୨୪ରୁ ୩୧ ପର୍ଯ୍ୟନ୍ତ ବସ୍‌ରେ ଲାଗିବ କଳା ପତାକା
ଜାନୁଆରି ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ

Advertisment

ଅନୁଗୁଳ : ଉପକୂଳ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ୫୫ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଅନୁଗୁଳ ଓ ଢେଙ୍କାନାଳ ସହର ଦେଇ ଯାଇଥିବା ଏହି କଟକ-ସମ୍ବଲପୁର ରାସ୍ତାର ପ୍ରଶସ୍ତିକରଣ ଦୀର୍ଘଦିନ‌ ହେଲା ଚାଲିଥିଲେ ମଧ୍ୟ ଏହା ଶେଷ ହେଉନି। ତେଣୁ ଏହା ବିରୋଧରେ କଠୋର ଆଭିମୁଖ୍ୟ ଦେଖାଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ଆସନ୍ତାକାଲି ଦିନିକିଆ ଧର୍ମଘଟ କରିବାକୁ ସଂଘ ନିଷ୍ପତ୍ତି ନେଇଥିଲାବେଳେ ଜାନୁଆରି ପହିଲାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଏହି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଆସନ୍ତାକାଲି ଅନୁଗୁଳ, ତାଳଚେର ଓ ଢେଙ୍କାନାଳରୁ କୌଣସି ବସ୍‌ କଟକ କିମ୍ବା ଭୁବନେଶ୍ବର ଯିବନାହିଁ।

ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଖାଲଖମା ହେବା ସହ ପିଚୁ ଉଠି ଯାଇଥିବାରୁ ସେଥିରେ ବସ୍‌ ଚଳାଚଳ କରିବା ସମ୍ଭବ ନୁହେଁ ବୋଲି ଘରୋଇ ବସ୍‌ ମାଲିକ ସଂଘ ଅଭିଯୋଗ କରିଛି। ଏହି ରାସ୍ତାର ପ୍ରଶସ୍ତିକରଣ କାମ ଦୀର୍ଘଦିନ ହେଲା ଚାଲିଥିଲେ ମଧ୍ୟ ଏହା ଶେଷହେବାର ନାଁ ଧରୁନି। ଏଥିନେଇ ରାଜ୍ୟ ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ସଂଘ ଆଲୋଚନା କରିଥିଲା। ଗତ ମାସ ୧୧ ତାରିଖରେ ମୁଖ୍ୟ ଶାସନ ସଚିବ ଏଥିରେ ହସ୍ତକ୍ଷେପ କରି ଜୁନ୍‌ ସୁଦ୍ଧା ରାସ୍ତା ନିର୍ମାଣ ଶେଷ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହା ଭିତରେ ୪୫ ଦିନ ଯାଇଥି‌ଲେ ମଧ୍ୟ କାମ ବିଲକୁଲ ଆରମ୍ଭ ହୋଇନାହିଁ। ତେଣୁ ଏହାର ପ୍ରତିବାଦରେ ଆଜି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଅନୁଗୁଳ, ତା‌ଳଚେର ଅଞ୍ଚଳରୁ କୌଣସି ବସ୍‌ କଟକ କିମ୍ବା ଭୁବନେଶ୍ବର ଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ଆଜି ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଚାଲିବ। ୨୪ ତାରିଖରୁ ଏହି ରୁଟ୍‌ରେ ଚଳାଚଳ କରୁଥିବା ବସ୍‌ଗୁଡିକରେ କଳା ପତାକା ‌ଲଗାଇ ପ୍ରତିବାଦ କରାଯିବ। ଏହା ଭିତରେ ଏଥିନେଇ କୌଣସି ପଦକ୍ଷେପ ନିଆ ନ ଗଲେ ଜାନୁଆରି ପହିଲାରୁ ଏହି ରୁଟ୍‌ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍‌ ଚଳାଚଳ ବନ୍ଦ ରଖାଯିବ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି।