ଜରିମାନା ଦେଲି ତ କ’ଣ ହେଲା? ଆହୁରି ବି ଦେବି, କିଛି ଅସୁବିଧା ନାହିଁ; ଗାଧୁଆଘରେ ହେଲ୍‌ମେଟ୍‌ ପିନ୍ଧିବି କି?

କଟକ: ‘ମୋ ଘରଟା ପା ଏଇଠି। ଅରୁନ୍ଧତୀ ମାର୍କେଟ। ଆପଣ କ’ଣ ଘଗି ବାହାରିବେ, ମୁତି ବାହାରିବେ, ସାଙ୍ଗ ଘରକୁ ଯିବେ ବି ହେଲ୍‌ମେଟ୍‌ ପିନ୍ଧିବେ? ଜରିମାନା ଦେଲି ସେଇଠୁ ଅସୁବିଧା କ’ଣ ହେଲା? ଏଥିରେ ସଚେତନ ହବାରେ କ’ଣ ଅଛି। ହାଇଓଏ (ରାଜପଥ)ରେ ଗଲେ ସିନା ହେଲ୍‌ମେଟ୍‌ ପିନ୍ଧିବି, ମୁଁ କ’ଣ ହାଇଓଏରେ ଯାଉଛି? ଆଗକୁ ବି ଜରିମାନା ଦିଆହବ, କିଛି ଅସୁବିଧା ନାହିଁ।’ ହେଲ୍‌ମେଟ୍‌ ନପିନ୍ଧିଥିବା କାରଣରୁ ପୁଲିସ୍ ହାବୁଡ଼ରେ ପଡ଼ି ଚାଲାଣ କଟାଯିବା ପରେ ଏପରି ବୟାନ ଦେଇଛନ୍ତି କଟକ ଅରୁନ୍ଧତୀ ମାର୍କେଟର ଜଣେ ବାଇକ୍‌ ଆରୋହୀ।

ସେ ଆହୁରି ବି କହିଛନ୍ତି ଯେ ‘ଦୂର ବାଟକୁ ଗଲେ ମୁଁ ହେଲ୍‌ମେଟ୍‌ ପିନ୍ଧେ। ୧୨ ଫୁଟିଆ ରାସ୍ତାରେ ମୁଁ କ’ଣ ହେଲ୍‌ମେଟ୍‌ ପିନ୍ଧି ଆସିଥାନ୍ତି ନା କ’ଣ? କଟକ ଗଳି ରାସ୍ତା କେତେ ଫୁଟ୍‌ର ଆଗ ମୋତେ କୁହନ୍ତୁ? ଅଣଓସାରିଆ ରାସ୍ତା। ଏପରି ଅଣଓସାରିଆ ରାସ୍ତାରେ ଜଣେ ୫୦ ସ୍ପିଡ୍‌ରେ ଯିବ ନା ୧୦୦ ସ୍ପିଡ୍‌ରେ ଯିବ? ଯାଇ ଯାଇ ୨୦ ସ୍ପିଡ୍‌‌ରେ ଯିବ। ୨୦ ସ୍ପିଡ୍‌ ଗାଡ଼ି ଚାଳକଙ୍କ ପାଇଁ ହେଲ୍‌ମେଟ୍‌ ଦରକାର? ଯେଉଁମାନେ ଦାମୀକିଆ, ବଡ଼ ମଟରସାଇକେଲ୍‌ ଚଳାଉଛନ୍ତି ତାଙ୍କୁ ଧରିବାର ନାଁ ନାହିଁ। ଆମରି ଭଳି ସ୍କୁଟର୍‌ ଚାଳକଙ୍କୁ ଗୋଡ଼େଇକି ଧରୁଛନ୍ତି।’

ସେ ସୁପ୍ରିମ୍‌କୋର୍ଟଙ୍କ ନିମୟ ଜାଣନ୍ତି। ପୁଲିସ୍‌ ତାଙ୍କୁ ବୁଦ୍ଧି ଦବା ଦରକାର ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ବି ନିଜର କ୍ରୋଧ ପ୍ରକାଶ କରି କହିଛନ୍ତି କି ଆମେ ହେଲ୍‌ମେଟ୍‌ ନପିନ୍ଧି ମଲେ ସରକାର ଆମ ପରିବାରକୁ ଟଙ୍କା ଦଉନାହାନ୍ତି ମାନେ ସେ ଏବେ ବାଧ୍ୟ କରିବା କିଛି ଦରକାର ନାହିଁ। ହେଲ୍‌ମେଟ୍‌ ପିନ୍ଧିବା ଲୋକ ମରୁଛନ୍ତି ଓ ନପିନ୍ଧିବା ଲୋକ ବି ବେଳେ ବେଳେ ମରୁନାହାନ୍ତି ବୋଲି ଯୁକ୍ତି କରି ସେ ନିଜ ପକ୍ଷ ରଖିଛନ୍ତି। ଗାଡ଼ି ସ୍ପିଡ୍‌ କମ୍‌ ଥିବା ଲୋକ ଦୁର୍ଘଟଣାରେ ଜମା ମରୁନାହାନ୍ତି ବୋଲି କହି ପୁଲିସ୍‌ ଏପରି ବାଟଘାଟ ଜଗି ଚାଲାଣ କାଟିବାକୁ ପୂରାପୁରି ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର