ବାଲିଯାତ୍ରା ଶେଷ

ଶେଷ ଦିନରେ ଅସମ୍ଭାଳ ଭିଡ଼, ବେପାର ଟପିଲା ଶହେ କୋଟି

କଟକ : ଗଲା ୮ ଦିନ ଧରି ଚାଲିଥିବା କଟକର ଐତିହାସିକ ବାଲିଯାତ୍ରା ଆଜି ଶେଷ ହୋଇଛି। ଗଲା ଶନିବାର, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଗତକାଲି ଶେଷ ହେବାର ଥିଲେ ବି ତାହାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା। କିନ୍ତୁ ଆଜି ଶେଷ ଦିନରେ ଭିଡ଼ ପୂର୍ବ ସବୁ ଦିନର ରେକର୍ଡ ଭାଙ୍ଗି ଦେଇଛି। ବାଲିଯାତ୍ରା ପଡ଼ିଆ ଆଡକୁ ଯାଉଥିବା ରାସ୍ତା ବକ୍ସିବଜାର, ରାଣୀହାଟ, ମହାନଦୀ ରିଙ୍ଗ ବନ୍ଧ ପଟେ ଘଣ୍ଟା ଘଣ୍ଟା ଧରି ରାସ୍ତା ସଂପୂର୍ଣ୍ଣ ଜାମ୍‌ ହୋଇ ରହିବା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି।

ଗତବର୍ଷ ବିମୁଦ୍ରାକରଣ ଯୋଗୁଁ ବାଲିଯାତ୍ରାରେ ବ୍ୟବସାୟ ଅପେକ୍ଷାକୃତ ମାନ୍ଦା ଧରିଥିବା ବେଳେ ଚଳିତ ବର୍ଷ କିନ୍ତୁ ବ୍ୟବସାୟ ବି ରେକର୍ଡ ସୃଷ୍ଟି କରିଛି। ବାଲିଯାତ୍ରା ପଡ଼ିଆରେ ସବୁଠୁ ଆକର୍ଷଣ ସୃଷ୍ଟି କରୁଥିବା ଓରମାସ୍‌ର ପଲ୍ଲୀଶ୍ରୀ ମେଳା ଷ୍ଟଲ୍‌ରେ ପ୍ରତ୍ୟେକ ଦିନ ହାରାହାରି ୨ କୋଟିରୁ ଅଧିକ ବେପାର ହୋଇଥିବା ସୂଚନା ମିଳିଛି। ସେହିଭଳି ଭିନ୍ନକ୍ଷମ ଷ୍ଟଲ୍‌, କିନ୍ନରଙ୍କ ଷ୍ଟଲ୍‌ରେ ମଧ୍ୟ ପ୍ରତ୍ୟେକ ଦିନ ୨ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଛି। ଉପର ବାଲିଯାତ୍ରା ପଡ଼ିଆରେ ପଡ଼ିଥିବା ବିଭିନ୍ନ ଘରକରଣା ସାମଗ୍ରୀ ଦୋକାନରେ ବି ଖୁବ୍‌ ଭିଡ ଜମିଛି। ପଡ଼ିଆରେ ପଡ଼ି ଥିବା ରେଞ୍ଜର ତଥା ଅନ୍ୟ ଦୋଳି ଏବଂ ଫୁଡ୍‌ ଷ୍ଟଲରେ ବି ଚଳିତ ବର୍ଷ ରେକର୍ଡ ଭିଡ ହୋଇଛି।

ତହସିଲ୍‌ ରେକର୍ଡ ଅନୁଯାୟୀ ଚଳିତ ବର୍ଷ ୯ଶହରୁ ଅଧିକ ଷ୍ଟଲ୍‌ ବିଭିନ୍ନ ସଂସ୍ଥା ଓ ବ୍ୟବସାୟୀଙ୍କୁ ଦିଆଯାଇଛି। କିନ୍ତୁ ବାଲିଯାତ୍ରା ପଡିଆରେ ଉଠା ଦୋକାନୀଙ୍କୁ ମିଶାଇଲେ ବ୍ୟବସାୟୀଙ୍କ ସଂଖ୍ୟା ୩ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ହାରାହାରି ହିସାବ ବିଚାରକୁ ନେଲେ ୮ ଦିନରେ ମୋଟ ବେପାର ଶହେ କୋଟିରୁ ଅଧିକ ହେବ ବୋଲି ବ୍ୟବସାୟୀ ସଂଘର କର୍ମକର୍ତ୍ତା ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର