କଟକ: କଟକର ଐତିହାସିକ ବାଲିଯାତ୍ରା ଉତ୍ସବ ଆଜି ଶେଷ ହୋଇଛି। ଶେଷ ଦିନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକ ଆଜି ବାଲିଯାତ୍ରା ପଡ଼ିଆ ବୁଲିଥିବା ପୁଲିସ-ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି। ଭିଡ଼ ଏଭଳି ଅସମ୍ଭାଳ ହୋଇଥିଲା ଯେ ରାଜପଥରୁ ରିଙ୍ଗବନ୍ଧକୁ ସମସ୍ତ ଗାଡ଼ି ପ୍ରବେଶ ଉପରେ କମିସନରେଟ୍ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଥିଲା। ରିଙ୍ଗବନ୍ଧରେ ଗାଡ଼ି ଗଡ଼ିବା ସମ୍ଭବପର ନହେବାରୁ ରାଜପଥରେ ଗାଡ଼ିଗୁଡ଼ିକୁ ଅଟକାଯାଇଥିଲା। ରାତି ପ୍ରାୟ ୮ଟା ବେଳକୁ ଆଉ ପଡ଼ିଆକୁ ନ ଆସିବା ପାଇଁ ପୁଲିସ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ନାକେଦମ୍ ହୋଇଥିଲା। ଉଭୟ ପଡ଼ିଆର ପାଖାପାଖି ୮ କିମି ଦୂରରୁ ସମସ୍ତ ଯାନବାହାନ ଚଳାଚଳ ବନ୍ଦ କରାଯାଇଥିଲା। ଶନିବାର ଶେଷ ବାଲିଯାତ୍ରା ସହିତ ପ୍ରଥମାଷ୍ଟମୀ ପାଇଁ ସରକାରୀ ଛୁଟି ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ସନ୍ଧ୍ୟା ସୁଦ୍ଧା ବାଲିଯାତ୍ରା ପାଇଁ ବ୍ୟବସ୍ଥା ହୋଇଥିବା ମୋଟ ୧୯ଟି ପାର୍କିଂ ସ୍ଥାନରେ ଗାଡ଼ି ଭର୍ତ୍ତି ହୋଯାଇଥିଲା। ପାର୍କିଂ ସ୍ଥାନରେ ପାଖାପାଖି ୭୦ ହଜାର ଦୁଇଚକିଆ ଗାଡ଼ି ଓ ୧୦ ହଜାର ଚାରିଚକିଆ ଗାଡ଼ି ପାର୍କିଂ ହୋଇଥିଲା। ପାର୍କିଂ ପାଇଁ ଆଉ ସ୍ଥାନ ନଥିବାରୁ ବାଧ୍ୟ ହୋଇ ପୁଲିସ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଥିଲା। ଏହି ଭିଡ଼ ଭିତରେ ୫୭ ଜଣ ନିଖୋଜ ହୋଇଯାଇଥିବା ପୁଲିସ ସହାୟତା କେନ୍ଦ୍ରରେ ଅଭିଯୋଗ ହୋଇଛି। ସେମାନଙ୍କୁ ଠାବ କରିବାକୁ ପୁଲିସ ପକ୍ଷରୁ ଉଦ୍ୟମ କରାଯିବା ସହିତ ସେମାନଙ୍କ ଅଭିଭାବକଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା।
ଅସମ୍ଭାଳ ଭିଡ଼: ପଡ଼ିଆକୁ ନ ଆସିବାକୁ ସୂଚନା ଜାରି କଲା ପୁଲିସ
୯ ଦିନର ବେପାର ଟପିଲା ୨୫୦ କୋଟି
ଆଜି ଉଦ୍ଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କଟକର ଐତିହାସିକ ବାଲିଯାତ୍ରା ଗଲା ଶୁକ୍ରବାର ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଗତକାଲି ଶେଷ ହେବାର ଯୋଜନା ଥିଲା। କିନ୍ତୁ ପରେ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା। ଆଜି ବାଲିଯାତ୍ରା ଶେଷ ହୋଇଥିବା ବେଳେ ଏଥର ୯ ଦିନରେ ରେକର୍ଡ ସଂଖ୍ୟକ ପ୍ରାୟ କୋଟିଏରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିବା ଆକଳନ କରାଯାଉଛି। ଏଥର ବ୍ୟବସାୟ ବି ରେକର୍ଡ କରିଛି। କେବଳ ଓରମାସ ପରିସରରେ ୪୩ କୋଟି ଟଙ୍କାରୁ ଅଧିକ କାରବାର ହୋଇଥିବା ତଥ୍ୟ ରହିଛି। ଉଭୟ ପଡ଼ିଆର ବ୍ୟବସାୟ ହିସାବକୁ ନେଲେ ଗଲା ୯ ଦିନରେ ବାଲିଯାତ୍ରା ବେପାର ୨୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଏଥର ବାଲିଯାତ୍ରାରେ ପ୍ରଥମ ଥର ପାଇଁ ୧୪ଟି ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିବା ବେଳେ ୭ଟି ଦେଶର ସାଂସ୍କୃତିକ ଦଳଙ୍କୁ ମିଶାଇ ମୋଟ ୨୦୦ଟି ସାଂସ୍କୃତିକ ଦଳ ବାଲିଯାତ୍ରା ମଞ୍ଚରେ ସାମିଲ ହୋଇଥିଲେ ବୋଲି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/24/G2AMOSdMlWgPRncPtmx4.jpg)