ବାଲିଯାତ୍ରାରେ ପୁଣି କେଁ : ପ୍ଲଟ୍ ବୁକିଂ ବନ୍ଦ, ଫେରିଗଲେ ବ୍ୟବସାୟୀ 

କଟକ : ତୁଟୁନି ବାଲିଯାତ୍ରା ଫି’ ବିବାଦ। ଆଜିଠାରୁ ପ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି କୁହା ଯାଇଥିଲେ ବି  ଦର ବୃଦ୍ଧି ବିବାଦ ତୁଟିବା ପରିବର୍ତେ ଅଧିକ ତେଜିଛି। ପୁଣି ପ୍ରଶାସନ-ବାଲିଯାତ୍ରା ବ୍ୟବସାୟୀ ସଂଘ ମୁହାଁମୁହିଁ ହୋଇଛନ୍ତି। ଚାରି ଦିନ ଭଳି ଆଜି ବି ପ୍ଲଟ୍ ବୁକିଂ ବନ୍ଦ ରହିଛି। ଆଲୋଚନା ବେଳେ ଯେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା, ତାର କପି ଦିଆଯାଇନଥିବା ଦର୍ଶାଇ ସଂଘ ବିରୋଧ କରିବ‌ାରୁ ଆଜି ପ୍ଲଟ୍ ଆବଣ୍ଟନ ହୋଇପାରିନାହିଁ। ଅନେକ ବ୍ୟବସାୟୀ ପ୍ଲଟ୍ ବୁକିଂ ପାଇଁ ଆସି ନିରାଶ ହୋଇ ଫେରିଛନ୍ତି।

ଅନ୍ୟପଟେ ସଂଧ୍ୟାରେ ସଂଘ ଓ ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକ ସାମ୍ନାକୁ ଆସିଛି। ବାଲିଯାତ୍ରା ଏଣିକି ଦଶ ଦିନ ହେବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ପୁରୁଣା ବ୍ୟବସାୟୀ (ଗତବର୍ଷ ଯେଉଁମାନେ ନେଇଥିବେ) ବର୍ଗଫୁଟ୍ ପିଛା ୩୩ଟଙ୍କା, ନୂଆ ବ୍ୟବସାୟୀ ୪୩ ଟଙ୍କା, ୪ ହଜାର ବର୍ଗଫୁଟ୍‌ରୁ ଅଧିକ ନେଲେ ଜିଲ୍ଲାପାଳଙ୍କ ଅନୁମୋଦନ, ଦୋଳି ନିଲାମ, ନିଜ ନାଁରେ ନେଇ ଅନ୍ୟ କାହାକୁ ବିକିଲେ କାର୍ଯ୍ୟାନୁଷ୍ଠାନ, ବାଲିଯାତ୍ରା ପ୍ରସ୍ତୁତିରେ ସଂଘକୁ ସାଥିରେ ନେବା ଭଳି ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ସଂଘ ସାଧାରଣ ସଂପାଦକ ସୁକାନ୍ତ ମହାନ୍ତି କହିଛନ୍ତି ଯେ ଗତକାଲି ସଂଧ୍ୟାରେ ଆଲୋଚନା ପରେ ତାର ଗୃହୀତ ପ୍ରସ୍ତାବ କପି ଆଜି ସକାଳୁ ଦେବେ ବୋଲି କୁହାଯାଇଥିଲା। ମାତ୍ର ଆଜି ସଂଧ୍ୟାରେ ଦିଆଯାଇଥିବାରୁ ଆସନ୍ତାକାଲିଠାରୁ ପ୍ଲଟ୍ ଆବଣ୍ଟନରେ କୌଣସି ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର