ୍ର। ‌ବେପାର ବଣିଜ ସହିତ ବୋଟିଂ, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଚାଲିବ ରାତି ପର୍ଯ୍ୟନ୍ତ। କଟକର ଯେକୌଣସି ସ୍ଥାନରୁ ବାଲିଯାତ୍ରା ପଡିଆକୁ ପହଞ୍ଚାଇବା ପାଇଁ ଏଥର ମୋ’ କଟକ ବାଲିଯାତ୍ରା ରିକ୍ସା ପ୍ରସ୍ତୁତ କରାଯାଉଥିବା ବେଳେ ୟୁଟୁବ୍‌ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ପ୍ରମୋସନ ନିଆଯାଉଛି ପଦକ୍ଷେପ। ପ୍ରଥମ ଥର ପାଇଁ ପୃଷ୍ଠପୋଷକ ବ୍ୟବସ୍ଥା କରି ପ୍ରଶାସନ ଐତିହାସିକ ବାଲିଯାତ୍ରାରେ ଚମକ ଆଣିବାର ଯୋଜନା କରିଛି।

ଏଥର ବାଲିଯାତ୍ରାରେ ଜଳକ୍ରୀଡାକୁ ଅଧିକ ପ୍ରୋତ୍ସାହିତ କରିବାକୁ ଅନେକ ଯୋଜନା ହାତକୁ ନେଇଛି ପ୍ରଶାସନ। କିନ୍ତୁ ସବୁଠୁ ଆକର୍ଷଣୀୟ ବ୍ୟବସ୍ଥା ସ୍ବରୂପ ପ୍ରଥମଥର ପାଇଁ ମହାନଦୀ ଭିତରେ କରାଯିବ ଷ୍ଟେଜ୍‌। ଯେଉଁଠି ପ୍ରଦର୍ଶନ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ଡଙ୍ଗାକୁ ଡଙ୍ଗା ଯୋଡ଼ା ଯାଇ ନିର୍ମାଣ କରାଯିବ ଷ୍ଟେଜ୍‌। ସେହି ଷ୍ଟେଜ୍‌ରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ବାଲିଯାତ୍ରା ଦେଖା ସହ ସେଠାରେ ବୋଟିଂର ମଜା ନେବେ ପର୍ଯ୍ୟଟକ। ତେବେ କେଉଁ ସମୟରେ କଣ କଣ କାର୍ଯ୍ୟକ୍ରମ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ସମୟ ଚୂଡାନ୍ତ ହୋଇପାରିନି। ଖୁବ୍‌ଶୀଘ୍ର ଏହାର ଚୁଡାନ୍ତ ସମୟ ସାରଣୀ ସାଧାରଣ ଲୋକଙ୍କ ଅବଗତି ପାଇଁ ପ୍ରକାଶ କରାଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର