କଟକ : ପାର୍ବଣରେ ୪ ଫୁଟ୍ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ନିୟମ ପ୍ରତିବାଦରେ କଟକରେ ଲଗାତାର ଭାବେ ବିକ୍ଷୋଭ, ପ୍ରତିବାଦ ଅନୁଷ୍ଠିତ ହୋଇ ଆସୁଥିବାବେଳେ ସୋମବାର ବିଜେପି ପକ୍ଷରୁ ଏହି ପ୍ରସଙ୍ଗରେ କଟକ ବନ୍ଦ ଡାକରା ଦିଆଯାଇଥିଲା। ବିଜେପିର ବନ୍ଦ ଡାକରା ସାଙ୍ଗକୁ ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ସହର ସଂପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିଲା।
ସହରର ରାସ୍ତାଘାଟ, ଗଳିକନ୍ଦି ତ ପାଣିରେ ବୁଡ଼ି ରହିଥିଲା, ଅନ୍ୟପଟେ ବିଜେପି ନେତା, କର୍ମୀ ଓ ସମର୍ଥକମାନେ ବର୍ଷାରେ ଭିଜିଭିଜି ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ, ଧାରଣା ଦେଇଥିଲେ। ଏଭଳିସ୍ଥିତିରେ ସହରର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ବିଶେଷକରି ମାଲଗୋଦାମ ବ୍ୟବସାୟିକ ସଂଘ ଏହି ବନ୍ଦକୁ ସମର୍ଥନ ଜଣାଇ ଆଜି ସବୁ ବ୍ୟାବସାୟିକ ପ୍ରତିଷ୍ଠାନକୁ ବନ୍ଦ ରଖିଥିଲେ। ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ବି ବିଜେପିର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆଜି ଯଦି କୌଣସି ଆଇନଜୀବୀ ଅଦାଲତରେ ଯୋଗ ଦେଇ ନ ପାରନ୍ତି ତେବେ ତାହାକୁ ନେଇ କୌଣସି ମାମଲାରେ ପ୍ରତିକୂଳ ରାୟ ନ ଦେବାକୁ ଅନୁରୋଧ କରି ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖାଯାଇଥିଲା। ବର୍ଷା କାରଣ ଦର୍ଶାଇ ସରକାର ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଥିବାବେଳେ ଅନ୍ୟ ଅଧିକାଂଶ ପ୍ରତିଷ୍ଠାନ, ବ୍ୟାଙ୍କ ଇତ୍ୟାଦି ବି ବନ୍ଦ ରହିଥିଲା। ବାଦାମବାଡିରୁ ବୁ ଆଜି ଦିନରେ ଅଳ୍ପ କିଛି ବସ୍ ଚଳାଚଳ କରିଥିଲା। ବନ୍ଦରେ ସାମିଲ ୬୦ରୁ ଅଧିକ ବିଜେପି ସମର୍ଥକଙ୍କୁ ପୁଲିସ ଗିରଫ କରିବା ସହିତ ବାରବାଟୀ ଷ୍ଟାଡିୟମରେ ଅଟକ ରଖି ଛାଡି ଥିଲା। ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଏହି ବନ୍ଦ ଡାକରା ଦିଆଯାଇଥିଲେ ବି ସଂଧ୍ୟାରେ ବି ଆଜି କାଁଭାଁ ଦୋକାନ ବଜାର ଖୋଲିଥିଲା।
ବିଜେପିର ବରିଷ୍ଠ ନେତା ସମୀର ଦେ, ନୟନ ମହାନ୍ତି, ବିନୋଦ ଦାସଙ୍କ ଭଳି ନେତୃବୃନ୍ଦ ଏହି ବନ୍ଦର ପ୍ରଚ୍ଛଦପଟ୍ଟରେ ରହିଥିବା ବେଳେ ନଗର ବିଜେପି ସଭାପତି ଲଲଟେନ୍ଦୁ ବଡୁ, ଲକ୍ଷ୍ମୀଧର ପ୍ରଧାନ, ସିକନ୍ଦର ଅଲ୍ଲୀ, ରଶ୍ମିରେଖା ଦାସ, ଗୀତା ଦାସ, ସ୍ମୃତି ପଟ୍ଟନାୟକ ବୈଦେଶ୍ବର ପଣ୍ଡା ପ୍ରମୁଖ ବନ୍ଦ ପାଳନର ନେତୃତ୍ବ ନେଇଥିଲେ। ସରକାର ୪ ଫୁଟ୍ ମୂର୍ତ୍ତି ଓ ମଣ୍ଡପରେ ପରଦା ନିୟମକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ ନଚେତ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/4-fut-murti-bibada-re-BJP-pakhyaru-cuttack-bandha-dakara-bikhyava-13.jpg)