ପ୍ରତିଶ୍ରୁତିି ଦେଇ ଆସିଲାନି ଚିଟ୍‌ଫଣ୍ଡ ସଂସ୍ଥା

ନିରାଶ ହୋଇ ଫେରିଲେ ଜମାକାରୀ
ଜରିମାନା ସହିତ ଟଙ୍କା ଫେରାଇବାକୁ କମିସନ୍‌ଙ୍କ ନିର୍ଦ୍ଦେଶ

କଟକ : ଜମାକାରୀଙ୍କୁ ଟଙ୍କା ଫେରାଇବ ବୋଲି କମିସନଙ୍କୁ ପ୍ରତିଶ୍ରୁତି ଦେଇଥିଲା ସଂସ୍ଥା। ସେହି ଅନୁଯାୟୀ କମିସନଙ୍କ ପକ୍ଷରୁ ଜମାକାରୀଙ୍କୁ ନୋଟିସ୍‌ ଦିଆଯାଇଥିଲା। ହେଲେ ଆଜି ଜମା ଟଙ୍କା ଫେରି ପାଇବା ଆଶାରେ ବକ୍ସିବଜାର ପୁଲିସ ଲାଇନସ୍ଥିତ ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନଙ୍କ କାର୍ଯ୍ୟାଳୟ ପରିସରରେ ଜମାକାରୀ ପହଞ୍ଚି ଥିଲେ ବି ଅଲକେମିଷ୍ଟ ହୋଲ୍ଡିଂ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥା କର୍ତ୍ତୃପକ୍ଷ ଆସି ନଥିଲେ। ଏଭଳି ସ୍ଥିତିରେ ଜମାକାରୀଙ୍କୁ ନିରାଶ ହେବାକୁ ପଡିଥିଲା। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ୩୩ ଜଣ ଜମାକରୀ ଓ ସେମାନଙ୍କ ପରିବାର ସଦସ୍ୟ ଏପରି ଘଟଣାର ପ୍ରତିବାଦ କରିଥିଲେ।

ଏ ନେଇ ଜମାକରୀ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କମିସନ୍‌ ଏହାକୁ ନେଇ ବିରକ୍ତି ପ୍ରକାଶ କରିବା ସହ ଏହି କ୍ଷୁଦ୍ର ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଁ କମିସନ୍‌ କମ୍ପାନି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସଂସ୍ଥାର ପ୍ରତିଶ୍ରୁତି ମୁତାବକ ଆଜି ଜମାକାରୀ ଆସି ନିରାଶ ହୋଇ ଥିବାରୁ ପ୍ରତ୍ୟେକ ଜମାକାରୀଙ୍କୁ ୫ଶହ ଟଙ୍କା ଲେଖାଏ ଜରିମାନା ବାବଦରେ ପ୍ରଦାନ କରାଯିବ ବୋଲି କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଜମା ଟଙ୍କା ଓ ଜରିମାନା ଅର୍ଥ ଜମାକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରି ଏ ସଂପର୍କିତ ପ୍ରମାଣ ଓ ଦସ୍ତାବିତ ୨୦୧୮, ଫେବ୍ରୁଆରି ୨୨ ତାରିଖ ସୁଦ୍ଧା କମିସନଙ୍କ କାର୍ଯ୍ୟାଳୟରେ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଅବହେଳା ହେଲେ ୨୦୧୮, ଫ୍ରେବ୍ରୁଆରି ୨୨ରେ ଏ ସଂପର୍କିତ ତଦନ୍ତ ମାମଲାର ଶୁଣାଣି ସମୟରେ ସଂସ୍ଥାର ଏମ୍‌ଡିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଆଜି ସକାଳ ପ୍ରାୟ ୧୧ଟାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୩୩ ଜଣ ଜମାକାରୀ ଓ ସେମାନଙ୍କ ସଂପର୍କିୟ ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ଅଲକେମିଷ୍ଟ ସଂସ୍ଥାର ପଦାଧିକାରୀଙ୍କୁ ଖୋଜି ଥିଲେ। ସେମାନଙ୍କୁ କମିସନଙ୍କ ପକ୍ଷରୁ ଜାରି କରାଯାଇଥିବା ଚିଠି ଜମାକାରୀ ଦେଖାଇଥିଲେ। ସେମାନଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। ଏ ସଂପର୍କିତ ତଦନ୍ତ ମାମଲାର ଶୁଣାଣି ସମୟରେ କମ୍ପାନି ପକ୍ଷରୁ କମିସନଙ୍କ ନିକଟରେ ପୂର୍ବରୁ ଦର୍ଶାଯାଇଥିଲା ଯେ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରାଇବା ପାଇଁ ସଂସ୍ଥା ପ୍ରସ୍ତୁତ। ଏପରି ପରିସ୍ଥିତିରେ କମିସନ୍‌ ଜାନୁଆରି ୧୮ରେ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ କମ୍ପାନିକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଜମା ଟଙ୍କା ଫେରି ପାଇବା ପାଇଁ ଜାନୁଆରି ୧୮ରେ ଉପଯୁକ୍ତ ପରିଚୟ ଓ ଅନ୍ୟ ପ୍ରମାଣ ସହିତ ଉପସ୍ଥିତ ରହିବା ପାଇଁ ଜମାକାରୀଙ୍କ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ପୂର୍ବରୁ ବି ଏଭଳି ଏକ ଘଟଣାରେ ଚିଟ୍‌ଫଣ୍ଡ ସଂସ୍ଥା ଜମାକାରୀଙ୍କୁ ଅର୍ଥ ଫେରାଇବାକୁ ଡାକି ଆଉ ଧରାଛୁଆଁ ଦେଇ ନଥିଲା।

ସମ୍ବନ୍ଧିତ ଖବର