କଟକ ଛତ୍ର ବଜାର ପୋଲ ପାଚେରି ଭୁଶୁଡ଼ିବା ଘଟଣା: ଦୁଇ ଯୁବକଙ୍କୁ ହରାଇ ପରିବାର ବେସାହାରା, ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ

ବାଂଶପାଳ : କଟକ ଛତ୍ର ବଜାର କେନାଲ ପୋଲ ପାଚେରି ଭୁଶୁଡ଼ି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କେନ୍ଦୁଘଟି ଗମ୍ଭାରୀଡ଼ିହିର ପ୍ରାଣ ହରାଇଥିବା ୨ ଜଣ ଯୁବକଙ୍କ ମୃତ ଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗୁରୁବାର ଅପରାହ୍ଣରେ ନୟାକୋଟ ପୁଲିସ ଏକ ଗାଡିରେ ମୃତକଙ୍କ ଶବକୁ ଗାଁରେ ପହଞ୍ଚାଇବା ପରେ ଗ୍ରାମବାସୀ ‌ମରଶରୀରକୁ ନେଇ ବୈତରଣୀ ନଦୀକୂଳରେ ଶୋକାକୂଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ମରଶରୀର ଗାଁରେ ପହଞ୍ଚିବା ପରେ ସାରା ଗାଁ କାନ୍ଦବୋବାଳିରେ ଫାଟି ପଡ଼ିଥିଲା।

ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇ କଟକ ବଡ଼ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଗମ୍ଭାରୀଡ଼ିହି ସାହିର ରଘୁ ଦେହୁରୀଙ୍କ ପୁଅ କୀର୍ତ୍ତନ ଦେହୁରୀ(୨୬) ଓ  ଭଗବାନ ଦେହୁରୀଙ୍କ ପୁଅ ଅଦିତ ଦେହୁରୀ(୨୩) ଓ ରାଧା ଦେହୁରୀଙ୍କ ପୁଅ ଚନ୍ଦ୍ର ଦେହୁରୀ (୩୦) ସହିତ ଗ୍ରାମର ୮/୧୦ ଜଣ ଯୁବକ ମିଶି ଢେଙ୍କାନାଳ ଅଞ୍ଚଳର ଏକ ଠିକାଦାରଙ୍କ ଜରିଆରେ କଟକକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସେଠାରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ବ୍ରିଜ କେନାଲ ଭୁଶୁଡି ପଡିବା ବେଳେ ଅଜିତ ଦେହୁରି ଓ କୀର୍ତ୍ତନ ଦେହୁରୀ ମୃତ୍ୟୁବରଣ କରିଥିଲେ। ଚନ୍ଦ୍ର ଦେହୁରୀଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ପଞ୍ଜରାରେ ମାଡ଼ ହୋଇଛି। ସେ ଗୁରୁତର ଅବସ୍ଥାରେ ଏବେ ଚିକିତ୍ସିତ ହେଉଛନ୍ତି।

ଅଜିତ ଓ କୀର୍ତ୍ତନ ଉଭୟ ୬/୭ ମାସ ତଳେ ବିବାହ କରିଥି‌ଲେ। ଘରେ ଅଜିତଙ୍କ ସ୍ତ୍ରୀ ସନ୍ତୋସିନୀ ଦେହୁରୀ ଓ କୀର୍ତ୍ତନଙ୍କ ସ୍ତ୍ରୀ ହେମ ଦେହୁରୀ ସେମାନଙ୍କ ସ୍ୱାମୀଙ୍କୁ ହରାଇ ଭାଙ୍ଗି  ପଡ଼ିଛନ୍ତି। ଚନ୍ଦ୍ର ଦେହୁରୀଙ୍କ ସ୍ତ୍ରୀ ସୁଶୀଳା ଦେହୁରୀ ସ୍ୱାମୀ କିପରି ସୁସ୍ଥ ହୋଇ ଘରକୁ ଫେରିବେ ସେହି ବାଟକୁ ଚାହିଁ ରହିଛନ୍ତି। ସୁଶୀଳା ଏବେ ଚିନ୍ତାରେ ଛଟପଟ ହେଉଛନ୍ତି। ସୁରକ୍ଷାକୁ ଦୃଷ୍ଟି ଦେଉ ନଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟି ପ୍ରାଣ ହରାଇଥିବା କହିବା ସହିତ ଠିକାଦାରଙ୍କ ଅବହେଳାକୁ ଗ୍ରାମବାସୀ ଦାୟୀ କରିଛନ୍ତି। ଉଭୟ  ପରିବାରକୁ କ୍ଷତି ପୂରଣ ପ୍ରଦାନ କରିବାକୁ ପରିବାର ଓ ଗ୍ରାମବାସୀ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର