କଟକ: ବରିଷ୍ଠ ନେତାଙ୍କ ଭିତରେ ଅସନ୍ତୋଷ, ଦଳୀୟ ଅନ୍ତଃକନ୍ଦଳ, ପରସ୍ପର ପ୍ରତି ଅବିଶ୍ବାସକୁ ନେଇ କଟକ ବିଜେଡିର ସଙ୍କଟ ବଢ଼ିବାରେ ଲାଗିଛି। ନିକଟରେ ଦଳର ସଦସ୍ୟ ସଂଗ୍ରହ ସମାବେଶରେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ଦଳକୁ ଚଳାଉଥିବା ଦୁଇ ନେତାଙ୍କୁ ସିଧାସଳଖ ଆକ୍ଷେପ କରି ତାଙ୍କୁ ପଛରୁ ଛୁରି ମାରୁଥିବା ଭଳି ବ‌ିସ୍ଫୋରକ ବୟାନ ଦେଇଥିଲେ। ଏହା ପରଦିନ ବାରବାଟୀ-କଟକରୁ ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରକାଶ ଚନ୍ଦ୍ର ବେହେରା ବିଜେଡିରୁ ଇସ୍ତଫା ଦେବା ଘଟଣାରୁ ଦଳ ଭିତରେ ଏବେ ଆଉ କିଛି ଠିକ୍‌ ନଥିବା ସ୍ପଷ୍ଟ ହେଉଛି। ସାଧାରଣ ନିର୍ବାଚନର ଠିକ ପୂର୍ବରୁ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଏବଂ ବିଜେପିରୁ ପ୍ରାର୍ଥୀ ହୋଇ ପୁଣି କଟକ ଲୋକସଭା ଆସନରୁ ବିଜୟୀ ହେବାରେ ସଫଳ ହୋଇଥିଲେ। କଟକ ଲୋକସଭା ସମେତ କଟକର ୯ଟି ‌ବିଧାନସଭା ଆସନ ମଧ୍ୟରୁ ବିଜେଡି ଏଥର ମାହାଙ୍ଗା, ନିଆଳି, ବଡ଼ମ୍ବା, ବାରବାଟୀ-କଟକ, କଟକ ସଦର ଭଳି ୫ଟି ବିଧାନସଭା ଆସନ ହରାଇଛି। ଚୌଦ୍ବାର-କଟକ ଆସନ ବିଜେଡି ବଜାୟ ରଖିଛି ସତ ହେଲେ ସେଠାରେ ବିଧାୟକ ସୌଭିକ ବିଶ୍ବାଳ ଓ ତାଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ନବୀନ ପଟ୍ଟନାୟକଙ୍କୁ ବାଦ୍ ଦେଇ ଦଳକୁ ଚଳାଉଥିବା ତଥାକଥିତ ଦୁଇ ତିନି ଜଣ ନେତାଙ୍କୁ ବାରମ୍ବାର କଠୋର ଭାଷାରେ ସମାଲୋଚନା କରି ଚାଲିଛନ୍ତି। ଏହି ପ୍ରସଙ୍ଗରେ ବାପା-ପୁଅଙ୍କ ବିରୋଧରେ କେହି ମୁହଁ ଖୋଲୁନାହାନ୍ତି। ଅନ୍ୟପଟେ ଦଳୀୟ ସମାବେଶରେ ସୌଭିକ ଦୁଇ ନେତାଙ୍କୁ ଟାର୍ଗେଟ କରି କହୁଥିବା ବେଳେ ଉପସ୍ଥିତ କର୍ମୀ ହୁଳହୁଳି, କରତାଳି ଦେଇ ସ୍ବାଗତ କରିଛନ୍ତି। 

Advertisment

ଆରମ୍ଭ ହେଲାଣି ଭୁଶୁଡ଼ିବା ପ୍ରକ୍ରିୟା! 
ଦଳୀୟ ନେତାଙ୍କୁ ଖୋଲା ସମାଲୋଚନା

ବାରବାଟୀ-କଟକରେ ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତା ରାଜ୍ୟସଭା ସଦସ୍ୟ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂହଙ୍କ ମଧ୍ୟରେ ମନୋମାଳିନ୍ୟ ଖୋଲାଖୋଲି ଭାବେ ସାମନାକୁ ଆସିଥିଲା। ନିର୍ବାଚନ ପରିଚାଳନା ସମୟରେ ବି ଫାଟ ମେଲି ହୋଇଯାଇଥିଲା। ଏବେ ବି ଦୁଇ ନେତାଙ୍କ ସମର୍ଥକ ପରସ୍ପର ବିରୋଧରେ ଖୋଲାଖୋଲି ବୟାନବାଜି ଜାରି ରଖିଛନ୍ତି। ବାରବାଟୀ-କଟକରେ ଦଳର ଆଗଧାଡ଼ିର ନେତା ଭାବେ ପରିଗଣିତ ହୋଇ ଆସୁଥିବା ଧର୍ମେଶ ନାୟକ ଦଳରୁ ଇସ୍ତଫା ଦେଇ ସାରିଛନ୍ତି। ପ୍ରଫୁଲ୍ଲ ସିଂହଙ୍କ ଭଳି ବରିଷ୍ଠ ନେତା ଅନ୍ୟ ଦଳର ନେତାଙ୍କ ସହ ମିଶି ନୂଆ ଫୋରମ୍ ଗଢ଼ିଛନ୍ତି। ପ୍ରକାଶ ବେହେରା ବିଜେଡି ଛାଡ଼ି ସାରିଥିବା ବେଳେ ତାଙ୍କ ସହ ବି ଆଉ କେତେକ ନେତା ବିଜେଡି ଛାଡ଼ିବା ଯୋଜନାରେ ଅଛନ୍ତି। 

ସେହିଭଳି ବାଙ୍କୀ ନିର୍ବାଚନମଣ୍ଡଳୀ‌ ଯଦିଓ ବିଜେଡି ହାତରେ ଅଛି, ସେଠାରେ କିନ୍ତୁ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କର ଦଳର ତଥାକଥିତ ନେତାଙ୍କ ପ୍ରତି ରହିଥିବା ଅସନ୍ତୋଷ କାହାକୁ ଅଛପା ନାହିଁ। ମାହାଙ୍ଗାରେ ପ୍ରତାପ ଜେନାଙ୍କ ପରାଜୟକୁ ଭିନ୍ନ ଭାବେ ତାଙ୍କ ସମର୍ଥକମାନେ ସମୀକ୍ଷା କରୁଛନ୍ତି। ପ୍ରତାପଙ୍କୁ ଜାଣିଜାଣି ହରାଇ ‌ଦିଆଗଲା ବୋଲି କର୍ମୀ ଓ ସମର୍ଥକମାନେ କହି ବୁଲୁଛନ୍ତି। ବଡ଼ମ୍ବାରେ ଦେବୀ ମିଶ୍ରଙ୍କ ପରାଜୟକୁ ବି ତାଙ୍କ ସମର୍ଥକ ସହଜରେ ହଜମ କରିପାରୁ ନାହାନ୍ତି। କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ଦେବୀ ମିଶ୍ର, ପ୍ରଭାତ ତ୍ରିପାଠୀଙ୍କ ଭଳି ବରିଷ୍ଠ ନେତାଙ୍କ ତାଳମେଳ ଆରମ୍ଭରୁ ରହି ଆସିଛି। ପରିବର୍ତ୍ତିତ ସ୍ଥିତିରେ ଭର୍ତ୍ତୃହରିଙ୍କ ସହିତ ପ୍ରଭାତ ବିଶ୍ବାଳଙ୍କ ତାଳମେଳ ଥିବା କଥା ବି ଚର୍ଚ୍ଚା ହେଉଛି। ମେୟର ସୁବାସ ସିଂହ କଟକ ପୌରନିଗମର ପରିଚାଳନା ପାଇଁ ସାଂସଦ ଭର୍ତ୍ତୃହରି ଓ ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ସହ ଉତ୍ତମ ବୁଝାମଣା ରଖିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ କଟକ ବିଜେଡିର ଭୁଶୁଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଆକଳନ କରାଯାଉଛି। ଆଗକୁ ବିଜେଡିର ଅନେକ ବରିଷ୍ଠ ନେତା ଓ କର୍ମୀଙ୍କର ଚକିତ କଲା ଭଳି ନିଷ୍ପତ୍ତି ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।