୪ ଫୁଟ ମୂର୍ତ୍ତି, ମଣ୍ଡପରେ ପରଦାର ପ୍ରତିବାଦ, ୧୩ରେ କଟକ ବନ୍ଦ ଡାକରା

କଟକ : ପାର୍ବଣରେ ୪ ଫୁଟ୍ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ବିରୋଧରେ କଟକରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କାର୍ଯ୍ୟକର୍ତ୍ତା ବର୍ଷାରେ ବି ରାସ୍ତାରେ ଆଣ୍ଠେଇ ଏଭଳି ନିଷ୍ପତ୍ତିର ଅଭିନବ ପ୍ରତିବାଦ ଜାରି ରଖିଥିବା ବେଳେ ଆଜି ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି। ଗଣେଶ ପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ମୂର୍ତ୍ତି ଗଢା ପ୍ରକ୍ରିୟାର ଶୁଭାରମ୍ଭ ହୋଇଥାଏ। ତେଣୁ ସରକାର ତା ପୂର୍ବରୁ ଏହି କଟକଣା ହଟାନ୍ତୁ ନଚେତ ଆସନ୍ତା ୧୩ ତାରିଖରେ ପ୍ରତିବାଦ ସ୍ବରୂପ କଟକ ବନ୍ଦ ରହିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।

ଆଜି ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବାସଭବନରେ ଏହି ପ୍ରସଙ୍ଗରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ନେତା ବିନୋଦ ଦାସ, ଲକ୍ଷ୍ମୀଧର ପ୍ରଧାନ, ଦୟାନିଧି ଲେଙ୍କା, ଅକ୍ଷୟ ଆଚାର୍ଯ୍ୟ, ଗୀତା ଦାସ, ଲଲାଟେନ୍ଦୁ ଦାସ, ଜ୍ୟୋତିରଂଜନ ପଲାଇ, ସବିତାରଂଜନ ପଟ୍ଟନାୟକ, ଦେବାଶିଷ ରାୟ, ବିବେକାନନ୍ଦ ନାୟକ, ହରପ୍ରସନ୍ନ ଦାସ, ନରେଶ ସାହୁ, ସୁକାନ୍ତ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କର ଏଭଳି ଅବାସ୍ତବ ନିଷ୍ପତ୍ତିର ସମାଲୋଚନା କରିଥିଲେ। ବିଜେପି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସମୟରେ ସରକାର ପ୍ରାୟ ସବୁ କଟକଣାକୁ ବହୁମାତ୍ରାରେ କୋହଳ କରି ସାରିଛନ୍ତି। ସମସ୍ତ ଧର୍ମାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ସିନେମା ହଲ୍, ଯାତ୍ରା ଇତ୍ୟାଦି ଖୋଲି ସାରିଛି। ଏଭଳି ସ୍ଥିତିରେ କେଉଁ ଆଧାରରେ ସରକାର ମୂର୍ତ୍ତିର ଉଚ୍ଚତା ୪ ଫୁଟ ଧାର୍ଯ୍ୟ କରିଛନ୍ତି ଆଉ ମଣ୍ଡପରେ ପରଦା ଟାଣି ପୂଜା କରିବାକୁ କହୁଛନ୍ତି, ତାହା ବୁଝି ହେଉ ନାହିଁ। ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି, ସାମାଜିକ ସଂଗଠନ ଏହାକୁ ବିରୋଧ କରି ଚାଲିଥିଲେ ବି ସରକାର ଜିଦରେ ଅଟଳ ରହିଛନ୍ତି। ସହରବାସୀ ଅନ୍ୟ ସମସ୍ତ କଟକଣାକୁ ସମ୍ମାନ ଜଣାଇବା ସହିତ କୋଭିଡ୍ ଗାଇଡଲାଇନକୁ ମଧ୍ୟ ସ୍ବାଗତ କରୁଛନ୍ତି। କିନ୍ତୁ ଏଭଳି ପୂଜା ଉପରେ କଟକଣା ସହରବାସୀଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ କରୁଛି। ଏହାକୁ ଏକ ବିକୃତ ଚିନ୍ତାଧାରା ଦର୍ଶାଇ ସରକାର ତୁରନ୍ତ ଏହି ନିଷ୍ପତ୍ତି ବଦଳାନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର